ଟ୍ରାକ୍ଟର ରାଲିରେ ଯୋଗ ନଦେଲେ ୨୧ ଶହ ଟଙ୍କା ଜୋରିମାନା

ଚଣ୍ଡିଗଡ, ୧୪ ।୧: ପଞ୍ଜାବର ଦୁଇ ଗାଁ ଚାଷୀ ଆନ୍ଦୋଳନ ନେଇ ବିବାଦରେ । ଗାଁ ଲୋକେ ଟ୍ରାକ୍ଟର ରାଲିରେ ଯୋଗ ନଦେଲେ ଜୋରିମାନା ଦେବେ ବୋଲି ଚାଷୀ ସଂଗଠନ କହିଛି । ଜାନୁଆରୀ ୨୬ରେ ରାଜପଥରେ ପରେଡ ସହିତ ସମାନ୍ତରଳ ଭାବରେ ଟ୍ରାକ୍ଟର ରାଲି କରିବାକୁ ଯୋଜନା କରିଛନ୍ତି ଆନ୍ଦୋଳନରତ ଚାଷୀ । ହେଲେ ଏହି ରାଲି ସ୍ୱତଃ ପ୍ରବୃତ୍ତ ନା ଜୋର ଜବରଦସ୍ତି ସେତେବେଳେ ଜଣାପଡ଼ିଛି ଯେତେବେଳେ ପଞ୍ଜାବର ଦୁଇ ଗାଁର ଲୋକଙ୍କୁ ଟ୍ରାକ୍ଟର ରାଲିରେ ଯୋଗ ଦେବାକୁ କୁହାଯାଇଛି । ଯଦି ନଯୋଗଦେବେ ତାହେଲେ ଜୋରିମାନା ଦେବାକୁ ହେବ । ଗଣତନ୍ତ୍ର ଦିବସରେ ଆନ୍ଦୋଳନରତ ଚାଷୀ କୃଷି ଆଇନକୁ ବିରୋଧ କରି ଟ୍ରାକ୍ଟର ରାଲି କରିବେ । ଏହି ଅବସରରେ ପଞ୍ଜାବ ଏବଂ ହରିଆଣାର ଚାଷୀ ଆନ୍ଦୋଳନ କରିବେ ବୋଲି ଜଣାପଡ଼ିଛି । ତେବେ ପଞ୍ଜାବର ଦୁଇ ଗାଁ ଭୁଲେରହେରୀ ଏବଂ ସଙ୍ଗରୁର ରାଲିରେ ଯୋଗ ଦେବେନି ବୋଲି ଜଣାପଡ଼ିଛି । ଏହା ପରେ ଯେଉଁମାନେ ରାଲିରେ ଯୋଗ ନଦେବେ ସେମାନଙ୍କୁ ୨,୧୦୦ ଟଙ୍କା ଜୋରିମାନା ଦେବାକୁ ହେବ ବୋଲି ଭାରତୀୟ କିଷାନ ୟୁନିଅନ୍ ନେତା କହିଛନ୍ତି ।ଭାରତୀୟ କିଷାନ ୟୁନିଅନର ସଭାପତି ଜସବେର ସିଂହ, ଅଭତର ସିଂହ, ଭୁପେନ୍ଦର ସିଂହ ଦୁଇ ଗାଁର ଲୋକଙ୍କ ଉପସ୍ଥିତିରେ କହିଛନ୍ତି ଯିଏ ଜାଣି ଶୁଣି ରାଲିରେ ଯୋଗ ନଦେବେ ତାଙ୍କୁ ୨୧ଶହ ଟଙ୍କା ଜୋରିମାନା । ଯିଏ ଯୋଗଦେବେ ତାଙ୍କୁ ନିଜ ପକେଟରୁ ଡିଜେଲ ଖର୍ଚ୍ଚ ବହନ କରିବାକୁ ହେବ । ସେହିପରି କୌଣସି କାରଣ ପାଇଁ ରାଲିରେ ଯୋଗ ନଦେଇପାରିଲେ ସେମାନଙ୍କୁ ୧୨ ଶହ ଟଙ୍କା ଜୋରିମାନା ଦେବାକୁ ହେବ । ଯେଉଁମାନେ ରାଲିକୁ ସହଯୋଗ ନକରିବେ ସେମାନଙ୍କୁ ଆଗାମୀ ଦିନରେ ଚାଷୀ ସଂଘ କୌଣସି ସହଯୋଗ କରିବନି ବୋଲି ଚାଷୀ ନେତା କହିଛନ୍ତି ।

Comments (0)
Add Comment