ବଳଗୋଟାଇ ମାଡ଼ିଆସୁଛି ‘ଜୱାଦ’ : ୫ ମଧ୍ୟାହ୍ନରେ ପୁରୀରେ ଲ୍ୟାଣ୍ଡଫଲ !

-ଘଣ୍ଟାପ୍ରତି ୮୦ରୁ ୧୦୦ କିମି ବେଗରେ ପବନ
-ଦକ୍ଷିଣ ଉପକୂଳ ଓଡ଼ିଶାରେ ଅତି ପ୍ରବଳ ବର୍ଷା
-ଓଡ଼ିଶାକୁ ବିପଦ ବଢ଼ିଲା: ୪ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର : ବଙ୍ଗୋପସାଗରରେ ମାଡ଼ିଆସୁଛି ବାତ୍ୟା ଜୱାଦ । ସମୁଦ୍ର ଭିତରେ ଘୂରି ବୁଲୁଛି । ବଳା ଗୋଟାଇ ବଳିୟାନ ହୋଇ ଉପକୂଳ ଆଡକୁ ମାଡ଼ିଆସୁଛି । ଜୱାଦ କେଉଁଠି ଓ କେତେବେଳେ ସ୍ଥଳଭାଗ ଛୁଇଁବ ଆଜି ସ୍ପଷ୍ଟ କରିଛି ଆଇଏମ୍ଡି । ରବିବାର ମଧ୍ୟାହ୍ନରେ ପୂରୀ ଉପକୂଳ ନିକଟରେ ସ୍ଥଳ ଭାଗ ଛୁଇଁବା ସମ୍ଭାବନା ରହିଛି ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟଞ୍ଜୟ ମହାପାତ୍ର । ଗୁଲାବଠାରୁ ଅଧିକ ଓ ତିତଲୀଠାରୁ କମ୍ ପ୍ରଭାବ କାଇବ ବୋଲି ସେ କହିଛନ୍ତି । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କାଲି ସକାଳେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ପହଞ୍ଚିବ । ଏହାପରେ ଗତିପଥ ବଦଳାଇ ଉତ୍ତର- ଉତ୍ତର ପୂର୍ବ ଦିଗରେ ଗତି କରିବ । ସମୁଦ୍ର ଭିତରେ ଥିବାବେଳେ ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବ । ବାତ୍ୟା ସ୍ଥଳଭାଗ ଛୁଇଁବା ବେଳକୁ ସାମାନ୍ୟ ଦୁର୍ବଳ ହୋଇ ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେବ । ପବନର ବେଗ ଘଣ୍ଟା ପ୍ରତି ୮୦ରୁ ୧୦୦ କିମି ରହିବ । ତେବେ ଓଡ଼ିଶା ପ୍ରତି ଅଧିକ ବିପଦ ଥିବା କହିଛନ୍ତି ଶ୍ରୀ ମହାପାତ୍ର । ଆଜି ମଧ୍ୟରାତ୍ରରୁ ଦକ୍ଷିଣ ଓଡ଼ିଶା ଉପକୂଳରୁ ପବନର ବେଗ ବଢ଼ିବ । କାଲି ଗଞ୍ଜାମ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଘଣ୍ଟା ପ୍ରତି ୮୦ରୁ ୯୦ କିମି । ସ୍ଥଳ ବିଶେଷରେ ଝଟ୍କା ପବନ ୧୦୦ କିମି ଯାଇପାରେ । ସେହିପରି ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଭଦକ୍ର ଓ ବାଲେଶ୍ୱର ଜିଲ୍ଲାରେ ୬୦ରୁ ୭୦ କିମି ଓ ସ୍ଥଳ ବିଶେଷରେ ୮୦ କିମି ବେଗରେ ପବନ ବହିପାରେ । କୋରାପୁଟ, ରାୟଗଡ଼ା, ନୟାଗଡ଼, କନ୍ଧମାଳ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରେ ପବନର ବେଗ ୩୫ରୁ ୪୫ କିମି ଓ ବଢ଼ି ୫୫ କିମି ରହିପାରେ । ୪ ତାରିଖ ଅମାବାତ୍ୟା ଥିବାରୁ ସମୁଦ୍ରରେ ୪ରୁ ୫ ମିଟର ଉଚ୍ଚରେ ଜୁଆର ଉଠିବ ।

ଜୱାଦ ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ । ୩ରୁ ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଉପକୂଳ ଆଦୌ ସୁରକ୍ଷିତ ରହିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ଏପଟେ ବାତ୍ୟା ପ୍ରଭାବରେ ପୁରୀରେ ବର୍ଷା ଆରମ୍ଭ ହୋଇଯାଇଛି । ଏହି ସମୟରେ ସମ୍ଭାବ୍ୟ ବାତ୍ୟା ନେଇ ପୁରୀ ପ୍ରଶାସନ ପକ୍ଷରୁ ମଧ୍ୟ ଜରୁରି ନମ୍ବର ଜାରି ହୋଇଛି । କୌଣସି ଅସୁବିଧା ହେଲେ ଏହି ଜରୁରି ନମ୍ବର ୦୬୭୫୨-୨୨୩୨୩୭ରେ ଲୋକମାନେ କଲ୍ କରିପାରିବେ ବୋଲି ପୁରୀ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ବାତ୍ୟା “ଜୱାଦ’ ଗୋପାଳପୁରଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୪୭୦ କିଲୋମିଟର ଦୂରରେ ରହିଛି । ସମାନ ଦିଗରେ ପୁରୀଠାରୁ ୫୩୦ କିଲୋମିଟର ଓ ପାରଦୀପଠାରୁ ୬୦୦ କିଲୋମିଟର ଦୂରରେ ରହିଛି । ବିଗତ ୬ ଘଣ୍ଟା ହେଲା “ଜୱାଦ’ ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମକୁ ଗତି କରୁଛି । ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳରେ ଶନିବାର ସକାଳେ ପହଞ୍ଚିବ “ଜୱାଦ’ । ଏହା ପରେ ୟୁ କର୍ଭ କରି ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ୫ ତାରିଖ ମଧ୍ୟାହ୍ନରେ ପୁରୀ ଉପକୂଳ ପହଞ୍ଚିବ । ସନ୍ଧ୍ୟା ପର୍ଯ୍ୟନ୍ତ ବର୍ଷା ଓ ପବନ ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।

ମିଶନ ଜିରୋ କାଜୁଆଲିଟି :

ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ଧିରେ ଧିରେ ଅବପାତର ରୂପ ନେବା ପରେ ବାତ୍ୟାରେ ପରିଣତ ହୋଇ ସ୍ଥଳଭାଗ ଆଡକୁ ମାଡି ଆସୁଛି । ୫ ତାରିଖ ମଧ୍ୟାହ୍ନରେ ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁବ କି ନାହିଁ ତାହା ଆସନ୍ତାକାଲି ସକାଳେ ଚିତ୍ର ସ୍ପଷ୍ଟ ହେବ ବୋଲି ଶୁକ୍ରବାର ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି । ବାତ୍ୟା ଜୱାଦକୁ ନେଇ ଓଡିଶା ପ୍ରତି ଅଧିକ ସତର୍କ ସୂଚନା ଜାରି କରାଯାଇଛି । ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବାତ୍ୟା ଜୱାଦର ଅବସ୍ଥିତିକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପକ୍ଷରୁ ଆଜି ସୂଚନା ଦିଆଯାଇଛି । ବାତ୍ୟା ଜୱାଦ ନେଇ ଏସ୍ଆରସି କହିଛନ୍ତି, ବାତ୍ୟା ଗୋପାଳପୁରଠୁ ୪୭୦ କିମି, ପାରାଦୀପଠୁ ୫୮୦ କିମି ଦୂରରେ ରହିଛି । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୨ କିମି ବେଗରେ ଆସୁଛି ବାତ୍ୟା । କାଲି ରି-କର୍ଭ କରି ୫ ତାରିଖ ମଧ୍ୟାହ୍ନ ସୁଦ୍ଧା ପୁରୀ ଉପକୂଳ ପାଖାପାଖି ହେବ । ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ କି ନାହିଁ ଏ ଯାଏ ଆଇଏମ୍ଡି ସ୍ପଷ୍ଟ କରିନି । ଯଦି ସ୍ଥଳଭାଗ ଛୁଏଁ ତେବେ ଅଳ୍ପ ଛୁଇଁ ବାତ୍ୟା ସମୁଦ୍ର ମଧ୍ୟରେ ଯିବ । ସ୍ଥଳଭାଗ ନଛୁଇଁଲେ ବି ଉପକୂଳ ପାଖାପାଖି ହେଲେ ପବନ ୮୦ରୁ ୯୫ କିମି ବେଗରେ ବହିବ । ବାତ୍ୟା ପ୍ରଭାବରେ ଆଜି ରାତିରୁ ଦକ୍ଷିଣ ଓଡିଶାରେ ବର୍ଷା ବଢିବ । ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷିବ ।

ଏଥିସହ ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ମଧ୍ୟମଧରଣର ବର୍ଷା ହେବ । ସ୍ଥିତିର ମୁକାବିଲା ପାଇଁ ୨୭୦ ଓଡ୍ରାଫ ଟିମ୍ ପ୍ରସ୍ତୁତ କରାଯାଇଛି । ସମୁଦ୍ରରେ ଥିବା ସମସ୍ତ ୨୨,୭୦୦ ମାଛଧରା ବୋଟ୍ ଫେରି ଆସିଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀକୁ ଆଜି ଆସିବାକୁ ଲୋକେ ରାଜି ହେଉନାହାନ୍ତି । ତେବେ ଆସନ୍ତାକାଲିଠୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ବାତ୍ୟା ଅଞ୍ଚଳରେ କାମ କରୁଥିବା ଅଧିକାରୀଙ୍କ ଛୁଟି ବାତିଲ୍ କରାଯାଇଛି । ରବିବାର ସବୁ ଅଫିସ୍ ଖୋଲା ରହିବ । ଅତି ଆବଶ୍ୟକ ହେଲେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଛୁଟି କର୍ମଚାରୀ ଛୁଟି ନେବେ । ପୁରୀ ଜିଲ୍ଲାରେ ମଧ୍ୟ ଦୁଇ ଦିନ ଛୁଟି ଘୋଷଣା କରାଯାଇଛି । ଜରୁରି ସ୍ଥଳରେ ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇଛି । ଜରୁରିକାଳୀନ ସ୍ଥିତିର ମୁକାବିଲା ପାଇଁ ଆଲର୍ଟ ଅଛୁ ବୋଲି ଏସ୍ଆରସି କହିଛନ୍ତି ।

୧୯ ଜିଲ୍ଲାରେ ସ୍କୁଲ ଛୁଟି:

ବାତ୍ୟା “ଜୱାଦ’ ପାଇଁ ୧୯ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ହୋଇଛି ଗଣଶିକ୍ଷା ବିଭାଗ । ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ପୁରୀ,ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା,କଟକ, ଖୋର୍ଦ୍ଧା, କନ୍ଧମାଳ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ,ଭଦ୍ରକ, ବାଲେଶ୍ୱର, ଯାଜପୁର, ମାଲକାନଗିରି ଏବଂ ମୟୂରଭଞ୍ଜରେ ୪ ତାରିଖରେ ସ୍କୁଲ ଛୁଟି ନେଇ ଗଣଶିକ୍ଷା ବଭାଗ ପକ୍ଷରୁ ଘୋଷଣା କରାଯାଇଛି । ବାତ୍ୟା ଆସୁଥିବାରୁ ଆଗୁଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ପିଲାମାନଙ୍କର ସ୍ୱାର୍ଥକକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି । ପିଲାଙ୍କ ପାଇଁ ସ୍କୁଲ ଛୁଟି ଥିବାବେଳେ ଶିକ୍ଷକ ଓ ଅନ୍ୟ କର୍ମଚାରୀ ସ୍କୁଲ ଆସିବାକୁ ନିର୍ଦ୍ଦେଶ ରହିଛି । ସ୍କୁଲରେ ରହି ଉପସ୍ଥିତ ରହି ପ୍ରଶାସନକୁ ସହଯୋଗ କରିବେ ଶିକ୍ଷକ ।

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ :

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ବାତ୍ୟାରେ ପରିଣତ ହୋଇଛି । ଆଉ ବାତ୍ୟାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି)ଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ନିର୍ଦ୍ଦେଶନାମା ଅନୁସାରେ ଆସନ୍ତା ରବିବାର ସାପ୍ତାହିକ ଛୁଟିକୁ ବାତିଲ୍ କରାଯାଇଛି । ସମସ୍ତ କର୍ମଚାରୀଙ୍କୁ ଏହି ଦିନ ନିଜ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଛୁଟିରେ ଥିବା କର୍ମଚାରୀଙ୍କୁ ଛୁଟି ବାତିଲ୍ କରି ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।