ମୋ ସରକାର ମମିତାଙ୍କୁ ନ୍ୟାୟ ଦେବ, ପ୍ରମାଣ ଥିଲେ କାହାକୁ ଛଡ଼ାଯିବନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମମିତା ମେହେର ମୃତ୍ୟୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଏହି ଘଟଣା ମୋତେ ଗଭୀର ଭାବେ ବ୍ୟଥିତ କରିଛି । ଏହି ଘଟଣାର ସମ୍ପୂର୍ଣ୍ଣ ଭାବେ ନିରପେକ୍ଷ ତଦନ୍ତ ହେବ । ଆଇନ ତା ବାଟରେ ଯିବ, ଏଭଳି ଜଘନ୍ୟ ହତ୍ୟାକାଣ୍ଡରେ ଯିଏ ଦୋଷୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶୁକ୍ରବାର ବିଧାନସଭାରେ ଏମିତି ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଧାନସଭାରେ ଲଗାତର ଅଚଳ ରହୁଥିବା ନେଇ ମୁଖ୍ୟମନ୍ତ୍ରୀ ବିବୃତିରେ କହିଲେ, ଏ ସମ୍ବେଦନଶୀଳ ଘଟଣାରେ ବିରୋଧୀ ରାଜନୀତି କରୁଛନ୍ତି । ଏହା ଅତ୍ୟନ୍ତ ଦୁଃଖଦାୟକ । ମୁଖ୍ୟମନ୍ତ୍ରୀ ଭାବେ ସବୁବେଳେ ମହିଳା ଓ ଦୁର୍ବଳ ବର୍ଗଙ୍କୁ ନ୍ୟାୟ ଦେବାକୁ ମୁଁ ସଂକଳ୍ପବଦ୍ଧ । ମମିତା ମେହେର ଘଟଣାରେ ନିରପେକ୍ଷ ତଦନ୍ତର ଅନୁଧ୍ୟାନ ପାଇଁ ଅବସରପ୍ରାପ୍ତ ଜିଲ୍ଲା ଜଜ୍ଙ୍କୁ ଦାୟିତ୍ୱ ଦିଆଯାଇଛି । ଏପରିକି ଏ ନେଇ ମୋ ସରକାର ଜଣେ ବିଚାରପତିଙ୍କୁ ତଦନ୍ତ ପକ୍ରିୟା ଅନୁଧ୍ୟାନ କରିବା ପାଇଁ ନିଯୁକ୍ତ କରିବାକୁ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲା । ଏହାସତ୍ତେ୍ୱ ମଧ୍ୟ ବିରୋଧୀ ବିଧାୟକ ଜଣେ ସଦସ୍ୟଙ୍କୁ ଗୃହକୁ ପ୍ରବେଶ ନକରାଇଦେବା ଉକ୍ତ ସଦସ୍ୟଙ୍କ ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରୁଛି । ପୋଲିସ ସମ୍ପୂର୍ଣ୍ଣ ଚାପମୁକ୍ତ ହୋଇ ପକ୍ଷପାତିତା ନକରି ତଥ୍ୟ ଓ ପ୍ରମାଣ ଆଧାରରେ ନିର୍ଭୟରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି । ମହିଳା ଅପରାଧ କ୍ଷେତ୍ରରେ ଦୋଷୀ ଯେତେ ପ୍ରଭାବଶାଳୀ ହେଲେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ମୁଁ ପୂର୍ବରୁ ମଧ୍ୟ ନିର୍ଦ୍ଦେଶ ଦେଇଛି ।

ଯେକୌଣସି ମାମଲାରେ ପୋଲିସ ଯଦି ତଦନ୍ତରେ ଅବହେଳା କରିଛି, ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଅତୀତରେ ମହିଳା ହିଂସା ସମ୍ପର୍କିତ ସମ୍ବେଦନଶୀଳ ମାମଲା ସିବିଆଇ କିମ୍ବା ହାଇକୋର୍ଟଙ୍କ ଅନୁଧ୍ୟାନରେ ତଦନ୍ତ କରାଯାଇଛି । ରାଜ୍ୟ ପୋଲିସର ତଦନ୍ତରେ କାହାକୁ ଅନୁକମ୍ପା ଦେଖାଯାଇନାହିଁ ବୋଲି ସମ୍ପୃକ୍ତ ସଂସ୍ଥା ନିଜ ତଦନ୍ତ ରିପୋର୍ଟରେ ପ୍ରକାଶ କରିଛନ୍ତି । ଗୃହରେ ବିରୋଧୀ ବିଧାୟକମାନେ ଯେଉଁଭଳି ଢଙ୍ଗରେ ଏହି ଘଟଣାକୁ ରାଜନୀତିର ରଙ୍ଗ ଦେଉଛନ୍ତି, ତାହା ମୋତେ ମର୍ମାହତ କରିଛି । ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟା, ମହାମାରୀ କରୋନା ମୁକାବିଲା ନେଇ ବେଶ ଚାପରେ ଅଛନ୍ତି । ଏହାଛଡ଼ା ଚାଷୀ ପ୍ରସଙ୍ଗ, ଚାଉଳ ଉଠାଣରେ ଏଫ୍ସିଆଇର ମନମାନୀ, କେବିକେ ଓ ଆଦିବାସୀ ଜିଲ୍ଲାକୁ କେନ୍ଦ୍ର ଘର ଯୋଗାଣରେ ବାଧା ଦେଉଛି । ସେପଟେ ଦରଦାମ ବୃଦ୍ଧି, ରନ୍ଧନ ଗ୍ୟାସର ଦୁଇ ଗୁଣା ଦର ସହ ରାଜ୍ୟକୁ କେନ୍ଦ୍ରୀୟ ପାଙଋି ହ୍ରାସ ସାଧାରଣ ଲୋକଙ୍କୁ ବେଶ୍ ପ୍ରଭାବିତ କରୁଛି । ଏସବୁ ପ୍ରସଙ୍ଗରେ ବିରୋଧୀ ବିଧାନସଭାରେ ଆଲୋଚନା କରିବା ବଦଳରେ ଶସ୍ତା ରାଜନୀତିରେ ମାତିଛନ୍ତି । ମୋ ସରକାରକୁ ଓଡ଼ିଶାବାସୀ ସର୍ବଦା ଭରସା, ସମର୍ଥନ ଓ ଆଶୀର୍ବାଦ ଦେଇଆସିଛନ୍ତି । ମମିତା ମେହେର ପରିବାରକୁ ସରକାର ନ୍ୟାୟ ଦେବେ, ଏନେଇ ମୁଁ ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ ବିବୃତି ରଖିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି ମମିତାର ବାପା-ମାଆ ମଧ୍ୟ ଏହି ଘଟଣାକୁ ନେଇ ରାଜନୀତି ନକରିବାକୁ ଅନୁରୋଧ କରିଛନ୍ତି । ସରକାରଙ୍କ ସଠିକ ତଦନ୍ତ ଏବଂ ପରିବାରର ଅନୁରୋଧ ସତ୍ତେ୍ୱ ମଧ୍ୟ ବିରୋଧି ଦଳଗୁଡ଼ିକ ମମିତା ମେହେର ମୃତ୍ୟୁ ଘଟଣାକୁ ରାଜନୀତିର ରଙ୍ଗ ଦେବାରେ ଅବହେଳା କରୁନାହାଁନ୍ତି । ଯାହା ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ :

ମମିତା ହତ୍ୟା ମାମଲାର ଷ୍ଟାଟସ ରିପୋର୍ଟ ହାଇକୋର୍ଟରେ ଦାଖଲ କଲେ ରାଜ୍ୟ ସରକାର । ତଦନ୍ତର ଅଗ୍ରଗତି ନେଇ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରାଯାଇଛି । ସୂଚନାଯୋଗ୍ୟ, ଝିଅକୁ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମମିତାଙ୍କ ପରିବାର ଲୋକେ । ଶୀଘ୍ର ତଦନ୍ତ ସାରି ଫାଷ୍ଟଟ୍ରାକ କୋର୍ଟରେ ବିଚାର ପାଇଁ ଆବେଦନ କରିଥିଲେ ମମିତାଙ୍କ ବାପାଭାଇ । ଗୃହ ସଚିବ, ଡିଜିପି, ବଲାଙ୍ଗିର ଜିଲ୍ଲାପାଳ ଓ ଏସପିଙ୍କୁ ପକ୍ଷଭୁକ୍ତ ପାଇଁ ଆବେଦନ କରାଯାଇଥିଲା । ଲମ୍ବା ସମୟ ଧରି ତଦନ୍ତ ହେବା ଦ୍ୱାରା ମାନସିକ ·ପରେ ପରିବାର ଲୋକେ ଥିବା କୋର୍ଟରେ ଦର୍ଶାଇଥିଲେ । ତେଣୁ ତ୍ୱରିତ ଶୁଣାଣି ଓ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ପାଇଁ ଅପିଲ କରିଥିଲେ । ଏହାପରେ ଆଜି ଏହି ମାମଲାର ଷ୍ଟାଟସ ରିପୋର୍ଟ ହାଇକୋର୍ଟରେ ଦାଖଲ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ୨୩ ତାରିଖରେ ମମିତା ହତ୍ୟା ମାମଲାର ପରବର୍ତ୍ତୀ ଶୁଣାଣି ହେବ ।