କରୋନା ନିୟମକୁ ବିଜେପି ବିଧାୟକଙ୍କ ଉଲ୍ଲଂଘନ

ଝିଅ ବାହାଘରରେ ବିଶାଳ ପାର୍ଟିର ଆୟୋଜନ

ମୁମ୍ବାଇ, ୧ ।୬: ମହାମାରୀ କରୋନାର ଦ୍ୱିତୀୟ ଲହର ସାଂଘାତିକ ସୃଷ୍ଟି କରିଥିଲେ ହେଁ ଜଣେ ବିଜେପି ବିଧାୟକ ଏଥିପାଇଁ ଜାରି କଟକଣାର ଧଜିଆ ଉଡ଼ାଇଛନ୍ତି । ଝିଅର ବାହାଘର ପାଇଁ ବିଜେପି ବିଧାୟକ ଜଣଙ୍କ ସବୁ କଟକଣାକୁ ଉଲ୍ଲଙ୍ଘନ କରି ବିଶାଳ ପାର୍ଟିର ଆୟୋଜନ କରିଥିବା ଦୃଶ୍ୟ ସାମ୍ନାକୁ ଆସିଛି । ସରକାର ବାରମ୍ବାର ସାଧାରଣ ଲୋକଙ୍କୁ ତାଗିଦ କରୁଥିବା ବେଳେ ଜଣେ ବିଜେପି ବିଧାୟକଙ୍କ ଏଭଳି ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିବାଦ ବଢ଼ୁଥିବାରୁ ମହାରାଷ୍ଟ୍ର ପୁଲିସ୍ ବିଜେପି ବିଧାୟକ ମହେଶ ଲଣ୍ଡଗେଙ୍କ ବିରୋଧରେ ଏଫଆଇଆର କରିଛି । ତାଙ୍କ ସହ ଆଉ ୬୦ ଜଣଙ୍କ ନାଁରେ ମଧ୍ୟ କରୋନା କଟକଣା ଉଲ୍ଲଙ୍ଘନ କରିଥିବାରୁ ମାମଲା କରାଯାଇଛି । ସାମ୍ନାକୁ ଆସିଥିବା ଭିଡିଓରେ ୪୫ ବର୍ଷୀୟ ବିଧାୟକ ମହେଶ ନିଜ ଝିଅଙ୍କ ବାହାଘର ପୂର୍ବରୁ ପରିବାର ଓ ସାଙ୍ଗସାଥୀଙ୍କ ପାଇଁ ପାର୍ଟିର ଆୟୋଜନ କରିଥିଲେ । ବାହାଘର ପାର୍ଟି ଉପରେ ମହାରାଷ୍ଟ୍ର ସରକାର କଟକଣା ଲଗାଇଥିଲେ ହେଁ ଏହାକୁ ବିଧାୟକ ମହେଶ ଖାତିର କରି ନଥିଲେ । ସେ କେବଳ ପାର୍ଟିର ଆୟୋଜନ କରିନଥିଲେ ବରଂ ପାର୍ଟିରେ ଯୋଗଦେଇଥିବା ଲୋକଙ୍କ ସହ ବିନ୍ଦାସ ନାଚଗୀତର ଆସର ମଧ୍ୟ ଜମାଇଥିଲେ । ପ୍ରାୟ ୬୦ ଜଣଙ୍କ ସହ ମହେଶ ନାଚୁଥିବା ଭିଡିଓରୁ ସ୍ପଷ୍ଟ ହୋଇଥିଲା । ମହାମାରୀ କରୋନା ଦ୍ୱାରା ମହାରାଷ୍ଟ୍ର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ସଂକ୍ରମଣକୁ ରୋକିବା ପାଇଁ ସରକାର ବାହାଘର କାର୍ଯ୍ୟକ୍ରମରେ ସର୍ବାଧିକ ୨୫ ଜଣଙ୍କୁ ଯୋଗଦେବାର ଅନୁମତି ଦେଇଛନ୍ତି । ହେଲେ ବିଧାୟକ ମହେଶ ଖୋଲାଖୋଲି ଭାବେ ଏହାର ଉଲ୍ଲଙ୍ଘନ କରିଛନ୍ତି । ମହେଶ ଆୟୋଜିକ କରିଥିବା ପାର୍ଟିରେ କେହି ବି ମାସ୍କ ପିନ୍ଧି ନଥିଲେ କିମ୍ବା ସାମାଜିକ ଦୂରତାକୁ ପାଳନ କରି ନଥିଲେ । ସେହିପରି ପାର୍ଟି ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନୁମତି ମଧ୍ୟ ଅଣାଯାଇନଥିଲା । ତଥାପି ସମସ୍ତେ ପାର୍ଟିରେ ସାମିଲ ହୋଇଥିଲେ । ଏଥିପାଇଁ ସମସ୍ତଙ୍କ ବିରୋଧରେ ମାମଲା ହୋଇଥିବା ପୁଲିସ କହିଛି ।

Comments (0)
Add Comment