ମୁଣ୍ଡ ନୁଆଁଇଲା ପାକିସ୍ତାନ :କୁଲଭୂଷଣଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦେବେ

ଇସଲାମାବାଦ, ୧୧ ।୬: ପାକିସ୍ତାନ ଜେଲରେ ବନ୍ଦୀ ହୋଇ ରହିଥିବା କୁଳଭୂଷଣ ଯାଦବଙ୍କ ମାମଲାରେ ମୁଣ୍ଡ ନୁଆଁଇଛି ପାକିସ୍ତାନ । ଆଇସିଜେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପାକିସ୍ତାନ ଏବେ କୁଳଭୂଷଣଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦେବ । ପାକିସ୍ତାନ କୋର୍ଟ କୁଳଭୂଷଣଙ୍କ ବିରୋଧରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି । ଏହି ରାୟକୁ ଚ୍ୟାଲେଞ୍ଜ କରିବା ପାଇଁ କୁଳଭୂଷଣଙ୍କୁ ପକ୍ଷ ରଖିବାକୁ ଦେଉନଥିଲା ପାକିସ୍ତାନ । ପରେ ଭାରତ ପାକିସ୍ତାନର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆଇସିଜେ କୋର୍ଟ ଯାଇଥିଲା । ଏହାପରେ ଏହି ଅନ୍ତର୍ଜାତୀୟ କୋର୍ଟ କୁଳଭୂଷଣଙ୍କୁ ପକ୍ଷ ରଖିବାକୁ ଅନୁମତି ଦେଇଥିଲା । ହେଲେ ପାକିସ୍ତାନ ଦୀର୍ଘଦିନ ହେବ ଏହାକୁ ଗ୍ରହଣ କରିନଥିଲା । ଏବେ ପାକିସ୍ତାନ ଆଇସିଜେ କୋର୍ଟଙ୍କ ରାୟକୁ (ସମୀକ୍ଷା ଏବଂ ପୁନର୍ବିଚାର) ଅଧ୍ୟାଦେଶ ୨୦୨୦କୁ ଅନୁମତି ଦେଇଛି । ଏହାର ଅର୍ଥ ପାକିସ୍ତାନ କୋର୍ଟଙ୍କ ନିଷ୍ପତ୍ତିକୁ କୁଳଭୂଷଣ ଚ୍ୟାଲେଞ୍ଜ କରିପାରିବେ । ପାକିସ୍ତାନର ସଂସଦ ଗୁରୁବାର ଦିନ ପାକିସ୍ତାନରେ ଜେଲରେ ଥିବା ଭାରତୀୟ କୁଲଭୂଷଣ ଯାଦବଙ୍କୁ ଆବେଦନ କରିବାର ଅଧିକାର ପ୍ରଦାନ ପାଇଁ ଏକ ବିଲ୍ ପାରିତ କରିଛି । ଅନ୍ତର୍ଜାତୀୟ ନ୍ୟାୟାଳୟ ପାକିସ୍ତାନ କୋର୍ଟଙ୍କ ନିଷ୍ପତ୍ତିର ସମୀକ୍ଷା ଏବଂ ପୁନର୍ବିଚାର କରିବାକୁ ପାକିସ୍ତାନ ସଂସଦକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ କୁଲଭୂଷଣ ଯାଦବ ୨୦୧୬ ପରଠାରୁ ପାକିସ୍ତାନ ଜେଲରେ ରହିଛନ୍ତି । ପାକିସ୍ତାନର ଗୁପ୍ତଚର ସଂସ୍ଥା କୁଲଭୂଷଣ ଯାଦବଙ୍କୁ ଇରାନରୁ ଅପହରଣ କରି ନେଇଛି । ଭାରତ ସରକାର ଆରମ୍ଭରୁ କହୁଛନ୍ତି ଯେ କୁଲଭୂଷଣ ଯାଦବ ଜଣେ ପୂର୍ବତନ ନୌସେନା ଅଧିକାରୀ ଥିଲେ । ସେ ଏକ ବ୍ୟବସାୟିକ ଚୁକ୍ତି ପାଇଁ ଇରାନ ଯାଇଥିଲେ । ଏଠାରୁ ତାଙ୍କୁ ଅପହରଣ କରାଯାଇଥିଲା ଏବଂ ପରେ ତାଙ୍କୁ ପାକିସ୍ତାନୀ ସେନାକୁ ହସ୍ତାନ୍ତର କରାଯାଇଥିଲା । ହେଲେ ଇସଲାମାବାଦ କୁଲଭୂଷଣଙ୍କୁଙ୍କୁ ଜଣେ ଭାରତୀୟ ଗୁପ୍ତଚର ବୋଲି ଅଭିହିତ କରିଆସୁଛି । ପାକିସ୍ତାନର ଏକ ସାମରିକ କୋର୍ଟ ଦ୍ୱାରା ଯାଦବଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।

Comments (0)
Add Comment