ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରିଥିବା ୨୫ ଶିକ୍ଷକ ବହିଷ୍କୃତ

ଭବାନୀପାଟଣା:୧୪/୪: କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାଲ ସାର୍ଟିଫିକେଟରେ କାର୍ଯ୍ୟରତ ଶିକ୍ଷକମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କଳାହାଣ୍ଡି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ ଜାଲ ସାର୍ଟିଫିକେଟ ଦେଇ ବିଭିନ୍ନ ସରକାରୀ ସ୍କୁଲରେ ନିୟୋଜିତ ଥିବା ୨୫ ପାର୍ଟ ଟାଇମ ଶିକ୍ଷକଙ୍କୁ ବହିଷ୍କୃତ କରାଯାଇଛି । ଏମାନେ ଜାଲ ସାର୍ଟିଫିକେଟ ଦେଇ ଜିଲ୍ଲାର ବିଭିନ୍ନ ସରକାରୀ ବିଦ୍ୟାଳୟରେ ନିୟୋଜିତ ଥିଲେ। କଳାହାଣ୍ଡି ଜିଲ୍ଲାରେ ଅନେକ ଶିକ୍ଷକ ଜାଲ ସାର୍ଟିଫିକେଟରେ ନିୟୋଜିତ ହୋଇଥିବା ଅଭିଯୋଗ ହୋଇଆସୁଥିଲା। ଏସଂପର୍କରେ ଅନେକ ସମୟରେ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ତେବେ କୌଣସି ସୁତ୍ରରୁ ଜିଲ୍ଲା ଶିକ୍ଷା ବିଭାଗ ଏହାର ସୁରାକ ପାଇ ଶିକ୍ଷକ ମାନଙ୍କ ସାର୍ଟିଫିକେଟ ଯାଞ୍ଚ ଚଲାଇଥିଲା। ଏହି ସମୟରେ ପ୍ରଥମ ପର୍ଯ୍ୟାୟରେ ୨୫ ଜଣ ଜାଲ ସାର୍ଟିଫିକେଟଧାରୀ ଶିକ୍ଷକଙ୍କୁ ଠାବ କରିପାରିଛି। ଏହା ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ବ୍ଲକ ଶିକ୍ଷା ଅଧିକାରୀ ମାନଙ୍କୁ ଏହି ଶିକ୍ଷକ ମାନଙ୍କ ନାଁରେ ଫୌଜଦାରୀ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାରେ ଆହୁରି ଅଧିକ ଶିକ୍ଷକ ଜାଲ ସାର୍ଟିଫିକେଟରେ କାର୍ଯ୍ୟ କରୁଥିବା ଆଶଙ୍କା କରି ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟାକୁ ଜାରି ରଖିଥିବା ଜିଲ୍ଲା ଶିକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।

Comments (0)
Add Comment