ସମ୍ଭାବ୍ୟ ବାତ୍ୟା ଲାଗି ଆଗୁଆ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଓଡ଼ିଶା ଉପକୂଳରେ ସମ୍ଭାବ୍ୟ ବାତ୍ୟା ଓ ତତ୍‌ଜନିତ ଭୀଷଣ ବର୍ଷାର ସମ୍ଭାବନାକୁ ଦୃଷ୍ଟିରେ ରଖି ରବିଧାନ ଏବଂ ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟରେ ସବୁ ପ୍ରକାର ସତର୍କତା ଅବଲମ୍ବନ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ସଂପ୍ରତି ରାଜ୍ୟରେ ସୋସାଇଟି ପକ୍ଷରୁ ବିଭିନ୍ନ ମଣ୍ଡିରେ ରବିଧାନ ଏବଂ ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟ ଚାଲୁ ରହିଛି ।

ଏହି ପରିପ୍ରେକ୍ଷୀରେ ମଣ୍ଡିଗୁଡ଼ିକୁ ଚାଷୀମାନେ ଆଣୁଥିବା ଧାନ ଏବଂ ତୈଳବୀଜ ଆଦିକୁ ସଂପୂର୍ଣ୍ଣ ଭାବେ ସୁରକ୍ଷିତ ରଖିବା ପାଇଁ ସମସ୍ତ ବନ୍ଦୋବସ୍ତ କରିବା ପାଇଁ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ଖରିଫ ଚାଷକାର୍ଯ୍ୟ ନିମନ୍ତେ ସାର ଏବଂ ବିହନ ଯେପରି ସୁରକ୍ଷିତ ଭାବରେ ଠିକଣା ସ୍ଥାନଗୁଡ଼ିକରେ ପହଂଚିପାରିବ ସେଥି ନିମନ୍ତେ ପଦକ୍ଷେପ ନେବା ପାଇଁ ସେ କହିଛନ୍ତି । ଏତଦ୍‌ବ୍ୟତୀତ କୋଭିଡ୍‌-୧୯ର ଦ୍ୱିତୀୟ ଲହର ସ୍ଥିତିରେ ଖାଉଟିମାନଙ୍କୁ ସୁବିଧାରେ ପିଡ଼ିଏସ୍ ସାମଗ୍ରୀ ବଂଟନର ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ଉଭୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ସମବାୟ ବିଭାଗ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରିବା ସହିତ ତୃଣମୂଳ ସ୍ତରର କ୍ଷେତ୍ର ଅଧିକାରୀମାନଙ୍କୁ ବ୍ୟାପକ ସଚେତନ କରିବା ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବିସ୍ତୃତ ମାର୍ଗଦର୍ଶିକା ଜାରି କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭାରତୀୟ ପାଣିପାଗ ବିଭାଗ, ଭୁବନେଶ୍ୱରର ପୂର୍ବାନୁମାନ ଅନୁଯାୟୀ ଆଣ୍ଡାମାନ ସାଗର ଏବଂ ପୂର୍ବ- କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଆସନ୍ତା ୨୨ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଘନିଭୂତ ହେବା ପରେ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଛି । ଏହା ମଇ ୨୬ ତାରିଖରେ ଓଡ଼ିଶା ଉପକୂଳରେ ପହଂଚିବାର ସମ୍ଭାବନା ରହିଛି । 

Comments (0)
Add Comment