ଜନ୍ମଗତ ଦୁଇ ହୃଦରୋଗୀ ଶିଶୁଙ୍କୁ ସାହା ହେଲା ଆରବିଏସକେ ଟିମ୍

-ଅଧିକ ଚିକିତ୍ସା ପାଇଁ ଗୁଜୁରାଟ ପଠାଗଲା

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ଆର୍ ବିଏସକେ ଟିମ୍ ତରଫରୁ ଦୁଇଟି ଜନ୍ମଗତ ହୃଦ୍ ରୋଗୀ ଶିଶୁଙ୍କୁ ଉନ୍ନତ ଚିକିତ୍ସା ପାଇଁ, ଗୁଜୁରାଟର ଅହମ୍ମଦାବାଦରେ ଥିବା ସତ୍ୟସାଇ ହାର୍ଟ ହସ୍ପିଟାଲକୁ ପଠାଯାଇଛି ।

ସୂଚନାଯୋଗ୍ୟ, ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏମଏଚଟି -ବି ରେ କାର୍ଯ୍ୟରତ ଆୟୁଷ ଡାକ୍ତର ରବୀନ୍ଦ୍ର ସେଠୀ (ହୋମିଓପାଥିକ), ଡାକ୍ତର ବିଜୟଲକ୍ଷ୍ମୀ ପୃଷ୍ଟି (ଆୟୁର୍ବେଦ), ଫାର୍ମାସିଷ୍ଟ ସନ୍ୟାସି ବେହେରା, ଏବଂ ଏଏନଏମ୍ ଶସ୍ମିତା ପ୍ରଧାନ ଗାଁକୁ ଗାଁ ବୁଲି ଜନ୍ମରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଥିବା ସମୟରେ ଗଞ୍ଜାମ ସାମନ୍ତରା ଷ୍ଟ୍ରିଟ ର ତୃପ୍ତିମୟୀ ରାଉଳ (୬ ବର୍ଷ) ଏବଂ ପ୍ରୟାଗି ଗ୍ରାମର ସାଇଶଙ୍କର ଛଟେଇ (୩ ବର୍ଷ) ଙ୍କର ଜନ୍ମଗତ ହୃଦ୍ ରୋଗ ଥିବାର ଜାଣି, ଜିଲ୍ଲା ଡିଇଆଇସିକୁ ପଠାଇ ଥିଲେ । ସେଠାରେ ସେମାନଙ୍କ ଇକୋ ପରୀକ୍ଷା କରାଯାଇ, ଅସ୍ତ୍ରୋପଚାର ପାଇଁ ଉଭୟଙ୍କୁ ରେଳ ଯୋଗେ, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ବାସ୍ଥ୍ୟ ଅଧିକାରୀ ଏବଂ ଜିଲ୍ଲା ଆରବିଏସକେ ସହପରିଚାଳକଙ୍କ ଉପସ୍ଥିତରେ ଓ ଆୟୁଷ ଡାକ୍ତର ସିମାଞ୍ଚଳ ପଣ୍ଡାଙ୍କ ନେତୃତ୍ବରେ, ଗୁଜୁରାଟର ଅହମ୍ମଦାବାଦ ସ୍ଥିତ ସତ୍ୟସାଇ ହାର୍ଟ ଇନଷ୍ଟିଚ୍ୟୁଟକୁ ପଠାଯାଇଛି ।

ସୂଚନାଯୋଗ୍ୟ, ଖଣ୍ଡଦେଉଳି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ସୌମ୍ୟକାନ୍ତ ମହାପାତ୍ର, ବିପିଏମ ସରୋଜ ମହାନ୍ତି ଏହି ଶିଶୁମାନଙ୍କ ଆଶୁ ଆରୋଗ୍ୟ କାମନା କରିଥିବା ବେଳେ, ଆଗାମୀ ଦିନ ରେ ଆରବିଏସକେ ପ୍ରୋଗ୍ରାମ ମାଧ୍ୟମରେ ଅଧିକରୁ ଅଧିକ ଶିଶୁଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ଡାକ୍ତର ସୌମ୍ୟକାନ୍ତ ମହାପାତ୍ର କହିଛନ୍ତି ।