ପେଗାସସ ରାୟ

ଆଦୌ ଥମୁନି ପେଗାସସ୍ ଝଡ଼ । ପେଗାସସ୍ ଡାଟା ଚୋରି ମାମଲାରେ ସ୍ୱତନ୍ତ୍ର ତଦନ୍ତ ପାଇଁ ହୋଇଥିବା ଆବେଦନ ଉପରେ ବୁଧବାର ଦିନ ସୁପ୍ରିମକୋର୍ଟର ଏକ ରାୟ ଆସିଛି । ପେଗାସସ ମାମଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ଜବାବ ରଖାଯାଇ ନାହିଁ । ଏଭଳି ସ୍ଥିତିରେ ଆବେଦନକାରୀଙ୍କ ଆବେଦନ ସ୍ୱୀକାର କରିବା ବ୍ୟତୀତ ଅନ୍ୟ ପନ୍ଥା ନାହିଁ ବୋଲି ସୁପ୍ରିମକୋର୍ଟ ସଫା ସଫା ଶୁଣାଇ ଦେଇଛନ୍ତି । ଏନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି।ଜଣେ ପ୍ରାକ୍ତନ ସୁପ୍ରିମକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ।ଅର୍ଥାତ ପେଗାସସ ମାମଲାର ନିଜେ ସୁପ୍ରିମକୋର୍ଟ ତଦାରଖ କରିବେ । ମନେ ପକାଇ ଦିଆଯାଇପାରେ ଯେ ସେପ୍ଟେମ୍ବର ୨୩ରେ ପ୍ରଧାନ ବିଚାରପତି ଜଷ୍ଟିସ ରାମଣା ଇସ୍ରାଏଲ ନିର୍ମିତ ପେଗାସସ୍ ସ୍ପାଇୱେର ଦ୍ୱାରା ଦେଶର ବିରୋଧୀ ନେତା, ସାମ୍ବାଦିକଙ୍କ ଡାଟା ଚୋରି ନେଇ ତଦନ୍ତ ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି ବେଳେ ଏକ ଯାଞ୍ଚ କମିଟି ଗଠନ କରିବାକୁ ସଂକେତ ଦେଇଥିଲେ । ସୁପ୍ରିମକୋର୍ଟ ନ ରାୟ ପ୍ରକାଶ କରିବା ସହ ୩ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିବା ପାଇଁ ନିର୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଏନଭି ରମଣ।, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ହିମା କୋହଲିଙ୍କ ଖଣ୍ଡପୀଠ କହିଛନ୍ତି ଯେ ତିନି ସଦସ୍ୟ ବିଶିଷ୍ଟ ଏହି କମିଟିର ଅଧ୍ୟକ୍ଷତା କରିବେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଆରବି ରବୀନ୍ଦ୍ରନ୍ । ଏହା ସହ ସଦସ୍ୟ ରହିବେ ଆଲୋକ ଯୋଶୀ ଏବଂ ସନ୍ଦୀପ ଓବ୍ରାୟନ । ଏହି କମିଟି ସହ ସାଇବର ସୁରକ୍ଷା, ଫରେନ୍ସିକ ଏକ୍ସପର୍ଟ, ଆଇଟି ଏବଂ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞଙ୍କୁ ମଧ୍ୟ ସାମିଲ କରାଯିବ । କମିଟି ଗଠନ ପରେ ଯଥାଶୀଘ୍ର ରିପୋର୍ଟ ଦେବାକୁ କୁହାଯାଇଛି।ମାମଲାର ପରବର୍ତ୍ତୀ ଶୁଣାଣି ୮ ସପ୍ତାହ ପରେ ହେବ । ଏହା ସହ ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ, ନାଗରିକଙ୍କ ପାଖରୁ ଡାଟା ଚୋରି କରିବା ଆଦୌ ଗ୍ରହଣୀୟ ନୁହେଁ ଏବଂ କୋର୍ଟ ମୁକଦର୍ଶକ ହୋଇ କଦାପି ବସିପାରିବ ନାହିଁ । କୌଣସି ବ୍ୟକ୍ତିଙ୍କର ପ୍ରାଇଭେସି ଉଲ୍ଲଂଘନ ହେବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଦରକାର । ପୂର୍ବରୁ ଜାତୀୟ ସୁରକ୍ଷାର ନାଁ ନେଇ ପେଗାସସ ମାମଲାରେ ସରକାର ବିସ୍ତୃତ ବିବରଣୀ ଦାଖଲ କରିନଥିଲେ । ଏହାକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ଓଏକ ତରଫା ରାୟ ଘୋଷଣା କରିଥିଲେ।

ପେଗାସସ ମାମଲାରେ ସାମ୍ବାଦିକ, ରାଜନେତା, ସମାଜସେବୀ, ପୋଲିସ ଅଧିକାରୀ ଭଳି ବ୍ୟକ୍ତିତ୍ୱଙ୍କ ମୋବାଇଲ ଲାପଟପ ହ୍ୟାକ ହେବା ନେଇ ଅଭିଯୋଗ ସାମ୍ନାକୁ ଆସିଥିଲା । କେନ୍ଦ୍ର ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧୀ ଦଳର ଫୋନକୁ ଗୁପ୍ତଚର ଆପ ଜରିଆରେ ନଜର ରଖୁଥିଲେ ବୋଲି ଅଭିଯୋଗ ବ୍ୟତୀତ ବିରୋଧୀ ଏକଜୁଟ ହୋଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଆସୁଥିଲେ ।