ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପାଇଁ କରୋନା ଅଧିକ ଘାତକ

ନୂଆଦିଲ୍ଲୀ ୩୦ ।୫: ଗତ ଏକ ବର୍ଷରୁ ଅଧିକ ସମୟ ହେବ କରୋନା ମହାମାରୀ ସହ ପୂରା ଦୁନିଆ ସଂଘର୍ଷ କରୁଛି । ଏହାର ପ୍ରକୋପ ଏବେ ଆଉ କେତେ ଦିନ ରହିବ କହିବା ମୁସ୍କିଲ । ବିଶେଷକରି ପ୍ରଥମ ଲହରକୁ ସଫଳତା ସହ ମୁକାବିଲା କରିଥିବା ଭାରତ ଦ୍ୱିତୀୟ ଲହରରେ ଅସହାୟ ନଜର ଆସିଛି । ଦ୍ୱିତୀୟ ଲହରରେ ଅକ୍ସିଜେନ୍ ଅଭାବ କାରଣରୁ ବହୁ ସଂଖ୍ୟାରେ ଲୋକେ ପ୍ରାଣ ହରାଇଛନ୍ତି । ଅନ୍ୟପଟେ କରୋନାର ନୂତନ ଭାରିଏଣ୍ଟ ଲୋକଙ୍କ ଫୁସଫୁସ୍କୁ ଆକ୍ରମଣ କରୁଛି । ତେଣୁ ଏବେ ଫୁସଫୁସ୍କୁ ସୁସ୍ଥ ରଖିବା ଜରୁରୀ ହୋଇପଡିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଧୂମ୍ରପାନ କରି ନିଜ ଫୁସ୍ଫୁସ୍କୁ କ୍ଷତି ପହଞ୍ଚାଉଥିବା ଲୋକେ କୋଭିଡ୍ରେ ଗୁରୁତର ଭାବେ ସଂକ୍ରମିତ ହେବା ଏବଂ ପ୍ରାଣ ଚାଲିଯିବାର ୫୦ ପ୍ରତିଶତରୁ ଅଧିକ ସମ୍ଭାବନା ରହିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)ର ମହାନିର୍ଦ୍ଦେଶକ ଡାକ୍ତର ଟେଡ୍ରୋସ ଅଧନୋମ ଘେବ୍ରେୟେସସ ମେ ୨୮ରେ ଜାରି ପ୍ରେସ ବିବୃତିରେ ଏହାର ସୂଚନା ଦେଇଛନ୍ତି । ସେ କହିଛନ୍ତି, କରୋନା ଭାଇରସ୍ର ବିପଦକୁ କମ କରିବା ପାଇଁ ଲୋକଙ୍କୁ ଧୂମ୍ରପାନ ଛାଡି ଦେବା ହିଁ ଶ୍ରେୟସ୍କର । ଧୂମ୍ରପାନ କାରଣରୁ କ୍ୟାନ୍ସର, ହୃଦ୍ଜନିତ ରୋଗ ଓ ଶ୍ୱାସଜନିତ ରୋଗ ହେବାର ଅଧିକ ବିପଦ ରହିଥାଏ । ସେହି ଲୋକଙ୍କ ପାଇଁ କରୋନା ଅଧିକ ଘାତକ ହୋଇପାରେ ବୋଲି ସେ କହିଛନ୍ତି । ଏହି ସମ୍ବନ୍ଧରେ ଗୁରୁଗ୍ରାମରେ ନାରାୟଣ ହସ୍ପିଟାଲର କନସଲଟାଣ୍ଟ ଆଣ୍ଡ ସର୍ଜନ, ହେଡ ଆଣ୍ଡ ନେକ ଆକ୍ନୋଲୋଜିର ଡାକ୍ତର ଶିଳ୍ପୀ ଶର୍ମା କହିଛନ୍ତି, ଆଜିର ଦିନରେ ଯେଉଁମାନେ ବିଡି, ସିଗାରେଟ୍ ପିଉଛନ୍ତି ସେମାନଙ୍କୁ କୋଭିଡ୍ ମହାମାରୀ ହେବାର ଅଧିକ ସମ୍ଭାବନା ରହିଛି । ତେଣୁ ସେମାନଙ୍କୁ ବେଳ ଥାଉ ଥାଉ ଏହି କୁଅଭ୍ୟାସ ଛାଡି ଦେବା ଉଚିତ୍ । କାରଣ ଧୂମ୍ରପାନ ଫୁସ୍ଫୁସର କ୍ଷତି ଘଟିଥାଏ । ପୁଣି କରୋନା ସଂକ୍ରମଣ ସମୟରେ ଭାଇରସ୍ ଫୁସଫୁସ୍କୁ ଆକ୍ରମଣ କରିବାର ସମ୍ଭାବନା ଅଧିକ ରହିଛି । ତେଣୁ ଧୂମ୍ରପାନ କରୁଥିବା ଲୋକଙ୍କୁ ବର୍ତ୍ତମାନ ସଚେତନ କରାଇବାର ସମୟ ଆସିଛି । ଆକ୍ସନ କ୍ୟାନସର ହସ୍ପିଟାଲରେ ବରିଷ୍ଠ କନସଲଟାଣ୍ଟ ହେଡ୍ ଆଣ୍ଡ ନେକ୍, ବ୍ରେଷ୍ଟ ଆଣ୍ଡ ଥୋରେସିକ ଆକ୍ନୋ ସର୍ଜରୀ ୟୁନିଟ୍ ଡାକ୍ତର ରାଜେଶ ଜୈନଙ୍କ ଅନୁଯାୟୀ, ଫୁସଫୁସ୍ ଯେତିକି ସୁସ୍ଥ ରହିବ କରୋନା ଏବଂ ଫୁସଫୁସଜନିତ ସମସ୍ୟାରୁ ଶୀଘ୍ର ସୁସ୍ଥ ହେବାର କ୍ଷମତା ରହିବ । ତେଣୁ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ଫୁସଫୁସ୍ ଅନ୍ୟମାନଙ୍କ ତୂଳନାରେ ଦୁର୍ବଳ ରହିବ ।

Comments (0)
Add Comment