ପ୍ରଥମେ ଥଇଥାନ ପରେ ଉଚ୍ଛେଦ ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉଠା ଦୋକାନୀଙ୍କ ପ୍ରତିବାଦ ସଭା

ଟିଟିଲାଗଡ଼ : ସୋମବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସହରର ଉଠା ଦୋକାନୀଙ୍କ ପ୍ରତିବାଦ ସଭା ଅନୁଷ୍ଠିତ । ଏଥିରେ ଆଗ ଦୋକାନୀଙ୍କୁ ଥଇଥାନ ଏବଂ ପରେ ଉଛେଦ କରାଯିବା କଥା କିନ୍ତୁ ପ୍ରଶାସନ କେବଳ ରାସ୍ତାକଡ ଉଠା ଦୋକାନୀଙ୍କୁ ଉଠାଉଛି, ସହର ମଝିରେ ବଡ ବଡ ଘର, ଦୋକାନ ମଧ୍ଯ ସରକାରୀ ଜବର ଦଖଲରେ ଥାଇ ମଧ୍ୟ ସେଗୁଡ଼ିକୁ କାହିଁକି ଉଚ୍ଛେଦ କରାଯାଉନି ବୋଲି ପ୍ରଶାସନକୁ ପ୍ରଶ୍ନ କରିଥିଲେ । ଏହି ପ୍ରତିବାଦ ସଭାକୁ ସମର୍ଥନ ଜଣାଇ ସମାଜସେବି ନରସିଂହ ସିଂ ଆଗ ଦୋକାନୀଙ୍କୁ ଥଇଥାନ ନ କରି ତାଙ୍କ ରୋଜଗାର ଛଡେଇ ନେବା କେତେଦୂର ଠିକ୍ ବୋଲି କହିବା ସହ ସେମାନଙ୍କୁ ଆଗ ଥଇଥାନ କରନ୍ତୁ ବୋଲି ଦାବି କରିଥିଲେ । ସେହିପରି ଗରିବ ସେନା ସଭାପତି ବୀରେନ୍ଦ୍ର ବାଗ ସମସ୍ତ ଉଠା ଦୋକାନୀଙ୍କୁ କମ ସିକ୍ୟୁରିଟି ରଖି କମ ଭଡ଼ା ସହ ଦୋକାନ ଗୃହ ଦିଆଯାଉ ବୋଲି ସେ କହିଥିଲେ। କିଛି ଦିନ ପୂର୍ବରୁ ପ୍ରଶାସନ ତରଫରୁ ସହରରୁ ଜବର ଦଖଲ ଉଚ୍ଛେଦ କରିଥିଲେ । ସରକାରି ଡ଼ାକ୍ତରଖାନା ସାମ୍ନାରେ ଥିବା ଉଠା ଦୋକାନୀଙ୍କୁ ଉଚ୍ଛେଦ କରିବା ପରେ ୧୧ ଜଣ ଦୋକାନୀଙ୍କୁ ଭେଣ୍ଡିଜୋନରେ ସ୍ଥାନ ଦେଇଥିବା ବେଳେ ଅନ୍ୟ ଉଠା ଦୋକାନୀଙ୍କୁ ଜାଗା ନ ଦେବାରୁ ଆଜି ଏହି ପ୍ରତିବାଦ ସଭା ଅନୁଷ୍ଠିତ କରି ସମାଧାନ କରିବା ପାଇଁ ଗୁହାରି କରିଛନ୍ତି ।