ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ! ତାଲିକାରେ ୨୦ନୂଆ ମୁହଁ, ଓଡ଼ିଶାରୁ ଅଶ୍ୱିନୀଙ୍କ ନାଁକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ମୋଦୀ କ୍ୟାବିନେଟ୍ ବିସ୍ତାର ହେବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମଙ୍ଗଳବାର ହଠାତ୍ ୮ ରାଜ୍ୟକୁ ମିଳିଛନ୍ତି ନୂଆ ରାଜ୍ୟପାଳ । ନୂଆ ରାଜ୍ୟପାଳ ସହ କିଛି ଅଦଳବଦଳ ହୋଇଥିବା ରାଷ୍ଟ୍ରପତି ଭବନରୁ ଜାରି ବିଜ୍ଞପ୍ତିରୁ ଜଣାପଡିଛି । ତେବେ ବଡ କଥାଟି ହେଲା କେନ୍ଦ୍ରମନ୍ତ୍ରୀ ଥିବା ଥାୱରଚାନ୍ଦ ଗେହଲଟଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ୮ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେବା ପରେ ଏବେ ଆସନ୍ତା କେଇ ଘଣ୍ଟା ମଧ୍ୟରେ ହେବାକୁ ଥିବା କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ଚର୍ଚ୍ଚା ବଢିଛି । ବେଶୀ ଚର୍ଚ୍ଚା ସନ୍ତୁଷ୍ଟି ଫର୍ମୁଲାକୁ ନେଇ । ମନ ମାରିଥିବା କିଛି ଦଳୀୟ ତୁଙ୍ଗ ନେତାଙ୍କ ସହ ସହଯୋଗୀ ଦଳର ସଦସ୍ୟଙ୍କୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସ୍ଥାନ ମିଳିପାରେ ।

ରାଜନୈତିକ ବିଶ୍ଳେଷକଙ୍କ ଆଲୋଚନାରୁ ଚଳିତ ସରକାରର ସାମର୍ଥ୍ୟ ଅନୁଯାୟୀ ଆଉ ୨୮ ଜଣ ନୂଆ ମନ୍ତ୍ରୀଙ୍କୁ କ୍ୟାବିନେଟରେ ସାମିଲ କରିପାରନ୍ତି । କେନ୍ଦ୍ରର ମୋଦୀ ସରକାରଙ୍କ କ୍ୟାବିନେଟ୍ ବିସ୍ତାର ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ରାଜସ୍ଥାନରୁ ସାମାଜିକ ନ୍ୟାୟ ତଥା ସଶକ୍ତିକରଣ ମନ୍ତ୍ରୀ ଥିବା ଥାୱରଚାନ୍ଦ ଗେହଲଟଙ୍କୁ ମନ୍ତ୍ରୀପଦରୁ ବାଦ ଦିଆଯାଇ କର୍ଣ୍ଣାଟକର ରାଜ୍ୟପାଳ କରାଯାଇଛି । ଏହା ସହିତ ହରିବାବୁ କମ୍ଭମପତିଙ୍କୁ ମିଜୋରାମ ରାଜ୍ୟପାଳ, ମଙ୍ଗୁଭାଇ
ଛଗନଭାଇଙ୍କୁ ମଧ୍ୟପ୍ରଦେଶ ରାଜ୍ୟପାଳ, ବନ୍ଦରୁ ଦତ୍ତାତ୍ରାୟ ହରିୟାଣାର ରାଜ୍ୟପାଳ ହୋଇଛନ୍ତି । ସେହିଭଳି ରାଜେନ୍ଦ୍ର ବିଶ୍ୱନାଥ ଆରଲେକର ହିମାଚଳ ପ୍ରଦେଶର ରାଜ୍ୟପାଳ ହୋଇଥିବା ବେଳେ ପିଏସ୍ ଶ୍ରୀଧରନ୍ ପିଲ୍ଲାଇ ଗୋଆ ରାଜ୍ୟପାଳ ହୋଇଛନ୍ତି । ପିଲ୍ଲାଇ ପୂର୍ବରୁ ମିଜୋରାମ ରାଜ୍ୟପାଳ ଥିଲେ । ସତ୍ୟଦେବ ନାରାୟଣ ଆର୍ଯ୍ୟ ତ୍ରିପୁରାର ରାଜ୍ୟପାଳ ହୋଇଛନ୍ତି । ସେ ପୂର୍ବରୁ ହରିୟାଣା ରାଜ୍ୟପାଳ ଥିଲେ । ରମେଶ ବୈଶ ହୋଇଛନ୍ତି ଝାଡଖଣ୍ଡ ରାଜ୍ୟପାଳ । ସେ ପୂର୍ବରୁ ତ୍ରିପୁରା ରାଜ୍ୟପାଳ ଥିଲେ ।

କେନ୍ଦ୍ରମନ୍ତ୍ରୀରୁ ରାଜ୍ୟପାଳ ପଦ ପାଇଥିବା ଥାୱରଚାନ୍ଦ ଗେହଲଟ୍ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, “ରାଜ୍ୟପାଳ ଭାବେ ଲୋକଙ୍କ ସେବା କରିବା ପାଇଁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ସୁଯୋଗ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରୁଛି । ବିଶ୍ୱସନୀୟତା ଭାବେ ମୋର କାର୍ଯ୍ୟ ଜାରି ରଖିବି । ସାମ୍ବିଧାନିକ ମର୍ଯ୍ୟାଦା ଅକ୍ଷୁଣ୍ଣ ରଖିବା ସହିତ ଆଲୋଚନା ମାଧ୍ୟମରେ ସମସ୍ୟାଗୁଡିକର ସମାଧାନ କରିବାକୁ ଚେଷ୍ଟା କରିବି ।’ ଏହା ସହିତ ସେ ବୁଧବାର କେନ୍ଦ୍ରମନ୍ତ୍ରୀ ପଦ ଏବଂ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବେ ଦେବେ ବୋଲି କହିଛନ୍ତି । ସେ ରାଜ୍ୟସଭାର ନେତା ଏବଂ ହାଇ ପ୍ରୋଫାଇଲ ପାର୍ଲିଆମେଣ୍ଟାରୀ ବୋର୍ଡର ସଦସ୍ୟ ମଧ୍ୟ ଥିଲେ । ଯାହାକି ଏବେ ଖାଲି ରହିବ । ସେପଟେ ମୋଦୀ କ୍ୟାବିନେଟ୍ ବିସ୍ତାର ହେବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ କାହାକୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ, ଖାଲି ପଡିଥିବା ବିଭାଗ ଗୁଡିକୁ କାହାକୁ ଦିଆଯିବ ଏବଂ କେଉଁମାନଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯିବ ସେ ନେଇ ଘନଘନ ବୈଠକ ଜାରି ରହିଛି । ଅନେକ ନୂଆ ମୁହଁଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି । ଆସନ୍ତା ଜୁଲାଇ ୭ ତାରିଖରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବାନେଇ ଅନୁମାନ କରାଯାଉଛି ।

ମନ୍ତ୍ରିମଣ୍ଡଳରେ କେତେଜଣ ନୂଆମୁହଁଙ୍କୁ ସାମିଲ କରାଯିବା ନେଇ ଚର୍ଚ୍ଚା ହେଉଥିବା ବେଳେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ହେଭିୱେଟ୍ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାଁ ଆଗରେ ରହିଛି । ସେହିଭଳି ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ ମଧ୍ୟ ମନ୍ତ୍ରୀ ପଦ
ମିଳିପାରେ । ବର୍ତ୍ତମାନ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ୫୩ ଜଣ ସଦସ୍ୟ ଅଛନ୍ତି । କିନ୍ତୁ ମନ୍ତ୍ରିମଣ୍ଡଳରେ ମୋଟ ୮୧ ଜଣ ସଦସ୍ୟ ରହିବା କଥା । ଅବଶିଷ୍ଟ ୨୮ଟି ବିଭାଗ ଖାଲିପଡିଥିବାରୁ ସେହି ସ୍ଥାନରେ କିଛି ନୂଆମୁହଁଙ୍କୁ ସାମିଲ କରାଯାଇପାରେ । ଓଡ଼ିଶାରୁ କିଏ ମନ୍ତ୍ରୀ ପଦ ପାଇବେ ତାକୁ ନେଇ ଏବେ ଚର୍ଚ୍ଚା ହେଉଛି । ତା ମଧ୍ୟରୁ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଆଗରେ ଅଛି । ପଶ୍ଚିମ ଓଡ଼ିଶରେ ଜୁଏଲ ଓରାମ, ସଂଗୀତା ସିଂହଦେଓ, ସୁରେଶ ପୂଜାରୀ, ଉପକୂଳ ଓଡ଼ିଶାରୁ ଅପରାଜିତ ଷଡ଼ଙ୍ଗୀ ଓ ଅଶ୍ୱିନୀ ବୈଷ୍ଣବଙ୍କ ମଧ୍ୟରୁ କାହାକୁ ଜଣକୁ ମନ୍ତ୍ରୀ ପଦ ମିଳିପାରେ ।

୮ ରାଜ୍ୟରେ ନୂଆ ରାଜ୍ୟପାଳ :

ବଦଳିଲେ ୮ ରାଜ୍ୟର ରାଜ୍ୟପାଳ । ଏ ନେଇ ମଙ୍ଗଳବାର ରାଷ୍ଟ୍ରପତି ଭବନରୁ ଏକ ପ୍ରେସ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅନୁମୋଦନ ପରେ ୮ ରାଜ୍ୟର ରାଜ୍ୟପାଳ ବଦଳିଛନ୍ତି । ଥାୱରଚାନ୍ଦ ଗେହଲଟଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତିୁ ରାଷ୍ଟ୍ରପତି । ସେହିଭଳି ହରି ବାବୁ କମଭାମପତିଙ୍କୁ ମିଜୋରାମ, ମଙ୍ଗୁଭାଇ ଛଗନଭାଇ ପଟେଲଙ୍କୁ ମଧ୍ୟପ୍ରଦେଶ, ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ହିମାଚଳପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି । ଅନ୍ୟପଟେ ମିଜୋରାମର ରାଜ୍ୟପାଳ ଥିବା ଶ୍ରୀଧରନ ପିଲାଇଙ୍କୁ ଗୋଆ ରାଜ୍ୟପାଳ, ହରିୟାଣାର ରାଜ୍ୟପାଳ ଥିବା ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ତ୍ରିପୁରା ରାଜ୍ୟପାଳ, ତ୍ରିପୁରା ରାଜ୍ୟପାଳ ଥିବା ରମେଶ ବୈଶଙ୍କୁ ଝାଡଖଣ୍ଡ, ହିମାଚଳ ପ୍ରଦେଶ ରାଜ୍ୟପାଳ ଥିବା ବନ୍ଦାରୁ ଦତ୍ତାତ୍ରେୟଙ୍କୁ ହରିୟାଣା ରାଜ୍ୟପାଳ ଭାବେ ରାଷ୍ଟ୍ରପତି ନିଯୁକ୍ତ କରିଛନ୍ତି ।