ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ

ବୈପାରିଗୁଡା – କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତର କୁପୁଲିଗୁଡା ଗ୍ରାମ ରେ ଥିବା ଦୁଇଟି ନଳକୂପ ଅଚଳ ହୋଇପଡ଼ିଥିବା ଯୋଗୁଁ ଚୁଆ ପାଣି ଉପରେ ଗ୍ରାମବାସୀଙ୍କ ଭରସା ।ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୈପାରିଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତର କୁପୁଲିଗୁଡା ଗ୍ରାମରେ ।କୁପୁଲିଗୁଡା ଗ୍ରାମରେ ସମୁଦାୟ ୨୫ଟି ପରିବାର ରହୁଥିବା ବେଳେ ଲୋକଙ୍କ ସଂଖ୍ୟା ପ୍ରାୟ ୧ଶହରୁ ଉର୍ଦ୍ଧ୍ବ ।ପାଣି ପାଇଁ ଲୋକଙ୍କୁ ନାହିଁ ନଥିବା କଷ୍ଟ ଉଠାଇବାକୁ ପଡୁଛି ବୋଲି ଗ୍ରାମର ଓ୍ବାର୍ଡ ମେମ୍ବର ପ୍ରକାଶ କରିଛନ୍ତି।ଓ୍ବାର୍ଡ ମେମ୍ବରଙ୍କ କହିବା ଅନୁଯାୟୀ କୁପୁଲିଗୁଡାରେ ଗୋଟିଏ ମାତ୍ର ନଳକୂପ ରହିଥିଲା, ତେବେ ତାହା ଧିରେଧିରେ ଅଚଳ ହେବାକୁ ବସିଲା ।ବହୁ ପରିଶ୍ରମ ପରେ ଗରାଏ କି ଦୁଇଗରା ପାଣି ମିଳୁଥିଲା ।ନଳକୂପ ମରାମତି କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ସଜଡ଼ା ଯାଇଥିଲେ ମଧ୍ୟ ପାଣି ବାହାରୁ ନାହିଁ ।ଘଣ୍ଟାଏ ପରିଶ୍ରମ କଲେ ମଧ୍ୟ ଅଧଗରା ପାଣି ବାହାରିବା ମୁସ୍କିଲ ହୋଇପଡ଼େ।ଓ୍ବାର୍ଡ ମେମ୍ବର ବୈପାରିଗୁଡା ବିଡ଼ିଓଙ୍କୁ ଏ ବିଷୟରେ ଜଣାଇବା ପରେ ଗାଆଁରେ ଆଉ ଏକ ନଳକୂଅ ବସାଗଲା ।ତେବେ ନଳକୂପ ଖୋଳିବାର ପରଦିନ ହିଁ ତାହା କାମ କଲାନାହିଁ ।ଯେତେ ଚେଷ୍ଟା ପରେ ବି ପାଣି ଟୋପାଏ ନବାହାରିବାରୁ ଏନେଇ ସଂପୃକ୍ତ ବିଭାଗକୁ ଜଣାଇ ଦିଆଗଲା ।ବାରମ୍ବାର ମରାମତି ପାଇଁ ଅନୁରୋଧ କରିବା ପରେ ମଧ୍ୟ କେହି ତାଙ୍କ କଥା କାନକୁ ନେଲେ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।ଏବେ ଗାଁ ଲୋକମାନଙ୍କର ଭରସା ଚୁଆ ପାଣି ।ଗାଧୋଇବା ଠାରୁ ଆରମ୍ଭ କରି ରୋଷେଇ କରିବା ପର୍ଯ୍ୟନ୍ତ ଚୁଆ ପାଣି ବ୍ୟବହାର କରିବା ପାଇଁ ବାଧ୍ୟ ହେଉଛନ୍ତି। କୁପୁଲିଗୁଡା ଠାରୁ ଏକ କିଲୋମିଟର ଦୂରରେ ଗନିପୁଟ ମାଝିଗୁଡା ଗ୍ରାମରେ ଥିବା ନଳକୂପରୁ ପିଇବା ପାଣି ଆଣିବା ପାଇଁ ହେଲେ ଗୋଟିଏ ଗରା ପାଣି ପାଇଁ ଯିବାଆସିବା ଦୁଇ କିଲୋମିଟର ପଡ଼ିଥାଏ ।ତାହା ବି ସବୁ ସମୟରେ ସମ୍ଭବ ହୋଇ ନ ଥାଏ ।ଆଗକୁ ଖରାଦିନ ଆସୁଥିବାରୁ ଚୁଆ ବି ଶୁଖିଯିବାର ଆଶଂକା ରହିଛି ।ଏଭଳି ପରିସ୍ଥିତିରେ ଗ୍ରାମବାସୀ ମାନେ ଟୋପାଏ ପାଣି ପାଇଁ କିପରି ଡହଳ ବିକଳ ହେବେ, ତାହା ଏବେ ଠାରୁ ଅନୁମାନ କରାଯାଏ ।ଦୁଇଟି ଯାକ ନଳକୂପକୁ ମରାମତି କରାଯାଉ କିମ୍ବା ନୁତନ ଭାବରେ ଆଉ ଏକ ନଳକୂପ ଖନନ କରାଯାଇ ଅନ୍ୟ ଜାଗାରେ ବସାଇ ଗ୍ରାମବାସୀଙ୍କୁ ଜଳକଷ୍ଟରୁ ରକ୍ଷା କରାଯାଉ ବୋଲି ଓ୍ବାର୍ଡ ମେମ୍ବର ଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି।

Comments (0)
Add Comment