ଟଳିଲା ବନ୍ୟା ଆଶଙ୍କା

-କମୁଛି ହୀରାକୁଦ ଜଳସ୍ତର
-ଖସୁଛି ସୁବର୍ଣ୍ଣରେଖା ପାଣି
-ଏବେ ବି ବହୁ ଗାଁ ଜଳବନ୍ଦୀ
-ବଢ଼ୁଛି ବିପନ୍ନଙ୍କ ଦୁର୍ଦ୍ଦଶା

ଭୁବନେଶ୍ୱର : ମହାନଦୀରେ ନାହିଁ ବନ୍ୟା ଆଶଙ୍କା । ହୀରାକୁଦ ଡ୍ୟାମ୍କୁ ଜଳପ୍ରବେଶ କମିଛି । ବନ୍ଦ ହେଉଛି ଗୋଟିଏ ପରେ ଗୋଟିଏ ଗେଟ୍ । ଜଳଭଣ୍ଡାରରେ ଜଳସ୍ତର ଖସିଛି । ତେଣୁ ମହାନଦୀରେ ଟଳିଛି ବନ୍ୟା ଆଶଙ୍କା । ଆଉ କୌଣସି ବିପଦ ନାହିଁ । ମୁଣ୍ଡଳୀଠାରେ ଜଳସ୍ତର ସାମାନ୍ୟ ବଢ଼ିଥିଲେ ବି ଆଗକୁ ଏଭଳି ସ୍ଥିତି ରହିବ ନାହିଁ । ମୁଣ୍ଡଳୀରେ ୬ଲକ୍ଷ ୬୭ହଜାର କ୍ୟୁସକ୍ ଜଳ ପ୍ରବାହିତ ହେଉଛି । ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖାରେ ବି କମିଛି ଜଳସ୍ତର । ଏସବୁ ନଦୀ ଆଡୁ ବନ୍ୟା ବିପଦ ନାହିଁ । କିଛି ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହିଛି । ବର୍ଷା କମିବା ସହିତ ନଦୀରୁ ପାଣି ଖସୁଛି । ଗାଁ ଗଣ୍ଡାରୁ ପାଣି ଛାଡୁଛି । କିନ୍ତୁ ବିପନ୍ନଙ୍କ ଦୁଃଖଦୁର୍ଦ୍ଦଶା । ନଦୀ ଅବବାହିକା ଅଞ୍ଚଳର ବହୁ ଗାଁ ଏବେ ବି ଜଳବନ୍ଦୀ । ଘରଦ୍ୱାର, ବିଲବାଡି ସବୁ କିଛି ଏକାକାର । ଆଖି ଯୁଆଡେ ଯାଉଛି କେବଳ ପାଣି ହିଁ ପାଣି । ବିଶୁଦ୍ଧ ପାଣି ମୁନ୍ଦାଏ ପାଇଁ ଲୋକେ ଡଳହବିକଳ ହେଉଛନ୍ତି । ଛାତିଏ ପାଣିରେ ପଶି ଲୋକେ ପିଇବା ପାଣି ଆଣୁଛନ୍ତି । ବାଲେଶ୍ୱର ଜିଲ୍ଲାରେ ସୁବର୍ଣ୍ଣରେଖା ଓ ଜଳକା ନଦୀର ପାଣି ଏବେ ବି ବହୁ ଗାଁରେ ଲହଡି ଭାଙ୍ଗୁଛି । ଭଦ୍ରକ ଜିଲ୍ଲାରେ ମଧ୍ୟ ବିପନ୍ନଙ୍କ ଅବସ୍ଥା ଦୁର୍ବିସହ ହୋଇପଡ଼ିଛି । ରାସ୍ତାଘାଟ, ଘରଦ୍ୱାର, ଜମିବାଡି ସବୁ ଏକାକାର । ଲୋକଙ୍କ ଘରେ ଚୁଲି ବି ଜଳୁନି । ହେକ୍ଟର ହେକ୍ଟର ଚାଷଜମିର ଫସଲ ନଷ୍ଟ ହୋଇଛି । ବହୁ ସ୍ଥାନକୁ ଏବେ ବି ଯୋଗାଯୋଗ ବିଚ୍ଛିନ୍ନ ରହିଛି । ଲଗାଣ ବର୍ଷାରେ ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀ ଏବେ ବି ଫୁଲିଛି । ବର୍ଷା କମିବା ପରେ ପ୍ରଭାବିତ ଅଞ୍ଚଳରୁ ପାଣି ଛାଡୁଛି । କିନ୍ତୁ ଏହି ପାଣି ଧୋଇ ନେଲା ନଈକୂଳିଆଙ୍କ ସୁଖ ଓ ଜୀବିକା ।

୨୧ ଯାଏ ବର୍ଷା :

ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି । ଏହି ଘୂର୍ଣ୍ଣିବଳୟ ଆସନ୍ତା ୧୨ ଘଣ୍ଟାରେ ଓଡ଼ିଶା ଉପକୂଳରେ ପହଞ୍ଚିବ । ଏହା ପ୍ରଭାବିରେ ଚାରିଦିନ ବର୍ଷା ଜାରି ରହିବ । ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କେନ୍ଦୁଝର,ମୟୂରଭଞ୍ଜ, ଯାଜପୁର, କଟକ, ଢେଙ୍କାନାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ୍ରେ ଘଡଘଡ଼ି ସହ ବଜ୍ରପାତର ଆଶଙ୍କା ରହିଛି । ରବିବାର ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଢେଙ୍କାନାଳ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।

Comments (0)
Add Comment