ଚୂଡ଼ାନ୍ତ ହେଲା ମାଟ୍ରିକ ପରୀକ୍ଷା ଫଳ ପଦ୍ଧତି : ନବମ-ଦଶମ ମାର୍କ ଆଧାରରେ ମୂଲ୍ୟାୟନ

ଭୁବନେଶ୍ୱର : କଟକ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ତଥା ମାଟ୍ରିକ ପରୀକ୍ଷାଫଳ ପାଇଁ ପଦ୍ଧତି ଚୂଡ଼ାନ୍ତ ହୋଇଛି । ଆଜି ମାଟ୍ରିକ ପରୀକ୍ଷା ଫଳ ପାଇଁ ଚୂଡ଼ାନ୍ତ ପଦ୍ଧତିକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅନୁମୋଦନ କରାଯାଇଛି । ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରାଯାଇଥିବାରୁ ଏହାର ମୂଲ୍ୟାୟନ କରାଯିବା ପାଇଁ ବିକଳ୍ପ ପଦ୍ଧତି ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।

ମାଧ୍ୟମିକ ଶିକ୍ଷା ପରିଷଦ ୱେବ୍ସାଇଟ୍ରେ ଏହି ବିଜ୍ଞପ୍ତି ଉପଲବ୍ଧ ହେଉଛି । ଶିକ୍ଷକଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ ଏହା ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍ସାଇଟ୍ରୁ ଦେଖିପାରିବେ । ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍ଇ) ପକ୍ଷରୁ ଆଜି ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଏଥର ବାତିଲ କରାଯାଇଥିବା ଦଶମ ତଥା ମାଟ୍ରିକ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ନବମ ଓ ଦଶମ ଶ୍ରେଣୀର ନମ୍ବର ଆଧାରରେ ହେବ । ନବମ ଶ୍ରେଣୀର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ନମ୍ବର ବିଚାରକୁ ନିଆଯିବ ।

ଦଶମ ଶ୍ରେଣୀର ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଅଭ୍ୟାସ ପରୀକ୍ଷା ନମ୍ବରକୁ ବି·ର କରାଯିବ । ତେବେ ନବମ ଶ୍ରେଣୀର ୪୦% ଏବଂ ଦଶମ ଶ୍ରେଣୀର ୬୦% ନମ୍ବରକୁ ଗୁରୁତ୍ୱ ଦିଆଯିବ । ଦଶମ ଶ୍ରେଣୀରେ କୌଣସି ପରୀକ୍ଷା ହୋଇନଥିଲେ ନବମ ଶ୍ରେଣୀର ନମ୍ବର ବି·ରକୁ ନିଆଯିବ । ଦଶମ ଶ୍ରେଣୀରେ ଗୋଟିଏ ପରୀକ୍ଷା ଦେଇଥିଲେ ନବମ ଶ୍ରେଣୀର ୭୦% ନମ୍ବରକୁ ଗୁରୁତ୍ୱ ଦିଆଯିବ । ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରସ୍ତୁତ ପାଇଁ ୨୭୬୬ଟି ସ୍କୁଲକୁ ମେଣ୍ଟର ସ୍କୁଲ ଭାବେ ଘୋଷଣା
କରାଯାଇଛି । ମେଣ୍ଟର ସ୍କୁଲର ପ୍ରଧାନ ଶିକ୍ଷକ ସବୁ ସ୍କୁଲର ମାର୍କ ଅପ୍ଲୋଡ୍ କରିବେ ।

ବିଷୟ ଅନୁସାରେ ଛାତ୍ରଛାତ୍ରୀଙ୍କ ସର୍ବାଧିକ ନମ୍ବର ଅପ୍ଲୋଡ୍ କରାଯିବ । ମେ’ ୨୪ରୁ ୩୧ ମଧ୍ୟରେ ପ୍ରଧାନ ଶିକ୍ଷକ ମାର୍କ ଅପ୍ଲୋଡ୍ କରିବେ । ମେ ମାସ ଶେଷ ସୁଦ୍ଧା ଏସବୁ ପ୍ରକ୍ରିୟା ଶେଷ ହେବ । ଯେଉଁ ଛାତ୍ରଛାତ୍ରୀମାନେ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରସ୍ତୁତ ମୂଲ୍ୟାୟନ ପଦ୍ଧତିରେ ଅସନ୍ତୁଷ୍ଟ ହେବେ ସେମାନେ ପୁଣି ପରୀକ୍ଷା ଦେଇପାରିବେ । କୋଭିଡ୍ ପରିସ୍ଥିତି ସ୍ୱାଭାବିକ ହେଲେ ସେମାନଙ୍କୁ ଦଶମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ଅନୁମତି ଦିଆଯିବ ବୋଲି କୁହାଯାଇଛି । ତେବେ କେବେ ସୁଦ୍ଧା ଦଶମ ଶ୍ରେଣୀ ତଥା ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବ ତାହା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇନାହିଁ ।