ମହାରାଜା ହାଇସ୍କୁଲର ଛାତ୍ରାବାସକୁ ଟାଉନହଲରେ ପରିଣତ କରିବା ଉଦ୍ୟମ ବିରୁଦ୍ଧରେ ପତ୍ର ପ୍ରଦାନ

ପାରଳାଖେମୁଣ୍ଡି : ପାରଳାର ସୁନାମଧନ୍ୟ ମହାରାଜା ତଥା ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ କୃଷ୍ଣଚନ୍ଦ୍ର ଗଜପତିଙ୍କ ଦ୍ୱାରା ନିର୍ମିତ ପାରଳାଖେମୁଣ୍ଡି ମହାରାଜା ହାଇସ୍କୁଲର ଛାତ୍ରାବାସକୁ ଟାଉନହଲରେ ପରିଣତ କରିବା ପାଇଁ ପାରଳା ପୌରପରିିଷଦ ତରଫରୁ ଉଦ୍ୟମ ଜାରି ହୋଇଛି । ଏହାକୁ ପାରଳାଖେମୁଣ୍ଡି ନାଗରିକ ମଞ୍ଚ ଦୃଢ ବିରୋଧ କରିବା ସହ ଏଭଳି ଉଦ୍ଦ୍ୟମ ବିରୁଦ୍ଧରେ ଗଜପତି ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରି ଏଭଳି ଉଦ୍ୟମକୁ ବନ୍ଦ କରିବାପାଇଁ ଦାବି କରିଛନ୍ତି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ଉଚ୍ଚ ବିଦ୍ୟାଳୟ କେବଳ ପାରଳାଖେମୁଣ୍ଡି ନୁହଁ ସମଗ୍ର ଓଡିଶାର ଏକ ଐତିହ୍ୟ ସମ୍ପନ୍ନ ଉଚ୍ଚ ବିଦ୍ୟାଳୟ । ଏଠାରେ ଛାତ୍ର ସଂଖ୍ୟା ୧୮୦୦-୨୦୦୦ ପର୍ଯ୍ୟନ୍ତ ରହୁଥିଲା । ବର୍ତ୍ତମାନ ଏହା ୬୦୦କୁ କମି ଆସିଥିବା ପରିତାପର ବିଷୟ । ଘରୋଇ ଶିକ୍ଷାନୁଷ୍ଠାନରେ ଅବସ୍ଥାପନ ଅଭିଭାବକମାନେ ସେମାନଙ୍କ ପିଲାଙ୍କ ନାମ ଲେଖାଇବା ଏବଂ ଗରିବ ଦଳିତ ଆଦିବାସୀ ଓ ହରିଜନ ଛାତ୍ରଙ୍କ ପାଇଁ ପର୍ଯ୍ୟାପ୍ତ ଛାତ୍ରାବାସର ଅଭାବରୁ ଏଭଳି ପରିସ୍ଥିତ ଉପୁଜିଥିବା ଆମେ ଅନୁଭବ କରୁଛୁ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ଛାତ୍ରାବାସରେ ଅନେକ ବର୍ଷ ପର୍ଯ୍ୟନ୍ତ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ଚଳାଇବା ଓ ତତ୍‌ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ରଖିବା କାରଣରୁ ତାହା ଛାତ୍ରାବାସ ଭାବେ ବ୍ୟବହୃତ ହୋଇପାରୁନାହିଁ । କିନ୍ତୁ ଏହି ଗୃହଟି ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅମଳରୁ ହାଇସ୍କୁଲର ଏକ ସଂଲଗ୍ନ ଗୃହ ହୋଇ, ଅନୁଷ୍ଠାନର ଛାତ୍ରାବାସ ଭାବେ ଦୀର୍ଘବର୍ଷ ଧରି ବ୍ୟବହୃତ ହୋଇ ଆସିଛି । ପରବର୍ତ୍ତୀ ସମୟରେ ଏହି ଗୃହଟି ଅନ୍ୟାନ୍ୟ ବାବଦରେ ବ୍ୟବହୃତ ହେବା ଫଳଳରେ ଛାତ୍ରଙ୍କ ରହଣି ନିମନ୍ତେ ଅସୁବିଧା ହେବାରୁ ଉଚ୍ଚ ବିଦ୍ୟାଳୟରେ ଅଧିକ ଛାତ୍ର ନାମ ଲେଖାବାକୁ ଆଗ୍ରହୀ ହେଉନଥିବା ଅନୁଭବ କରି ଉତ୍କଳ ହିତୈଷିଣୀ ସମାଜ ପକ୍ଷରୁ ଏଥି ପୂର୍ବରୁ ଜିଲ୍ଲାପାଳ ଓ ଶିକ୍ଷା ବିଭାଗକୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଫଳରେ ଉକ୍ତ ଛାତ୍ରାବାସ ଗୃହ ତ୍ୟାଗ କରିବାକୁ ଅନିଛୁକ ଥିବା ଜିଲ୍ଲା ଶିକ୍ଷାଧିକାରୀ ସଂଜୀବ କୁମାର ସିଂ ଉକ୍ତ ଗୃହ ଖାଲି କରିବାକୁ ବାଧ୍ୟ ହୋଇଥିଲେ । ସେଠାରୁ କାର୍ଯ୍ୟାଳୟ ଉଠାଇନେଇ ୬ମାସରୁ ଅଧିକ ସମୟ ଅତିବାହିତ ହୋଇଥିବା ସତ୍ତ୍ୱେ ଏ ପର୍ଯ୍ୟନ୍ତ ସେଥିର ଏ ପର୍ଯ୍ୟନ୍ତ ସେଥିର ଚାର୍ଜ ଓ ଚାବି ଉଚ୍ଚ ବିଦ୍ୟାଳୟକୁ ହସ୍ତାନ୍ତର ନକରିବା ଦୁର୍ଭାଗ୍ୟ ଜନକ । ଘଟଣା ଏପରି ଥିବାବେଳେ ବର୍ତ୍ତମାନ ପାରଳା ପୌର କର୍ତ୍ତୃପକ୍ଷ ଉକ୍ତ ଛାତ୍ରାବାସକୁ ନିଜ ଅକ୍ତିଆର ନେବାକୁ ଯୋଜନା କରିଥିବା ଶୁଣି ଆମେ ତାର ଘୋର ପ୍ରତିବାଦ କରୁଛୁ । ଉକ୍ତ ଛାତ୍ରାବାସ ଗୃହଟି ମହାରାଜାଙ୍କ ବାଳକ ଉଚ୍ଚ ବିଦୟାଳୟର ନିଜସ୍ୱ ଅଟେ ଓ ଏହା ଉକ୍ତ ଶିକ୍ଷାନୁଷ୍ଠାନର ସତ୍ତ୍ୱାଧିକାର ଓ ଦଖଲରେ ନିର୍ବିବାଦରେ ଶତାଧିକ ବର୍ଷ ହେଲା ରହିଆସିଛି । ପୌର କର୍ତ୍ତୃପକ୍ଷ ମଧ୍ୟ ଉକ୍ତ ଗୃହକୁ ଏକ ହୋଲ୍‌ଡିଂ ବୋଲି ସ୍ୱୀକାର କରି ହୋଲ୍‌ଡିଂ ଟିକସ ଓ ଅନ୍ୟାନ୍ୟ ଟିକସ ଦାବି କରୁଛନ୍ତି ଓ ତାହା ଉଚ୍ଚ ବିଦ୍ୟାଳୟ ଦ୍ୱାରା ପୈଠ ହେଉଛି । ପୌର ପରିଷଦ ନାମରେ ଭୂଲ କ୍ରମେ ବନ୍ଦୋବସ୍ତ ପଟ୍ଟା କରାଯାଇଛି । ପଟ୍ଟା କାହାକୁ ହକ୍କ ଦିଏ ନାହିଁ କିମ୍ବା ଛଡାଇ ନେଇପାରେ ନାହିଁ ବୋଲି ଥିବା ନିୟମ ବିଷୟରେ ଜଣାଇଛନ୍ତି ।

ଏପରି ସ୍ଥିତିରେ ପାରଳା ପୌର ପରିଷଦର ଉକ୍ତ ଗୃହକୁ ଅକ୍ତିଆର କରିନେବା ଉଦ୍ୟମ ସମ୍ପୂର୍ଣ୍ଣ ଜନସ୍ୱାର୍ଥ ବିରୋଧୀ । ତେଣୁ ଆମେ ତାର ଦୃଢ ପ୍ରତିବାଦ କରି ଜଣାଇ ଦେବାକୁ ବାଧ୍ୟ ହେଉଛୁ ବୋଲି ଜଣାଇଛନ୍ତି । ଏହି ସ୍ମାରକପତ୍ର ପ୍ରଦାନ ହେବଳେ ସଚେତନ ନାଗରିକ ମଞ୍ଚର ଆବାହକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବସନ୍ତ ଦାସ, ରାଜେନ୍ଦ୍ର ବେରେହା, ବିନୋଦଚନ୍ଦ୍ର ଜେନା, ସଚ୍ଚିଦାନନ୍ଦ ସାମଲ, ଜଗଦୀଶ ମହାପାତ୍ର, ଭାରତ ଭୂଷଣ ମହାନ୍ତି, ହରିମୋହନ ପଟ୍ଟନାୟକ, ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।