୩୬ଟି ଭାଷାରେ ଅନୁଦିତ ରେବତୀ ଗଳ୍ପ ସଂକଳନ ପ୍ରକାଶ ପାଇଲା

ଭୁବନେଶ୍ୱର : ବ୍ୟାସକବି ଫକୀରମୋହନଙ୍କ ପ୍ରସିଦ୍ଧ ଗଳ୍ପ ରେବତୀ ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି ।ଏହି ଗଳ୍ପଟି ଏବେ ଦେଶ ବିଦେଶର ୩୬ଟି ଭାଷାରେ ଅନୁଦିତ ହୋଇଛି । ନିକଟରେ ଏହି ଅନୁଦିତ ଗଳ୍ପର ସଂକଳନ ସ୍ପିକିଙ୍ଗ ଇନ ଟଙ୍ଗସ ଲୋକାର୍ପିତ ହୋଇଯାଇଛି । ଭୁବନେଶ୍ୱରର ଧଉଳି ବୁକ୍ସ ପକ୍ଷରୁ ଏହି ଅଭିନବ ଉଦ୍ୟମ କରାଯାଇଛି । କଲେରା ରୋଗରେ କିଭଳି ଏକ ପରିବାର ଧ୍ୱସ୍ତ ହୋଇଛି ସେହି ପୃଷ୍ଠଭୂମିରେ ୧୮୯୮ରେ ଲିଖିତ ବ୍ୟାସକବିଙ୍କ ଏହି ଗଳ୍ପଟି ଅନ୍ଧବିଶ୍ୱାସର ଦୂରୀକରଣ ଓ ଶିକ୍ଷାର ବିକାଶ ଉପରେ ଆଧାରିତ । ଭାରତର ୨୪ଟି ଭାଷା ଓ ବିଦେଶର ୧୨ଟି ଭାଷାରେ ରେବତୀ ଅନୁଦିତ ହେବା ଏକ ବିରଳ ସାହିତ୍ୟିକ ଉଦ୍ୟମ । ବିଶ୍ୱସ୍ତରରେ ଏକ ନିର୍ଦ୍ଦିଷ୍ଟ କୌଣସି ଗଳ୍ପ ଏତେଗୁଡ଼ିଏ ଭାଷାରେ ଅନୁବାଦ ହୋଇଥିବାର ଦୃଷ୍ଟାନ୍ତ ନାହିଁ ବୋଲି କହିଛନ୍ତି ସଂକଳକ ଓ ସମ୍ପାଦକ ମନୁ ଦାଶ । ବିଶ୍ୱ
ପ୍ରକାଶନ ଇତିହାସରେ ମଧ୍ୟ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି । ଜାପାନ, ଉଜବେକିସ୍ଥାନ, ଋଷିଆ, ତୁର୍କୀ, ସ୍ପେନ, ପୋଲାଣ୍ଡ, ନେପାଳ ଓ ଅନ୍ୟାନ୍ୟ ବହୁ ଦେଶର ଭାଷାରେ ରେବତୀ ଗଳ୍ପର ଅନୁବାଦ କରିଛନ୍ତି ସେହିସବୁ ଭାଷାର ପ୍ରତିଷ୍ଠିତ ଲେଖକ ଓ ଅନୁବାଦକ ।

ଏହି ସଂକଳନରେ ମୁଖବନ୍ଧ ଲେଖିଛନ୍ତି ପ୍ରଖ୍ୟାତ ଲେଖକ ଚନ୍ଦ୍ରହାସ ଚୌଧୁରୀ । ଏହାର ବିସ୍ତୃତ ତଥା ପାଣ୍ଡିତ୍ୟପୂର୍ଣ୍ଣ ଉପକ୍ରମଣିକା ଲେଖିଛନ୍ତି ଦେବେନ୍ଦ୍ର କୁମାର ଦାଶ ଓ ପ୍ରଫେସର ହିମାଂଶୁ ମହାପାତ୍ର । ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାସ ପୁସ୍ତକର ପ୍ରଚ୍ଛଦ ଚିତ୍ର ଆଙ୍କିଥିବା ବେଳେ କରନେଲ ବିଶ୍ୱବିଦ୍ୟାଳୟର ଇଂରେଜୀ ବିଭାଗ ପ୍ରଫେସର ସତ୍ୟ ପି ମହାନ୍ତି, ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ବିଶିଷ୍ଟ କବି ସୀତାକାନ୍ତ ମହାପାତ୍ର, ବିଶିଷ୍ଟ ଲେଖିକା ନମିତା ଗୋଖଲେ, ପ୍ରଫେସର ଡେଭିଡ଼ କ୍ରିଷ୍ଟଲ, ବିଶିଷ୍ଟ ଭାଷାବିତ ବିଏନ ପଟ୍ଟନାୟକ, ଉକ୍ରଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଇଂରେଜୀ ବିଭାଗ ପ୍ରଫେସର ଯତୀନ ନାୟକ ପ୍ରମୁଖ ଏହି ସଂକଳନ ସମ୍ପର୍କରେ ନିଜ ମତ ପ୍ରକାଶ କରିଛନ୍ତି । ଏହି ବହୁଭାଷୀ ଗଳ୍ପ ସଂକଳନଟି ଗବେଷକ, ତୁଳନାତ୍ମକ ସାହିତ୍ୟର ଛାତ୍ର ଓ ବିଶ୍ୱ ସାହିତ୍ୟରେ ଯେଉଁମାନେ ଆଗ୍ରହ ରଖୁଛନ୍ତି ତାଙ୍କ ପାଇଁ ଉପାଦେୟ ହେବ ବୋଲି କହିଛନ୍ତି ମନୁ ଦାଶ ।