ଜୁଲାଇ ସୁଦ୍ଧା ସିବିଏସ୍ଇ ଦ୍ୱାଦଶ ରେଜଲ୍ଟ : ୩୦:୩୦:୪୦ ଆଧାରରେ ମାର୍କିଂ

ନୂଆଦିଲ୍ଲୀ : କୋଭିଡ-୧୯ର ଦ୍ୱିତୀୟ ଲହର କାରଣରୁ ସରକାର ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିବିଏସଇ ଦଶମ, ଏକାଦଶ ଓ ଦ୍ୱାଦଶ ପରୀକ୍ଷା ବାତିଲ କରିଥିଲେ । ଛାତ୍ରଛାତ୍ରୀଙ୍କର ମେଧାକୁ ଭିତ୍ତିକରି ପରୀକ୍ଷା ଫଳ ପ୍ରକାଶ କରାଯିବାକୁ ଘୋଷଣା କରାଯାଇଥିଲା । ଏହାକୁ ନେଇ ସୁପ୍ରିମକୋର୍ଟରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ଗୁରୁବାର ଦିନ ସରକାର ସର୍ବୋଚ୍ଚ ଅଦାଲତଙ୍କ ନିକଟରେ କହିଛନ୍ତି ଯେ ଆଗାମୀ ଜୁଲାଇ ୩୧ ସୁଦ୍ଧା ସିବିଏସଇ ପରୀକ୍ଷା ଫଳ ଘୋଷଣା କରାଯିବ । ଏ ସମ୍ପର୍କିତ ମାମଲାର ଶୁଣାଣି ସମୟରେ ଭାରତର ଆଟର୍ଣ୍ଣି ଜେନେରାଲ କେ.କେ.ବେଣୁଗୋପାଳ କହିଥିଲେ ଯେ, ଜୁଲାଇ ୩୧ ସୁଦ୍ଧା ସିବିଏସଇ ଦଶମ, ଏକାଦଶ ଓ ଦ୍ୱାଦଶ ପରୀକ୍ଷା ଫଳ ଘୋଷଣା କରିବାକୁ ପଦକ୍ଷେପ ନିଆଯାଉଛି ।

ଏହାଫଳରେ ସିବିଏସ୍ଇ ପରୀକ୍ଷାଫଳ ପ୍ରକାଶନ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରହିଥିବା ଆଶଙ୍କା ଦୂର ହୋଇଛି । ଏଥିସହିତ ଛାତ୍ରଛାତ୍ରୀଙ୍କୁ କେଉଁ ଆଧାରରେ ନମ୍ବର ଦିଆଯିବ ତାହା ମଧ୍ୟ ବିସ୍ତୃତ ଭାବରେ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ଉପସ୍ଥାପନ କରାଯାଇଛି । ଆଟର୍ଣ୍ଣି ଜେନେରାଲ ଶ୍ରୀ ବେଣୁଗୋପାଳ କହିଥିଲେ ଯେ, ସିବିଏସଇ ଦଶମ ଓ ଏକାଦଶ ଶ୍ରେଣୀରେ ଛାତ୍ରଛାତ୍ରୀ ପାଞ୍ଚଟି ବିଷୟ ମଧ୍ୟରୁ ଯେଉଁ ତିନିଟି ବିଷୟରେ ସର୍ବାଧିକ ନମ୍ବର ରଖିଥିବେ ତାହା ବିଚାରକୁ ନିଆଯିବ । ଦ୍ୱାଦଶ ଶ୍ରେଣୀ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ୟୁନିଟ, ଟର୍ମ ଏବଂ ପ୍ରାକ୍ଟିକାଲ ପରୀକ୍ଷାର ନମ୍ବରକୁ ହିସାବକୁ ନିଆଯିବ । ଯେଉଁ ଛାତ୍ରଛାତ୍ରୀ ଏହି ନମ୍ବର ଅଥବା ଗ୍ରେଡ୍ରେ ସନ୍ତୁଷ୍ଟ ହେବେନାହିଁ, ସେମାନେ ପୂର୍ବ ବ୍ୟବସ୍ଥା ଅନୁଯାୟୀ ଲିଖିତ ପରୀକ୍ଷା ଦେଇପାରିବେ ।

ସୂଚନାଯୋଗ୍ୟ ଯେ ସିବିଏସଇ ପରୀକ୍ଷା ବାତିଲ ହେବାପରେ ଛାତ୍ରଛାତ୍ରୀଙ୍କୁ ନମ୍ବର ଅଥବା ଗ୍ରେଡ୍ ପ୍ରଦାନ କରିବା ପାଇଁ ୧୨ ସଦସ୍ୟଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି । ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ତଥା ବରିଷ୍ଠ ଆଇଏଏସ ଅଧିକାରୀ ବିପିନ କୁମାର ମଧ୍ୟ ସଦସ୍ୟ ରହିଛନ୍ତି । କମିଟି ନିର୍ଦ୍ଧାରଣ କରିଥିବା ନୀତି ଅନୁଯାୟୀ ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ନିମନ୍ତେ ପ୍ରତି ବର୍ଷର ଆଭ୍ୟନ୍ତରୀଣ ଆକଳନ ନିମନ୍ତେ ପ୍ରତ୍ୟେକ ବିଷୟ ପାଇଁ ୨୦ ନମ୍ବର ଏବଂ ବର୍ଷ ତମାମ ଛାତ୍ରଛାତ୍ରୀ ବିଭିନ୍ନ ପରୀକ୍ଷାରେ କରୁଥିବା ପ୍ରଦର୍ଶନ ଭିତ୍ତିରେ ୮୦ ନମ୍ବରକୁ ହିସାବକୁ ନିଆଯିବ ।