ଝରଣା ପାଣିରେ ଶୋଷ ମେଣ୍ଟାଉଛନ୍ତି ପଲମା ଗ୍ରାମବାସୀ

କଲ୍ୟାଣ ସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପଲମା ପଞ୍ଚାୟତ ର  ସଦର ପଲମା ଗ୍ରାମରେ ଝରଣା ପାଣିରେ ଶୋଷ ମେଣ୍ଟାଉଥିବା ଦେଖିବାକୁ ମିଳିଛି। ଗାଁରେ ଥିବା ୪ଟି ନଳକୂପରୁ ଅଳ୍ପ ପାଣି ବାହାରୁଛି। ଏ ପରି ପାଇଫ ଯୋଗେ ମଧ୍ୟ ସଠିକ ପାଣି ମିଳୁନି। ଦୀର୍ଘ ଦିନ ହେଲା ଏହିପରି ସମସ୍ୟା ଦେଖା ଦେଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି।  ପାନୀୟ ଜଳର କୌଣସି ବ୍ୟବସ୍ଥା ନ ଥିବାରୁ  ବାଧ୍ୟହୋଇ ଗ୍ରାମବାସୀ ଗାଁ ମୁଣ୍ଡରେ ଥିବା ଦୂଷିତ ଝରଣା ପାଣି ପିଉଛନ୍ତି।ଏହିପରି ପାଣି ପାଇଁ ଡହଲ ବିହଲ ହେଉଛନ୍ତି। ଏହି ଗ୍ରାମରେ ପ୍ରାୟ ୫୦୦ ରୁ ଉର୍ଦ୍ଧ ଲୋକ ବସବାସ କରନ୍ତି। ପଲମା ଗ୍ରାମରେ ପ୍ରଶାସନ ପକ୍ଷରୁ ୪ଗୋଟି ନଳକୂପ ଖନନ କରାଯାଇଛି। ପ୍ରକଳ୍ପ ନିର୍ମାଣ କରାଯାଇଥିବା ଷ୍ଟାଣ୍ଡ ପୋଷ୍ଟ ଯୋଗେ ପାଣି ଯୋଗାଇ ଦିଆଯାଉଛି। କିନ୍ତୁ ଦୀର୍ଘଦିନ ହେଲା ୪ଟି ନଳକୂପ ରୁ ଅଳ୍ପ ପାଣି ବହରୁଥିବାରୁ ପାଣି ହାଣ୍ଡିଏ ପାଇଁ ମହିଳା ମାନଙ୍କୁ ବହୁ ସମୟ ଅପେକ୍ଷା କରିବାକୁ ପଢୁଛି। ଅନ୍ୟ ପକ୍ଷରେ ଷ୍ଟାଣ୍ଡପୋଷ୍ଟ ରେ ମଧ୍ୟ ସଠିକ ପାଣି ବାହାରୁ ନଥିବାରୁ ସମସ୍ୟା ଦେଖା ଦେଇଛି। ବିଦ୍ୟୁତ କଟ ହେଲେ ଲୋକମାନଙ୍କୁ ଜମାରୁ ପାଣି ମିଳୁନଥିବା ଅଭିଯୋଗ ହୋଇଛି।   ଗ୍ରାମରେ ପାଣି ପାଇଁ ଅନ୍ୟ ବିକଳ୍ପ ବ୍ୟବସ୍ଥା ନ ଥିବାରୁ  ମହିଳା ମାନେ ବାଧ୍ୟହୋଇ ଖରାତରା ରେ ଗାଁ ନିକଟରେ ଥିବା ଝରଣା ର ପାଣି କୁ ସଂଗ୍ରହ  କରୁଛନ୍ତି। ପାଣିର ଅଭାବ ଯୋଗୁଁ ଗାଁ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି।  ପାଣିର ସମସ୍ୟା ନେଇ ପଞ୍ଚାୟତ କାର୍ଯ୍ୟଳୟରେ ବାରମ୍ବାର ଅଭିଯୋଗ କଲେ  ଆଜି କାଲି ବୋଲି ସମୟ ଗଡାଉଥିବା  ଗ୍ରାମ ର ଜାମାଲି ପାର୍ବତୀ,ପୁଲିପିଲି ମାଙ୍ଗା,ଜାମାଲି ଯୋଗୀ, ମାଛି ଚନ୍ଦ୍ରାୟା, ଜାମାଲି ତ୍ରିନାଥ,ନାବିଟି ଗଙ୍ଗା ଙ୍କ ସମେତ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ପାଣି ର ସମସ୍ୟା କୁ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

Comments (0)
Add Comment