ଟିଏମସିରେ ମିଶିଲେ ଯଶବନ୍ତ ସିହ୍ନା

କୋଲକାତା, ୧୩ ।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ଧରଣର ଅଦଳବଦଳ ଦେଖିବାକୁ ମିଳିଛି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଯଶବନ୍ତ ସିହ୍ନା ଆଜି ବେଙ୍ଗଲର କ୍ଷମତାସୀନ ତୃଣମୂଳ କଂଗ୍ରେସ(ଟିଏମସି)ରେ ସାମିଲ ହୋଇଛନ୍ତି । କିଛି ଦିନ ହେଲା ଟିଏମସିର ବହୁ ବରିଷ୍ଠ ନେତା ବିଜେପିରେ ସାମିଲ ହେଉଥିଲେ । ଏମାନଙ୍କ ମଧ୍ୟରୁ ସବୁଠାରୁ ହେଭିୱେଟ ଥିଲେ ଶୁଭେନ୍ଦୁ ଅଧିକାରୀ । ସେ ଏଥର ବିଜେପି ଟିକେଟରୁ ନନ୍ଦିଗ୍ରାମରୁ ପ୍ରାର୍ଥୀ ହେଉଛନ୍ତି । ତାଙ୍କୁ ଚ୍ୟାଲେଞ୍ଜ ଦେବାକୁ ମମତା ନିଜେ ସେଠାରୁ ପ୍ରାର୍ଥୀ ହୋଇଛନ୍ତି । ଏସବୁ ଟକରାଟକରି ଭିତରେ ଯଶବନ୍ତ ସିହ୍ନା ଟିଏମସିରେ ମିଶିଛନ୍ତି । ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଅର୍ଥ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିବା ଶ୍ରୀ ସିହ୍ନା ୨୦୧୮ରେ ବିଜେପିକୁ ବାଏବାଏ କହିଥିଲେ । ସେବେଠାରୁ ସେ ଅନେକ ସମୟରେ ମୋଦି ସରକାରଙ୍କ କାର୍ଯ୍ୟଶୈଳୀକୁ ସମାଲୋଚନା କରି ଆସୁଛନ୍ତି । ଆଜି କୋଲକାତାରେ ଥିବା ଟିଏମସି ଭବନକୁ ଆସି ସେ ଦଳରେ ମିଶିଛନ୍ତି । ଏହି ମିଶ୍ରଣ ପର୍ବରେ ଟିଏମସିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ସେ ଟିଏମସି କାର୍ଯ୍ୟାଳୟରୁ ବିଜେପିକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ଦେଶ ଏକ ଅଭୂତ ପର୍ବ ସମୟର ସାମ୍ନା କରୁଛି । ଗଣତନ୍ତ୍ରର ଶକ୍ତି ଗଣତନ୍ତ୍ର ବିଭିନ୍ନ ସଂସ୍ଥାର ଶକ୍ତି ଉପରେ ନିର୍ଭର କରେ ।

Comments (0)
Add Comment