ମୁକ୍ତା ଯୋଜନାରେ ୧୦ କୋଟି ୫୩ ଲକ୍ଷ ଟଙ୍କା ମଞ୍ଜୁର

ରାୟଗଡ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁକ୍ତା ଯୋଜନାରେ ରାୟଗଡ ସହରାଞ୍ଚଳର ବିକାଶ ନିମନ୍ତେ ୮୪ ଗୋଟି ପ୍ରକଳ୍ପ ପାଇଁ ୧୦ କୋଟି ୫୩ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ପରିପ୍ରେକ୍ଷିରେ ସ୍ଥାନୀୟ ହୋଟେଲ ତେଜସ୍ୱୀ ଇଣ୍ଟରନ୍ୟାସନାଲର ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଅନିସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟାଲଘୁ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରାକା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇନ୍ତି । ରାୟଗଡ ସହରାଞ୍ଚଳର ବିକାଶ ପାଇଁ ଅନୁମୋଦନ କରାଯାଇଥିବା ୮୪ ଗୋଟି ପ୍ରକଳ୍ପଗୁଡିକ ହେଲା, ୧୦ ଗୋଟି କ୍ଷୁଦ୍ର ଉଦ୍ୟାନ ପାଇଁ ୧ କୋଟି ୧୮ ଲକ୍ଷ ଟଙ୍କା, ୮ ଗୋଟି ପବ୍ଲିକ ଜିମ ସକାଶେ ୮୦ ଲକ୍ଷ ଟଙ୍କା, ୪ ଗୋଟି ଶିଶୁ କ୍ରୀଡା ଉଦ୍ୟାନ ପାଇଁ ୩୦ ଲକ୍ଷ ଟଙ୍କା, ୧୩ ଗୋଟି ଚାଲିବା ରାସ୍ତା ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା, ୩ ଗୋଟି ଖେଳ ପଡିଆ ପାଇଁ ୩୬ ଲକ୍ଷ ଟଙ୍କା, ୫ ଗୋଟି ରାସ୍ତା କଡ ବିକ୍ରୟ ସ୍ଥଳୀ ପାଇଁ ୫୫ ଲକ୍ଷ ଟଙ୍କା, ୧୨ ଗୋଟି ରାସ୍ତା ଏବଂ ଡ୍ରେନ ପାଇଁ ୧ କୋଟି ୯୩ ଲକ୍ଷ ଟଙ୍କା ଓ ୨୯ ଗୋଟି ରାସ୍ତା ପାଇଁ ୩ କୋଟି ୪ ଲକ୍ଷ ଟଙ୍କା ସମୁଦାୟ ୮୪ ଗୋଟି ପ୍ରକଳ୍ପ ପାଇଁ ସରକାର ୧୦ କୋଟି ୫୩ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର କରିଛନ୍ତି ।

ଏହି ଅବସରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧିର ଦାସ, ବିଜୁ ମହିଳା ଜିଲ୍ଲା ସଭାପତି ଅନୁସୁୟା ମାଝୀ, ବିଜୁ ଜନତା ଦଳର ବରିଷ୍ଠ ନେତା ଆଇନଜୀବୀ ବ୍ରଜସୁନ୍ଦର ନାୟକ, ବରିଷ୍ଠ ମହିଳା ନେତ୍ରୀ ସୁଜାତା ପାଳ ଓ ବିଜୁ ଯୁବ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ଦେବାଶିଷ ଖାଡାଙ୍ଗା ପ୍ରମୂଖ ଉପସ୍ଥିତ ଥିଲେ ।