ଡେଲ୍ଟା ଆଗରେ ଫିକା ପଡ଼ୁଛି ଟିକା !

ନୂଆଦିଲ୍ଲୀ : କରୋନା ଭ୍ୟାକସିନର ଅନ୍ତତଃ ଗୋଟିଏ କିମ୍ବା ଉଭୟ ଡୋଜ ନେବା ପରେ ମଧ୍ୟ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ୮୦ ପ୍ରତିଶତ ଲୋକ ଡେଲଟା ଭାରିଆଣ୍ଟର ଶିକାର ହୋଇଥିଲେ । ଆଇସିଏମ୍ଆର୍ ଏକ ନୂତନ ରିପୋର୍ଟରେ ଏହା ଦାବି କରିଛି । ଟିକାକରଣ ପରେ ମଧ୍ୟ ସଂକ୍ରମିତ ହେଉଥିବା ଲୋକଙ୍କ ଉପରେ ଏହା ହେଉଛି ଆଇସିଏମ୍ଆରର ପ୍ରଥମ ଅଧ୍ୟୟନ । ସଂଗଠନ ଏହା ମଧ୍ୟ କହିଛି ଯେ ଟିକା ନେବା ପରେ ଲୋକମାନେ ସଂକ୍ରମିତ ହୋଇଥିଲେ । କିନ୍ତୁ ଏଥିରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଓ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା କମ୍ ରହିଛି । ଏହି ପରିପ୍ରେକ୍ଷୀରେ କେବଳ ୯.୮ ପ୍ରତିଶତ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା ଓ ମୃତ୍ୟୁହାର ୦.୪ ପ୍ରତିଶତ ଥିଲା । ଟିକାକରଣ ପରେ ସଂକ୍ରମଣକୁ “ବ୍ରେକଥ୍ରୁ ସଂକ୍ରମଣ’କୁହାଯାଏ ।

ଭାରତରେ “ବ୍ରେକଥ୍ରୁ ଇନ୍ଫେକ୍ସନ୍’ ମାମଲାର ଅନୁସନ୍ଧାନ ପାଇଁ ଏହା ହେଉଛି ସବୁଠାରୁ ବଡ ଏବଂ ପ୍ରଥମ ଦେଶବ୍ୟାପୀ ଅଧ୍ୟୟନ । ସୂଚନାଯୋଗ୍ୟ ଯେ, ଏପରି କ୍ଷେତ୍ରରେ ବ୍ୟକ୍ତିଙ୍କୁ ଟିକାକରଣ କରାଯାଇଥିବାରୁ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକତା କମ୍ ପଡିଛି ଏବଂ ସଂକ୍ରମଣ ହେତୁ ମୃତ୍ୟୁ ମାମଲା ମଧ୍ୟ ହ୍ରାସ ପାଉଛି । ଅଧ୍ୟୟନରେ କୁହାଯାଇଛି ଯେ କୋଭିଡର ଘାତକ ଲହରକୁ ରୋକିବାକୁ ଟିକାକରଣ ଅଭିଯାନ ବଢାଇବା ଏବଂ ଲୋକଙ୍କୁ ଯଥାଶୀଘ୍ର ଟିକାକରଣ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣନୀତି ହେବ । ଏହାଦ୍ୱାରା ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ବୋଝ ମଧ୍ୟ ହ୍ରାସ ପାଇବ । ଆଇସିଏମ୍ଆର୍ ୬୭୭ ଜଣଙ୍କ ନମୂନା ସଂଗ୍ରହ କରିଥିଲା, ଯେଉଁମାନେ କୋଭିସିଲ୍ଡ ଏବଂ କୋଭାକ୍ସିନ ଆଣ୍ଟି-କୋଭିଡ ଟିକାର ଗୋଟିଏ କିମ୍ବା ଦୁଇଟି ଡୋଜ୍ ନେଇ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ଏହି ନମୂନାଗୁଡିକ ୧୭ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରୁ ନିଆଯାଇଥିଲା । ଅଧ୍ୟୟନରୁ ଜଣାପଡିଛି ଯେ ଅଧିକାଂଶ କ୍ଷେତ୍ରରେ (୮୬.୦୯ ପ୍ରତିଶତ) ସଂକ୍ରମଣର କାରଣ ହେଉଛି କରୋନାର ଡେଲଟା ଭାରିଏଣ୍ଟ ଏବଂ କେବଳ ୯.୮ ପ୍ରତିଶତ ସଂକ୍ରମିତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା । ୦.୪ ପ୍ରତିଶତ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

ଏଥିରେ କୁହାଯାଇଛି ଯେ ଭାରତର ଅଧିକାଂଶ ଅଞ୍ଚଳରେ ଏଭଳି ମାମଲାର କାରଣ ହେଉଛି ଡେଲଟା ଭାରିଆଣ୍ଟ । କିନ୍ତୁ ଉତ୍ତରପ୍ରଦେଶରେ କରୋନାର ଆଲଫା ଭାରିଆଣ୍ଟ ପୁନଃ ସଂକ୍ରମଣର କାରଣ ପାଲଟିଛି । ଅଧ୍ୟୟନ ପାଇଁ ମହାରାଷ୍ଟ୍ର, କେରଳ, ଗୁଜୁରାଟ, ଉତ୍ତରପ୍ରଦେଶ,କର୍ଣ୍ଣାଟକ, ମଣିପୁର, ଆସାମ, ଜାମ୍ମୁ କାଶ୍ମୀର, ଚଣ୍ଡିଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶ, ପଞ୍ଜାବ, ପୁଡୁଚେରୀ, ନୂଆଦିଲ୍ଲୀ, ପଶ୍ଚିମବଙ୍ଗ,ତାମିଲନାଡୁ ଏବଂ ଝାଡ଼ଖଣ୍ଡରୁ ନମୂନା ସଂଗ୍ରହ କରାଯାଇଥିଲା । ଅଧ୍ୟୟନ ପାଇଁ ଯେଉଁମାନଙ୍କ ନମୂନା ନିଆଯାଇଥିଲା ସେମାନଙ୍କ ମଧ୍ୟରୁ ୬୦୪ ରୋଗୀ କୋଭିଶିଲ୍ଡ ଟିକା, ୭୧ଜଣ କୋଭାକ୍ସିନ ଏବଂ ଦୁଇଜଣ ସାଇନୋଫାର୍ମ ଟିକା ନେଇଥିଲେ ।