ଟୀକା ପାଇଁ ହାହାକାର : ବୋରିଗୁମ୍ମା ବ୍ଳକର ଗ୍ରାମାଞ୍ଚଳରେ ପହଞ୍ଚି ପାରୁନି କରୋନା ଟୀକା

ବୋରିଗୁମ୍ମା :  କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକର ଗ୍ରାମାଞ୍ଚଳର  ଟୀକା କେନ୍ଦ୍ର ବନ୍ଦ ହେବା ଯୋଗୁ ବ୍ଲକର ଗ୍ରାମାଞ୍ଚଳରେ ଟୀକା ପହଞ୍ଚି ପାରୁନଥିବା ଦେଖାଦେଇଛି । କରୋନା ମହାମାରି ଦିନକୁ ଦିନ କାୟା ବିସ୍ତାର କରୁଥିବା ବେଳେ ଟିକା ଦାନକୁ  ଯୁଦ୍ଧ କାଳୀନ ପ୍ରାଥମିକତା ଦେଇ କିପରି ରାଜ୍ୟବାସୀ ଏହାର ସୁଯୋଗ ଠିକ ସମୟରେ ପାଇ ପାରିବେ ସେ ନେଇ ରାଜ୍ୟ ସରକାର ଚିନ୍ତିତ ଥିବା ବେଳେ ବୋରିଗୁମ୍ମା ବ୍ଳକର ଗ୍ରାମାଞ୍ଚଳରେ ଟୀକା ଦାନ ବନ୍ଦ ରହି ଏହାର ବ୍ୟତିକ୍ରମ ଦେଖା ଦେଇଛି ।

ବୋରିଗୁମ୍ମା ବ୍ଳକ ଓଡ଼ିଶାର ସବୁଠାରୁ ବଡ଼ ବ୍ଲକ ୩୧ ଗୋଟି ପଂଚାୟତକୁ ନେଇ ଗଠିତ ହୋଇଥିବା ଏହି ବ୍ଳକର ବିଭିନ୍ନ ସ୍ଥାନରେ ଟୀକାଦାନ କେନ୍ଦ୍ର କରାଯାଇଥିଲା,  କିନ୍ତୁ ଏବେ କେବଳ ବୋରିଗୁମ୍ମା ସଦର ସ୍ଥିତ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ସମଗ୍ର  ବ୍ଲକ ପାଇଁ ଗୋଟିଏ  ଟୀକାକାରଣ କେନ୍ଦ୍ରରେ ଟୀକା ଦିଆଯାଉଛି ।  ବ୍ଳକର ଗ୍ରାମାଞ୍ଚଳର  ୪୫ ରୁ ୬୦ ବର୍ଷର ଲୋକେ ବୋରିଗୁମ୍ମା ବ୍ଲକର କୁମୁଲି,କାଠରଗଡ଼ା, ବି ସିଂହପୁର, ଜୁଝାରି ଏବଂ ସସାହାଣ୍ଡି ପ୍ରାଥମିକ ସ୍ୱସ୍ଥ୍ୟ କେନ୍ଦ୍ର ମାନଙ୍କରେ ପ୍ରଥମ ଡୋଜ ଟୀକା ନେଇଥିବା ବେଳେ ଏବେ ଏହି ସବୁ ଟୀକାକେନ୍ଦ୍ର ବନ୍ଦ ହୋଇ ଥିବାରୁ ଦ୍ୱିତୀୟ ଡୋଜ ଟୀକା  ବୋରିଗୁମ୍ମା ଗୋଷ୍ଠି ସ୍ୱସ୍ଥ୍ୟ କେନ୍ଦ୍ରକୁ ଯାଇ ଟୀକା ନେବା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି ।

ପ୍ରଥମତଃ କରୋନା ଭୟ ଦ୍ୱିତୀୟରେ ପୋଲିସର ମାଡ଼ ଭୟରେ ଲୋକେ ପଦାକୁ ବାହାରୁ ନଥିବା ବେଳେ ବୋରିଗୁମ୍ମା ଯାଇ ଟୀକା କେମିତି ନେବେ ସେ ନେଇ  ଏବେ ପ୍ରଶ୍ନ ଉଠିଛି । କୁମୁଲି , ବିସିଂହପୁର, ସସାହାଣ୍ଡି ଅଂଚଳରୁ ବୋରିଗୁମ୍ମା ସହର ଦୂରତା ପାଖାପାଖି ୧୫ରୁ ୨୦ କିମି ଥିବା ବେଳେ ଲକଡାଉନ ଏବଂ ସଟଡାଉନରେ ଗାଡି ମୋଟର ବୋରିଗୁମ୍ମାକୁ ଚଳାଚଳ ବନ୍ଦ ହୋଇଥିବାରୁ ବୋରିଗୁମ୍ମା ଯାଇ ଟୀକା ନେବା ଅସମ୍ଭବ ବୋଲି ଲୋକେ କୁହାକୁହି ହେବା ବେଳେ ବିଭିନ୍ନ ସାମାଜିକ ଗଣ ମାଧ୍ୟମରେ ଏହାକୁ ନେଇ ପ୍ରଶ୍ନ କରିଛନ୍ତି ବ୍ଳକର ଅନେକ ଯୁବପିଢି । ବ୍ଲକର ଗ୍ରାମାଞ୍ଚଳର ଏହି ସବୁ ଟୀକା କେନ୍ଦ୍ରରେ ଟୀକା ଦେଲେ ଲୋକେ ଏହି ସମୟରେ ବୋରିଗୁମ୍ମା ଯାଇ ଅଯଥା ହଇରାଣ ହେବେ ନାହିଁ ଏବଂ  ତୁରନ୍ତ ପ୍ରଥମ ଡୋଜ ଟୀକା ଦିଆଯାଇ ଥିବା ଟୀକା କେନ୍ଦ୍ରରେ ପୁଣି ଥରେ ଟୀକା ଦେବା ପାଇଁ ସାଧାରଣରେ ଦାବି ଉଠିଛି ।