ଜୁଲାଇ ୧୬ ଯାଏଁ ବଢିଲା ଆଂଶିକ ଲକ୍‌ଡାଉନ୍

ଭୁବନେଶ୍ୱର ୩୦।୬:  ରାଜ୍ୟରେ ଆଂଶିକ ଲକ୍‌ଡାଉନ୍ ଜାରି ରହିବ । ଜୁଲାଇ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍ ଜାରି ରହିବ । ମାନିବାକୁ ପଡିବ କରୋନା କଟକଣା । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଘୋଷଣା ଅନୁଯାୟୀ, ରାଜ୍ୟର ସମସ୍ତ ଜିଲ୍ଲାରେ ୧ ଜୁଲାଇ ସକାଳ ୫ଟାରୁ ୧୬ ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ । ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଜାରି ରହିବ । ରାଜ୍ୟର ୩୦ଟି ଜିଲ୍ଲାକୁ ଦୁଇଟି କାଟେଗୋରୀ ଯଥା- ‘A’ ଏବଂ ‘B’ରେ ବିଭକ୍ତ କରାଯାଇଛି । କାଟେଗୋରୀ ‘A’ରେ ରହିଛି ୨୦ଟି ଜିଲ୍ଲା । ଏହି ଜିଲ୍ଲାଗୁଡିକ ହେଲା ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା । କାଟେଗୋରୀ ‘A’ରେ ଥିବା ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଏହି ଜିଲ୍ଲାଗୁଡିକରେ ବସ୍‌ ପରିବହନ ସେବା ଏବଂ ସେଲୁନ ଖୋଲିବାକୁ ଅନୁମତି ମିଳିଛି । ଫିଲ୍ମ ଓ ସିରିଏଲର ଇନ୍‌ଡୋର ଏବଂ ଆଉଟଡୋର୍ ସୁଟିଂକୁ ମଧ୍ୟ ଏହିସବୁ ଜିଲ୍ଲାରେ ଅନୁମତି ମିଳିଛି । ସପିଙ୍ଗ ମଲ୍‌ ଓ ବିୟୁଟି ପାର୍ଲର, ସ୍ପା ପୂର୍ବଭଳି ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ଏହି ଜିଲ୍ଲାଗୁଡିକରେ ସପ୍ତାହାନ୍ତ ସଟ୍‌ଡାଉନ୍‌କୁ ଉଠାଇ ଦିଆଯାଇଛି । ଏହି ୨୦ ଜିଲ୍ଲାରେ ଖୋଲିପାରିବ ସାପ୍ତାହିକ ହାଟ । ସେହିଭଳି ୫%ରୁ ଅଧିକ ସଂକ୍ରମଣ ଥିବା ୧୦ଟି ଜିଲ୍ଲାକୁ କାଟେଗୋରୀ ‘B’ରେ ରଖାଯାଇଛି । ଏହି ୧୦ ଜିଲ୍ଲାରେ କଟକଣା ବଳବତ୍ତର ରହିଛି । ଏହି ୧୦ ଜିଲ୍ଲା ହେଉଛି ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ବର, ଭଦ୍ରକ ଏବଂ ମୟୂରଭଞ୍ଜ । ଏହି କାଟେଗୋରୀରେ ଥିବା ଜିଲ୍ଲାଗୁଡିକରେ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । କାଟେଗୋରୀ ‘B’ରେ ଥିବା ୧୦ ଜିଲ୍ଲାରେ ଫିଲ୍ମ ଓ ସିରିଏଲର ଇନ୍‌ଡୋର ସୁଟିଂ ବନ୍ଦ ଓ ଆଉଟ୍‌ଡୋର ସୁଟିଂ ପାଇଁ ଅନୁମତି ରହିଛି । ସେପଟେ ସାରା ରାଜ୍ୟରେ ବନ୍ଦ ରହିବ ସବୁ ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନ, ସିନେମା ହଲ୍‌, ଅପେରା, ରାଜନୈତିକ ସମାବେଶ ପୂର୍ବଭଳି ବନ୍ଦ ରହିବ ।

Comments (0)
Add Comment