କାଦମ୍ବରୀଗୁଡାରେ ପ୍ଳାନେଟୋରିଅମ୍‌’ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ରାୟଗଡ ତା.୩/୩: ବିଞାନର ଲୋକପ୍ରିୟତା ଓ ଗଣିତ ଜ୍ୟୋତିଷ,ଗ୍ରହ ନକ୍ଷତ୍ର ସଂପର୍କୀୟ ପଦାର୍ଥ ବିଞାନ ଓ ରସାୟନ ଶାସ୍ତ୍ର ଏବଂ ମହାକାଶ ବିଞାନକୁ ଲୋକପ୍ରିୟ କରାଇବାରେ ରାଜ୍ୟରେ ଭୁବନେଶ୍ୱର ଠାରେ ପଠାଣି ସାମନ୍ତ ପ୍ଳାନେଟୋରିୟମ ଏବଂ ବୁର୍ଲା ଠାରେ ଡଃ.ଅବଦୁଲ କଲାମ ପ୍ଳାନେଟୋରିୟମ ରହିଛି । ଦକ୍ଷିଣ ଓଡିଶାରେ ମଧ୍ୟ ଏହାର ଲୋକପ୍ରିୟତା ନିମେନ୍ତ ପ୍ରଥମ ପର୍ଯ୍ୟାୟରେ ରାୟଗଡ ଜିଲ୍ଳାର କାଦମ୍ବରୀଗୁଡା ଠାରେ ରାଜ୍ୟର ତୃତୀୟ ପ୍ଳାନେଟୋରିୟମର ଶିଳାନ୍ୟାସ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୨୬ ନମ୍ବର ଜାତୀୟ ରାଜପଥ ରାୟଗଡ-ଜେକେପୁର ମଧ୍ୟରେ ଥିବା ଭାକୁରଗୁଡା ନିକଟସ୍ଥ କାଦମ୍ବରୀଗୁଡା ଠାରେ ଲୋକଙ୍କ ପାଇଁ ବିଞାନ ‘ପ୍ଳାନେଟୋରିୟମ’ ନିମନ୍ତେ ଆଜି ଭିଡିଓ କନଫ୍ରେସିଙ୍ଗ ମାଧ୍ୟମରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଓଡିଶା ସରକାରଙ୍କ ବିଞାନ ଓ କାରିଗରୀ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଞାନ ଓ କାରିଗରୀ,ସାଧାରଣ ଉଦ୍ୟୋଗ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ,ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା,ରାୟଗଡ ବିଧାୟକ ମକରନ୍ଦ ମୁଦୁଲି,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର କୁମାର ଦାସ,ବିଞାନ ଓ କାରିଗରୀ ବିଭାଗ ପ୍ରମୁଖ ଶାସନ ସଚିବ ସନ୍ତୋଷ କୁମାର ଷଡଙ୍ଗି,ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗଙ୍ଗ୍‌ାଧର ପୁଆଲା,ରାଜ୍ୟ ବିଜେଡି ବରିଷ୍ଠ ଉପସଭାପତି ଲାଲବିହାରୀ ହିମିରିକା,ଜିଲ୍ଳାପାଳ ସରୋଜ କୁମାର ମିଶ୍ରଙ୍କ ସମେତ ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା,ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । କାଦମ୍ବରୀଗୁଡା ଠାରେ ଥିବା ୨.୭ ଏକର ବିଶିଷ୍ଠ ସରକାରୀ ଜାଗାରେ ୧୫ କୋଟି ବ୍ୟୟ ଅଟକଳରେ ଏନପିସିସି ଲିମିଟେଡ୍ ସଂସ୍ଥା ଦ୍ୱାରା ୧୨ ମିଟର ବ୍ୟାସ ବିଶିଷ୍ଠ ପ୍ଳାନେଟୋରିୟମଟି ଆସ୍ତନ୍ତା ଦେଢ ବର୍ଷ ମଧ୍ୟରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ ହେବ ଏବଂ ଏହି ପ୍ଳାନେଟୋରିୟମରେ ୧୨୦ଜଣ ଦର୍ଶକ ଏକାଥରକେ ନକ୍ଷତ୍ର ମଣ୍ଡଳର ମହାଜାଗତିକ ଦୃଶ୍ୟ ଦେଖିପାରିବାର କ୍ଷମତା ରଖିବ ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ପଣ୍ଡା ପ୍ରକାଶ କରିଛନ୍ତି । ଏଥିସହ ରାଜ୍ୟର ଅନ୍ୟ ୬ଟି ସ୍ଥାନରେ ମଧ୍ୟ ପ୍ଳାନେଟୋରିୟମ ଖୋଲାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ । ଏହି ପ୍ଳାନେଟୋରିୟମଗୁଡିକରେ ମହାକାଶରେ ଘଟୁଥିବା ବିଭିନ୍ନ ପ୍ରକାର ମହାଜାଗତିକ ଦୃଶ୍ୟ ଗୁଡିକୁ ଅବଲୋକନ କରିବା,ଦୂରବୀକ୍ଷଣ ଯନ୍ତ୍ର ସାହାର୍ଯ୍ୟରେ ରାତ୍ରିରେ ଗ୍ରହ ଓ ନକ୍ଷତ୍ର ମାନଙ୍କର ଅବସ୍ଥିତିକୁ ନିରୀକ୍ଷଣ କରିବା ଆଦି କାର୍ଯ୍ୟକ୍ରମ ହୋଇପାରିବ । ସେହିପରି ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ବିଞାନ ପ୍ରତି ଆଗ୍ରହ ପ୍ରବୃତିକୁ ଅନ୍ତଃନିବେଶ କରିବା ନିମନ୍ତେ ପ୍ରଥମ ପର୍ଯ୍ୟାୟରେ କୋରାପୁଟର ଜିଲ୍ଳାର ଜୟପୁର ଠାରେ ସାଢେ ୬କୋଟି ଟଙ୍କା ବ୍ୟୟ ଅଟକଳରେ ହେବାକୁ ଥିବା ଜିଲ୍ଳା ବିଞାନ କେନ୍ଦ୍ରର ଶିଳାନ୍ୟାସକୁ ଭିଡିଓ କନଫ୍ରେସିଙ୍ଗ ମାଧ୍ୟମରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ବୈଞାନିକ ଉଦ୍ଭାବନ ନିମନ୍ତେ ପ୍ରେରଣା,ସୃଜନଶୀଳତା,ବିଞାନ ଭିତିକ ପ୍ରର୍ଦଶନୀ ଏବଂ ବିଞାନ ଓ ପରୀକ୍ଷାନିରୀକ୍ଷା କରିବା ପାଇଁ ଜିଲ୍ଳା ବିଞାନ କେନ୍ଦ୍ର ମୁଖ୍ୟ ଉଦ୍ଦେଶ୍ୟ ଅଟେ ତେଣୁ ଆଦିବାସୀ ବହୁଳ ରାୟଗଡ ଓ କୋରାପୁଟ ଜିଲ୍ଳାର ଲୋକମାନଙ୍କର ବହୁ ଲକ୍ଷ୍ୟ ସାଧିତ କରିବା ଏବଂ ନୂଆ ବୈଞାନିକ ପ୍ରତିଭା ସୃଷ୍ଟି କରିବା ପାଇଁ ପ୍ଳାନେଟୋରିୟମ ଓ ଜିଲ୍ଳା ବିଞାନ କେନ୍ଦ୍ର ପ୍ରେରଣା ଯୋଗାଇବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଭିଡିଓ କନଫ୍ରେସିଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭି.କାର୍ତିକେୟନ ପାଣ୍ଡିଆନ ଯୋଗ ଦେଇଥିବା ବେଳେ ରାୟଗଡ ଓ କୋରାପୁଟ ଜିଲ୍ଳାର କାର୍ଯ୍ୟକ୍ରମ ଶେଷରେ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ, ବିଧାୟକ, ସାଂସଦ, ଗଣମାଧ୍ୟମକୁ ଧନ୍ୟବାଦ ଅର୍ପଣ କରିଥିଲେ । ରାୟଗଡା ଠାରେ ପ୍ଲାନେଟରୀଅମ ଜିଲ୍ଲା ବିଜ୍ଞାନକେନ୍ଦ୍ର ଭିତ୍ତିପ୍ରସ୍ତର କରିବା ନେଇ ଇମ୍ଫା ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହା ଦ୍ୱାରା ବିଜ୍ଞାନ ଶିକ୍ଷା ପ୍ରତି ଛାତ୍ର ଛାତ୍ରୀ ମଧ୍ୟରେ ଆଗ୍ରହ ସୃଷ୍ଟି କରିବାରେ ସହାୟତା ହେବ ବୋଲି କହିଥିଲେ ଓ ବିଶେଷ କରି ଶ୍ରୀ ପଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ରାୟଗଡ ବିଡିଓ ରାଜେନ୍ଦ୍ର ମାଝି,ତହସିଲଦାର ଉମାକାନ୍ତ ବେହେରା,ଜାତୀୟ ପ୍ରକଳ୍ପ  ନିର୍ମାଣ  ସଂସ୍ଥା ଶ୍ରୀ ଶେଖର କୁମାର, ଅଭିଷେକ  ଚକ୍ରବର୍ତ୍ତୀ, ଅଜିତ କୁମାର ସିଂହ୍ନ ଓ ଅନ୍ୟମାନେ ଉପସ୍ଥିତ ରହିଥିବା ବେଳେ ମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଳା ପୋଲିସ ପକ୍ଷରୁ ୧ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷ ପରେ ମନ୍ତ୍ରୀଙ୍କ ସମେତ ଅନ୍ୟ ଅତିଥିମାନେ ରାୟଗଡ ସହରସ୍ଥିତ ପର୍ଯ୍ୟଟନସ୍ଥଳୀ ପ୍ରେମ ପାହାଡର ଉନ୍ନତୀକରଣ ଓ ଆଲୋକୀକରଣ ବ୍ୟବସ୍ଥା ଦେଖିବା ପାଇଁ ଗସ୍ତ କରିଥିଲେ ।

Comments (0)
Add Comment