ବାବୁଲ୍ ସୁପ୍ରିୟୋ, ଲକେଟ୍ ଚାଟାର୍ଜୀ ଲଢ଼ିବେ ବିଧାନସଭା ନିର୍ବାଚନ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଏହି ତାଲିକାରେ ୬୩ ଜଣ ପ୍ରାର୍ଥୀ ରହିଛନ୍ତି । ଆଉ ଏହି ୬୩ ଜଣଙ୍କ ମଧ୍ୟରେ ବିଜେପିର ଚାରି ସାଂସଦ ଓ ଟଲିଉଡର ୪ କଳାକାର ରହିଛନ୍ତି । ଲୋକସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଟୋଲାଗଞ୍ଜ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଜଣାପଡ଼ିଛି । ଜଣାଶୁଣା ଅର୍ଥନୀତିଜ୍ଞ ଅଶୋକ ଲାହିରି ଅଲିପୁରଦ୍ୱାର, ଡୋମଜୁରରୁ ରାଜୀବ ବାନାର୍ଜୀ, ସିଙ୍ଗୁରରୁ ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ, ରାଜ୍ୟସଭା ସାଂସଦ ସ୍ୱପ୍ନ ଦାସଗୁପ୍ତା ତାରକେଶ୍ୱରରୁ ପ୍ରାର୍ଥୀ ହେବେ । ସାଂସଦ ନିଶିଥ ପ୍ରମାଣିକ ଦିନହାଟ ବିଧାନସଭା ଆସନରୁ, ତାଲିଗଞ୍ଜରୁ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ, ଅଭିନେତା ୟଶ ଦାସଗୁପ୍ତ ଚଣ୍ଡିତାଲାରୁ ପ୍ରାର୍ଥୀ ହେବେ । ଅଭିନେତ୍ରୀ ପାୟଲ ସରକାର ବେହାଲା ଇଷ୍ଟରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଡକ୍ଟର ଇନ୍ଦ୍ରନିଲ ଖାନ କସବାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଅଭିନେତ୍ରୀ ତନୁଶ୍ରୀ ଚକ୍ରବର୍ତ୍ତୀ ହାୱାଡାର ଶ୍ୟାମପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ସାଂସଦ ଲୋକେଟ୍ ଚାଟାର୍ଜୀ ଚୁଞ୍ଚୁଡାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ସୋନାରପୁର ଦକ୍ଷିଣରୁ ଅଞ୍ଜନା ବସୁ ପ୍ରାର୍ଥୀ ହେବେ । ସେହିପରି ହାୱାଡା ଦକ୍ଷିଣରୁ ରାତିସେନ ଗୁପ୍ତା ପ୍ରାର୍ଥୀ ହୋଇଛନ୍ତି । ସୂଚନାଯୋଗ୍ୟ ଗତକାଲି ବିଜେପିର ମୁଖ୍ୟ ପାର୍ଟି ଅଫିସରେ କେନ୍ଦ୍ରୀୟ ନିର୍ବାଚନ ସମିତି ବୈଠକ ବସିଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଜେ.ପି ନ‡ା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପିର ରାଷ୍ଟ୍ରୀୟ ଉପସଭାପତି ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ଆସାମର ଶିକ୍ଷାମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଦଳର ରାଷ୍ଟ୍ରୀୟ ସମ୍ପାଦକ ଅରୁଣ ସିଂ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ଆସାମ ଏବଂ ପଶ୍ଚିମବଙ୍ଗ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ବାବାଦରେ ଆଲୋଚନା ହୋଇଥିଲା । ଏହାପରେ ରବିବାର ବିଜେପି ପଶ୍ଚିମବଙ୍ଗ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ କରିବା ବେଳେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ କହିଛନ୍ତି ଯେ ପଶ୍ଚିମବଙ୍ଗରେ ପରିବର୍ତ୍ତନର ଲହରୀ ଚାଲିଛି । ଏହି ବିଧାନସଭା ନିର୍ବାଚନରେ ବିଜେପି ୨୦୦ରୁ ଅଧିକ ଆସନରେ ଜିତିବ ବୋଲି ସେ ଦାବି କରିଛନ୍ତି ।

Comments (0)
Add Comment