ଖୋର୍ଦ୍ଧାରେ କୁକୁଡ଼ା ମଡ଼କ

ଖୋର୍ଦ୍ଧା : ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଯୋଗୁ ହଜାର ହଜାର ପକ୍ଷୀ ମରୁଥିବା ବେଳେ ଓଡ଼ିଶାରେ କିନ୍ତୁ ଏପରି ସ୍ଥିତି ଦେଖାଦେଇ ନ ଥିବା ନେଇ ଗତକାଲି ସ୍ପଷ୍ଟ କରିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। କିନ୍ତୁ ଆଜି ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ଏକ ଫାର୍ମରେ କୁକୁଡ଼ା ମଡ଼କ ହୋଇଥିବା ଜଣାଯାଇଛି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ବଡ଼ବେରଣ ଗାଁରେ ଏକ ଫାର୍ମରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି। ଗତ ୩ ଦିନ ହେଲାଣି ଏହି ଫାର୍ମରେ ୩ ହଜାରରୁ ଅଧିକ କୁକୁଡ଼ା ମରି ସାରିଲେଣି। ଫାର୍ମ ମାଲିକଙ୍କ କହିବାନୁଯାୟୀ, ସେ ପ୍ରାୟ ୩,୫୦୦ କୁକୁଡ଼ା ରଖିଥିବା ବେଳେ ଏବେ ମାତ୍ର ୩୦ରୁ ୪୦ଟି କୁକୁଡ଼ା ଅଛନ୍ତି। ଖବର ଲେଖାଯିବା ସୁଦ୍ଧା ଘଟଣାସ୍ଥଳରେ କୌଣସି ପ୍ରାଣୀଧନ ଚିକିତ୍ସିକ ପହଞ୍ଚି ନାହାନ୍ତି। ଫଳରେ ଫାର୍ମ ମାଲିକ ନିଜସ୍ୱ ଉଦ୍ୟମରେ ଗାତ ଖୋଳି ମୃତ କୁକୁଡ଼ାଙ୍କୁ ପୋତୁଛନ୍ତି।  ବାର୍ଡ ଫ୍ଲୁ  ଯୋଗୁ ନା ଅନ୍ୟ କୌଣସି କାରଣରୁ ଏପରି ଘଟୁଛି ତାହା ସ୍ପଷ୍ଟ ହୋଇପାରି ନାହିଁ।

Comments (0)
Add Comment