ମାଡ଼ୁଛି ଓମିକ୍ରନ୍: ସତର୍କ ରୁହ

-୩୦ଥର ରୂପ ବଦଳାଇଲାଣି ଓମିକ୍ରନ୍
-୪ ଦିନରେ ୧୧ ଦେଶକୁ ବ୍ୟାପିଲାଣି
-ସବୁ ରାଜ୍ୟକୁ ଆଲର୍ଟ କଲା କେନ୍ଦ୍ର

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂତନ କରୋନା ଭାଇରସ୍ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ପୁଣି ଭୟ ସୃଷ୍ଟି ହୋଇଛି । ଏନେଇ କେନ୍ଦ୍ର ପୁଣି ଥରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ସତର୍କ କରାଇ ଦେଇଛି । ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ରିସ୍କ ଥିବା ଦେଶରୁ ଆସୁଥିବା ଯାତ୍ରୀଙ୍କୁ ସ୍କ୍ରିନିଂ କରିବା ସହିତ ସେମାନେ
୧୪ ଦିନର ଯାତ୍ରା ବିବରଣୀ ଦେବାକୁ ପଡ଼ିବ । ଏଥିସହିତ ଆରଟିପିସିଆର ରିପୋର୍ଟ ଅପଲୋଡ୍ କରିବାକୁ ପରାମର୍ଶ ଦିଆଯାଇଛି । ହଟସ୍ପଟ୍ ଉପରେ ନଜର ରଖିବା ପାଇଁ କୁହାଯାଇଛି । ବିଶେଷ କରି ଯେଉଁ କ୍ଲଷ୍ଟରରେ ପଜିଟିଭ ହାର ଅଧିକ ରହୁଛି ସେହି ଅଞ୍ଚଳଗୁଡ଼ିକୁ ଅଧିକ ଦୃଷ୍ଟି ଦେବାକୁ କୁହାଯାଇଛି । ଉକ୍ତ ହଟସ୍ପଟରୁ ପଜିଟିଭ ସାମ୍ପୁଲ ସଂଗ୍ରହ କରି ବାୟୋ ଟେକ୍ନୋଲୋଜି ସହାୟତାରେ ଇନ୍ସାକଗ୍ ଲ୍ୟାବକୁ ପଠାଇବା ପାଇଁ କୁହାଯାଇଛି । ବିଶେଷକରି ରାଜ୍ୟମାନଙ୍କରେ କେସ ଯେମିତି ନହେବ ସେଥିପଅତି ଅଧିକ ସାବଧାନ ରହିବାକୁ କୁହାଯାଯାଇଛି । ସେହିପରି ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ଉପରେ କଡ଼ା ନଜର, ବର୍ଦ୍ଧିତ ପରୀକ୍ଷଣ, ହଟସ୍ପଟ୍ ଉପରେ ନଜର, ଜିନୋମ ସିକ୍ୱେନ୍ସିଂ, ସ୍ୱାସ୍ଥ୍ୟ ଭିତ୍ତିଭୂମି ବୃଦ୍ଧି, ନିରୀକ୍ଷଣ ପଦକ୍ଷେପ ବୃଦ୍ଧି ଏବଂ କରୋନା ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । କରୋନା ଭାଇରସର ନୂଆ ଭାରିଆଣ୍ଟ “ଓମିକ୍ରନ’କୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି । ନୂଆ ଭାରିଆଣ୍ଟ ନାଁ ଶୁଣି ଲୋକେ ଛାନିଆ ହୋଇଗଲେଣି । ବିଶେଷଜ୍ଞ ଏହାକୁ ଡେଲ୍ଟାଠାରୁ ଭୟଙ୍କର ବୋଲି କହିଛନ୍ତି । ଏହାକୁ ସବୁଠାରୁ ଅଧିକ ମ୍ୟୁଟେଟେଡ଼ ଭର୍ସନ ବୋଲି କୁହାଯାଉଛି ।

ଡେଲଟା ଭାରିଆଣ୍ଟରେ ୨ଟି ମ୍ୟୁଟେସନ ଚିହ୍ନଟ ହୋଇଥିବା ବେଳେ ଓମିକ୍ରନ୍ ରେ ୩୦ଟି ମ୍ୟୁଟେସନ ଚିହ୍ନଟ ହୋଇଛି । ସେଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଚିନ୍ତାଜନକ ବୋଲି କହିଛି । ନଭେମ୍ବର ୨୪ରେ ଏହା ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା । ୨୬ ତାରିଖ ସୁଦ୍ଧା ଓମିକ୍ରନ ୫ଟି ଦେଶକୁ ବିସ୍ତାର କରିସାରିଛି । ୨୮ ତାରିଖ ସୁଦ୍ଧା ଏହା ୧୧ଟି ଦେଶରେ ଚିହ୍ନଟ ହୋଇଛି । ଏହି ଭାରିଆଣ୍ଟ ଦକ୍ଷିଣ ଆଫ୍ରିକା, ବ୍ରିଟେନ, ବେଲଜିୟମ, ଜର୍ମାନୀ, ଇସ୍ରାଇଲ, ଇଟାଲୀ, ହଂକଂ, ଅଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡ ଆଦି ଦେଶରେ ଚିହ୍ନଟ ହୋଇଛି । ଯେଉଁ ଦେଶରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛି ସେମାନଙ୍କ ମଧ୍ୟରୁ ୩ଟି ଦେଶ ସହ ଭାରତର ଏୟାର ବବଲ ଅନୁଯାୟୀ ବିମାନ ସେବା ଜାରି
ରଖିବାକୁ ଚୁକ୍ତି ହୋଇଛି । ଏହି ୩ଟି ଦେଶ ହେଲା ବ୍ରିଟେନ, ଜର୍ମାନୀ, ନେଦରଲ୍ୟାଣ୍ଡ । ସେଥିପାଇଁ ଏହି ୩ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ବିଶେଷ ନଜର ରଖାଯାଉଛି । ନିକଟରେ କେନ୍ଦ୍ର ସରକାର ଘୋଷଣା କରିଥିଲେ ଯେ ଡିସେମ୍ବର ୧୫ ତାରିଖରୁ ସବୁ ଦେଶ ସହ ବିମାନ ସେବା ଆରମ୍ଭ କରିବେ । କିନ୍ତୁ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିବା ପରେ ଏହି ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ କହିଛନ୍ତି ।

ଗାଇଡ୍ଲାଇନ୍ ଜାରି କଲା ଓଡ଼ିଶା :

କରୋନାର ନୂଆ ଭ୍ୟାରିଆଣ୍ଟର ମୁକାବିଲା କରିବାକୁ ଓଡ଼ିଶାରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର । ସ୍କୁଲ, କଲେଜରେ ସଂକ୍ରମଣ ଚେନ୍କୁ ରୋକିବା ପାଇଁ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍ ସେଣ୍ଟର ଖୋଲାଯିବା ସହ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟମେଣ୍ଟକୁ ଫୋକସ କରାଯାଇଛି । ବିଦେଶ ଫେରନ୍ତା ଉପରେ କଡ଼ା ନଜର ରଖିବାକୁ ଅଣ୍ଟା ଭିଡ଼ିଛି ସ୍ୱାସ୍ଥ୍ୟ ବିଭାଗ । ବିମାନ ବନ୍ଦରରେ କରୋନା ଟେଷ୍ଟ କରାଯିବ । ଯେଉଁମାନେ ସଂକ୍ରମିତ ଚିହ୍ନଟ ହେବେ, ସେମାନଙ୍କୁ ୧୦ଦିନ ସଂଗରୋଧରେ ରଖିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବିଦେଶ ଫେରନ୍ତାଙ୍କ ଉପରେ କଡ଼ା ନଜର ରଖିବାକୁ ଜିଲ୍ଲାପାଳ, ସିଡ଼ିଏମ୍ଓ ଓ ମହାନଗର ନିଗମକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । ଯେଉଁସବୁ ଅଞ୍ଚଳରେ ଅଧିକ ସଂକ୍ରମିତ ଚିହ୍ନଟ ହେବେ ସେହି ଅଞ୍ଚଳକୁ ସିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟବାସୀ କୋଭିଡ଼ ନିୟମ ମାନି ସତର୍କ ରହିଲେ ତୃତୀୟ ଲହରକୁ ଏଡ଼ାଇ ହେବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ ।

ଅନ୍ୟପକ୍ଷରେ ଆମେରିକାର ନ୍ୟୁୟର୍କରେ ଜାରି ହୋଇଛି ଜରୁରିକାଳୀନ ସ୍ଥିତି । ନ୍ୟୁୟର୍କ ଗଭର୍ଣ୍ଣର କାଥି ହୋଚୁଲ କହିଛନ୍ତି ଗତବର୍ଷ ତୁଳନାରେ ସଂକ୍ରମଣ ସ୍ଥିତି ଗମ୍ଭୀର ହୋଇଥିବା ବେଳେ ହସ୍ପିଟାଲ ଆଡମିଶନ ସଂଖ୍ୟା ମଧ୍ୟ ବଢିଛି । ଆସନ୍ତାବର୍ଷ ଜାନୁଆରୀ ୧୫ ଯାଏ ସହରରେ ଏହି ସ୍ଥିତି ଜାରି ରହିବ ବୋଲି ସେ ଘୋଷଣା କରିଛନ୍ତି । ସ୍ଥିତିର ମୁକାବିଲା ଲାଗି ଟିକାକରଣ ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯାଇଛି । ନୂଆ ଭାଇରସ ଓମିକ୍ରନର ସମ୍ଭାବ୍ୟ ପ୍ରବେଶ ଦୃଷ୍ଟିକୁ ନଜରରେ ରଖି ବର୍ତ୍ତମାନଠାରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ଠାବ ହେବା ପରେ ଆମେରିକା, ବ୍ରିଟେନ, କାନାଡା ଓ ଅନେକ ୟୁରୋପୀୟ ରାଷ୍ଟ୍ର ବିଭିନ୍ନ କଟକଣା ଜାରି କରିଛନ୍ତି ।