-କଂଟେନର, କାର୍ ସହ ୯ ଲକ୍ଷ ଜବତ
ଜୟପୁର : ଗଞ୍ଜେଇ ଚାଲାଣ ବେଳେ ଜୟପୁର ସଦର ପୋଲିସ ଚଢ଼ଉ କରିଛି । ଏକ କଂଟେନର ଯୋଗେ ଗଞ୍ଜେଇ ଚାଲାଣ ବେଳେ ଜୟପୁର ଘାଟିରେ ସଦର ପୋଲିସ ଚଢ଼ଉ କରିଥିଲା । ଏହି ମାମଲାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି । ଏନେଇ ଆଜି ଜୟପୁର ଏସଡିପିଓ ଅରୁପ ଅଭିଷେକ ବେହେରା ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଏକ କଂଟେନର ନଂ ୟୁପି-୭୮-ସିଏନ-୬୩୭୧ ଯୋଗେ ଗଞ୍ଜେଇ ଉତର ପ୍ରଦେଶ ଚାଲାଣ ହେଉଥିବା ବିଷୟ ସଦର ଥାନା ଅଧିକାରି ଆଦିତ୍ୟ ମହାକୁଡ ଖବର ପାଇ ଚଢ଼ଉ କରିଥିଲେ । ସେଥିରୁ ୪୩୮ କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ।
ଗିରଫ ଅଭିଯୁକ୍ତଙ୍କୁ ପଚାର ଉଚୁରା କରିବା ପରେ ସେମାନଙ୍କ ତଥ୍ୟ ଆଧାରରେ ପୋଲିସ କୋଟପାଡ, ଢାମଣାହାଣ୍ଡି, ଶୁତି ପଦର ଓ ଏରାପାଲି ଉପରେ ଜୟପୁର ସଦର ପୋଲିସ ଓ କୋଟପାଡ ପୋଲିସର ମିଳିତ ଉଦ୍ୟମରେ ଚଢ଼ଉ କରାଯାଇଥିଲା । କୋଟପାଡର ବ୍ରଜେନ୍ଦ୍ର ବ୍ରହ୍ମା ଗଞ୍ଜେଇ କିଣି ବାହାର ରାଜ୍ୟକୁ ପଠାଉ ଥିଲେ । ଉତର ପ୍ରଦେଶର ଉମାଶଙ୍କର ସିଂ ଏହି ଗଞ୍ଜେଇ କିଣୁଥିଲେ । ଏନେଇ ପୋଲିସ ଚଢ଼ଉ କରି କୋଟପାଡର ପ୍ରଭାବଶାଳି ବ୍ୟକ୍ତି ବ୍ରଜେନ୍ଦ୍ର ବ୍ରହ୍ମାଙ୍କ ଘରୁ ୯ ଲକ୍ଷ ଟଙ୍କା ଜବତ କରିଛି । ଏହି ମାମଲାରେ ୬ ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଉତର ପ୍ରଦେଶର ଉମାଶଙ୍କର ସିଂ (୨୬), ରାଇବରିଲିର ତେଜ ବାହାଦୁର ସିଂ (୫୧), କୋଟପାଡର ପ୍ରଭାବଶାଳି ବ୍ୟକ୍ତି ବ୍ରଜେନ୍ଦ୍ର ବ୍ରହ୍ମା (୫୨), ଜୟପୁର ସଦର ଏରାପାଲ୍ଲି ଗ୍ରାମର ବିଶ୍ୱନାଥ ଭଣ୍ଡାରି (୩୦), କୋଟପାଡ ଥାନା ସୁତିପଦର ଗ୍ରାମର ସୁନାଧର ହରିଜନ (୩୬), କୋଟପାଡ କେନ୍ଦୁଗୁଡାର ହୋମଗାର୍ଡ ଅକ୍ଷୟ କୁମାର ସ୍ୱାଇଁ (୩୨)ଙ୍କୁ ଗିରଫ କରିଛି । ପୋଲିସ ଏହି ମାମଲାରେ ଗଞ୍ଜେଇ ଚାଲାଣରେ ବ୍ୟବହୃତ କଂଟେନର, ମାରୁତି ସୁଜିକି କାର୍ ନଂ ସିଜି ୦୪-ଏଚଆର-୪୫୭୯ , ୯ ଲକ୍ଷ ଟଙ୍କା, ୬ଟି ମୋବାଇଲକୁ ଜବତ କରିଛି । ଏହି ସାମ୍ବଦିକ ସମ୍ମିଳନିରେ ସଦର ଥାନା ଅଧିକାରି ଆଦିତ୍ୟ ମହାକୁଡ ମଧ୍ୟ ଉପସ୍ଥିତ ଥିଲେ ।