ସାମ୍ବାଦିକ ସଂଘ ଗୁଡିକ ତରଫରୁ ୫୫ ତମ ଜାତୀୟ ପ୍ରେସ ଦିବସ ପାଳିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଆଜି ସଂଘ କାର୍ଯ୍ୟାଳୟ ଠାରେ ୫୫ ତମ ଜାତୀୟ ପ୍ରେସ ଦିବସ ସଭାପତି ଦୁର୍ଯ୍ୟୋଧନ ପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ସକାଳ ୯ଟା ସମୟରେ କାର୍ଯ୍ୟାଳୟରେ ସଂଘୀୟ ପତକା ଉତ୍ତୋଳନ ପରେ ଏହି ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମନ୍ବୟ ସମିତିର ଅଧ୍ୟକ୍ଷ ରତ୍ନାକର ଦାଶଙ୍କ ସହ ୫୦ରୁ ଉର୍ଦ୍ଧ୍ବ ସଦସ୍ୟ । ଉପସ୍ଥିତ ରହି ଆଜିର ଦିବସ ସମ୍ୱନ୍ଧରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ପରେ ପୂର୍ବାହ୍ନ ୧୦ଟା ୩୦ ମିନଟ ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସଂଘ ତରଫରୁ ଭୋଟର ମାନକୁ ସଚେତନ କରିବା ପାଇଁ ଏକ ସଚେତନତା ରଥ ଏବଂ ବାଇକ୍ ରାଲିକୁ ଜିଲ୍ଲାପାଳ ବିଶାଳ ସିଂ ସବୁଜ ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ ।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ, ଉପ ଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ, ସହକାରୀ ଜିଲ୍ଲାପାଳ ଲଳିତ ମଣ୍ଡଳ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ ଜୋଷ୍ଣାମୟୀ ଆଚାର୍ଯ୍ୟ ଏବଂ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ । ମାଲକାନଗିରି ଜିଲ୍ଲାରେ ଆଗାମୀ ନିର୍ବାଚନରେ ଶତ ପ୍ରତିଶତ ମତଦାନ କରି ଗଣତନ୍ତ୍ରକୁ ସୁଦୃଢ କରିବା ସହ ୧୮ ବର୍ଷ ବୟସରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ଅନଲାଇନ ମାଧ୍ୟମରେ ସେମାନଙ୍କର ଭୋଟର ତାଲିକାରେ ନାମ ପଞ୍ଜିକରଣ କରିବା ଇତ୍ୟାଦି ସମ୍ୱନ୍ଧରେ ସହରର ବିଭିନ୍ନ ଅଞ୍ଚଳରେ ରଥ ପରିକ୍ରମା ସହ ଏକ ବାଇକ୍ ରାଲି ସହର ପରିକ୍ରମା କରିଥିଲା । ଉତ୍କଳ ସାମ୍ବାଦିକ ସଂଘର ଏପରି ଜନ ହିତକାର କାର୍ଯ୍ୟକୁ ଜିଲ୍ଲାପାଳ ଓ ଉପସ୍ଥିତ ପଦାଧିକାରୀ ମାନେ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଘର ଉପ ସଭାପତି ପ୍ରଭାକର ସୁନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ମହାନ୍ତି, ସମ୍ପାଦକ ସତ୍ୟ ନାରାୟଣ ଦାଶ, ଯୁଗ୍ମ ସମ୍ପାଦକ ସୋନୁ ଅନୁଗୁ, କାର୍ଯ୍ୟାଳୟ ସମ୍ପାଦକ କିଶୋର ପାଟିକା, କୋଷାଧ୍ୟକ୍ଷ ବି. ଶ୍ରୀନିବାସ ପାତ୍ର, ପରିଚାଳନା କରିଥିଲେ ।

ଏଥିସହ ଆଜି ମାଲକାନଗିରି ସାମ୍ବାଦିକ ସଂଘ ଏମୟୁଜେ ତରଫରୁ ସଂଘ କାର୍ଯ୍ୟାଳୟ ଠାରେ ସଭାପତି ଦେବ ପ୍ରସାଦ ଦାଶଙ୍କ ଅଧ୍ୟକ୍ଷତାରେ ୫୫ ତମ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ରମେଶ ମାଝୀ, ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ଜିଲ୍ଲା ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀଙ୍କ ସହ ସଂଘର ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ ।