ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ ବ୍ଲକ ଯନ୍ତ୍ରୀଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଚଢାଉ

ପାରଳାଖେମୁଣ୍ଡି, ୨ା୩ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲାର ରାୟଗଡ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ କେ.ନାଗେଶ୍ୱର ସେନାପତିଙ୍କ ପାରଳାଖେମୁଣ୍ଡି ବାସଭବନ ସମେତ ୬ଗୋଟି ଭିନ୍ନ ଭିନ୍ନ ସ୍ଥାନରେ ଭିଜିଲାନ୍ସର ଏକକାଳୀନ ଚଢାଉ ଚାଲୁ ରହିଛି । ବ୍ରହ୍ମପୁର ଭିଜିଲାନ୍ସ ଏସ୍.ପି. ଶାନ୍ତନୁ କୁମାର ପାଢୀଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଓ ପାରଳାଖେମୁଣ୍ଡି ଭିଜିଲାନ୍ସ ଟିମ୍ର ମିଳିତ ଚଢାଉରେ ଖବର ଲେଖିବା ସୁଦ୍ଧା ବିଭିନ୍ନ ଅନୁଧ୍ୟାନ ଓ ଛାନବିନ ଚାଲୁ ରହିଛି । ବର୍ତ୍ତମାନ ସୁଦ୍ଧା ସେପରି ତଥ୍ୟ ପ୍ରଦାନ କରାଯାଇ ନଥିଲେ ମଧ୍ୟ ଏହି ଚଢାଉରେ ସମ୍ପୃକ୍ତ ଜେଇଙ୍କ ଠାରୁ ନଗଦ ଟଙ୍କା, ସୁନା ଗହଣା ଏବଂ ବିଭିନ୍ନ ସ୍ଥାବର ଅସ୍ଥାବର ସମ୍ପତ୍ତିର ଦଲିଲ ଭିଜିଲାନ୍ସ ହାତକୁ ମିଳିଥିବାର ସୂଚନା ମିଳିଛି । ଆଜି ଭୋର ସକାଳୁ ବ୍ରହ୍ମପୁର ଓ ପାରଳା ଭିଜିଲାନ୍ସ ଟିମ୍ କନିଷ୍ଠ ଯନ୍ତ୍ରୀ କେ.ନାଗେଶ୍ୱର ସେନାପତିଙ୍କ ପାରଳାଖେମୁଣ୍ଡି ଜଗନ୍ନାଥ ବିହାର ତୃୃତୀୟ ଲାଇନରେ ଥିବା ନିଜସ୍ୱ ତିନିମହଲା କୋଠାଘର, ସେ କାର୍ଯ୍ୟ କରୁଥିବା ଗଜପତି ରାୟଗଡ ବ୍ଲକ ଅଫିସ, ଶେରଗଡ ସ୍ଥିତ ପୈତୃକ ବାସଭବନ ଏବଂ ସେଠାରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘର, ଯନ୍ତ୍ରୀ ଓ ତାଙ୍କ ସ୍ତ୍ରୀଙ୍କ ନାମରେ ମାଲିକାନାରେ ଥିବା କାଶୀନଗର ବ୍ଲକ ମିନିଗାଁ ଠାରେ ଥିବା ସଙ୍କଟ ମୋଚନ ଇଟା କମ୍ପାନୀ, ରାୟଗଡ ବ୍ଲକ ପରିସରରେ ଥିବା ସରକାରୀ ବାସଭବନ ଆଦି ୬ଗୋଟି ସ୍ଥାନରେ ଭିଜିଲାନ୍ସର ୬ଗୋଟି ଦଳ ଏହି ଚଢାଉରେ ଛାନବିନ ଚଳାଇଛନ୍ତି । ଭିଜିଲାନ୍ସ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଚଢାଉ ଶେଷ ହେବାପରେ ହିଁ ସଠିକ ଖବର ବିଭାଗୀୟ ଏସ୍ପିଙ୍କ ଠାରୁ ମିଳିପାରିବ । ବର୍ତ୍ତମାନ ଚଢାଉ ଜାରି ରହିଥିବାରୁ ସବିଶେଷ ଆକଳନ କରାଯାଇପାରି ନାହିଁ ।

Comments (0)
Add Comment