ରାଫେଲ ବିବାଦ

ରାଫେଲ ଯୁଦ୍ଧ ବିମାନକୁ ନେଇ ବିବାଦ ଥମୁନାହିଁ । ପ୍ରଥମଥର ପାଇଁ ଏହି ବିମାନ ଯେତେବେଳେ ଫ୍ରାନ୍ସରୁ ଆସି ଭାରତରେ ପହଂଚିଥିଲା, ଦେଶବାସୀଙ୍କ ମନରେ ସୃଷ୍ଟି ହୋଇଥିଲା ଏକ ନୂଆ ଉତ୍ସାହ । ଏହାର କାରଣ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ରାଫେଲ ଚୀନର ଯାବତୀୟ ଚାଲକୁ ଟକ୍କର ଦେଇପାରିବ ବୋଲି ବିଶ୍ୱାସ କରାଯାଉଥିଲା । ତେବେ ରାଫେଲ ବିମାନ ଯୋଗୁଁ ବାୟୁସେନାର ସାମର୍ଥ୍ୟ ହୁଏତ ବଢ଼ିଛି । କିନ୍ତୁ ତା ସହ ତାଳଦେଇ ବଢ଼ିଚାଲିଛି ରାଜନୈତିକ ବିବାଦ । ଶେଷ କରି କଂଗ୍ରେସ ଓ ବିଜେପି ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଘମାଘୋଟ ଆଲୋଚନା ସମାଲୋଚନା ଚାଲି ଆସିଛି । ଫ୍ରାନ୍ସର ଏଲ ଡ଼ିଜିଟାଲ ପୋର୍ଟାଲ ମିଡିଆପାର୍ଟ ଅଭିଯୋଗ କରିଛି ଯେ, ରାଫେଲ ନିର୍ମାଣକାରୀ ସଂସ୍ଥା ଡାସଲଟ୍ ଏଭିଏସନ ଜଣେ ମଧ୍ୟସ୍ଥି ସୁରେଶ ଗୁପ୍ତାଙ୍କୁ ପ୍ରାୟ ୬୫ କୋଟି ଟଙ୍କା କମିଶନ ଦେଇଥିଲା । ଏହି ଲାଞ୍ଚ ପ୍ରଦାନର ଉଦେଶ୍ୟ ଥିଲା ଯୁଦ୍ଧ ବିମାନ ଚୁକ୍ତି କରିବାରେ ଏହି ମଧ୍ୟସ୍ଥି ସାହାଯ୍ୟ କରିବେ ।

୨୦୦୭ରୁ ୨୦୧୨ ମଧ୍ୟରେ ଲାଞ୍ଚ କାରବାର ହୋଇଥିଲା ବୋଲି ମିଡିଆପାର୍ଟର ରିପୋର୍ଟ କହିଛି । ଏହି ସମୟରେ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱରେ ୟୁପିଏ ମେଣ୍ଟ ସରକାର ଥିଲା । ଏହାକୁ ନେଇ କଂଗ୍ରେସ ଉପରେ ବର୍ଷିଛି ବିଜେପି । ଦଳର ମୁଖପାତ୍ର ସମ୍ବିତ ପାତ୍ର ଭାରତୀୟ ଜାତୀୟ କଂଗ୍ରେସ, ଆଇଏନସିକୁ ଆଇ ନିଡ୍ କମିଶନ’ କହି ଆକ୍ଷେପ କରିଛନ୍ତି । ବିଜେପିର ଅଭିଯୋଗର କଡ଼ା ଜବାବ ରଖିଛି କଂଗ୍ରେସ । ୨୦୧୮ରେ ଯଦି ଲାଞ୍ଚ କାରବାର ବିଷୟ ସାମ୍ନାକୁ ଆସିଥିଲା, ତାହେଲେ ମୋଦୀ ସରକାର ଏହାର ତଦନ୍ତ କରାଇଲେ ନାହିଁ କାହିଁକି? ସିବିଆଇ ଏବଂ ଇଡିକୁ ଯଦି ଏବିଷୟରେ ଜାଣିଥିଲେ, କାହିକଁ ଚୁପ୍ ରହିଲେ ବୋଲି ପ୍ରଶ୍ନ କରିଛନ୍ତି ଦଳର ମୁଖପାତ୍ର । ୟୁପିଏ ସରକାର ୭ ବର୍ଷ ଧରି ୧୨୬ଟି ରାଫେଲ ବିମାନ କିଣିବା ପାଇଁ ନିର୍ମାଣକାରୀ କମ୍ପାନୀ ସହ ଆଲୋଚନା କରିଆସିଥିଲା । ହେଲେ କୌଣସି ଚୁକ୍ତି ହୋଇପାରି ନଥିଲା । ପରେ ୩୬ଟି ବିମାନ କିଣିବାକୁ ୨୦୧୬ରେ ଡାସଲଟ କମ୍ପାନୀ ସହ ୫୯ ହଜାର କୋଟି ଟଙ୍କାରେ ଚୁକ୍ତି କରିଥିଲେ ମୋଦୀ ସରକାର । ରାଫେଲ ବିମାନ କିଣାରେ ଦୁର୍ନୀତି ହୋଇଛି ବୋଲି ବିରୋଧୀ ଦଳର ଅଭିଯୋଗ ପରେ ଏହି ମାମଲା ସୁପ୍ରିମକୋର୍ଟକୁ ଯାଇଥିଲା । ସୁପ୍ରିମକୋର୍ଟର ବଡ଼ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରି ରାଫେଲ ବିମାନ କିଣାରେ କୌଣସି ଅନିୟମିତତା ହୋଇନଥିଲା ବୋଲି ସ୍ପଷ୍ଟ କହିଥିଲେ । ସୁତରାଂ ଏହି ମାମଲାରେ ଆଉ ଅଧିକ ତର୍ଜମା ଅନାବଶ୍ୟକ । ଏହି ବିବାଦ ସବୁଦିନ ପାଇଁ ଶେଷ ହୋଇଛି ବୋଲି ଧରିନେବାକୁ ହେବ ।