ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦାବିରେ ଦିଲ୍ଲୀ ଜନ୍ତର ମନ୍ତରରେ ଓଡ଼ିଶା ଯୁବ-ଛାତ୍ର ସଂଗଠନ ପକ୍ଷରୁ ଆନ୍ଦୋଳନ

ନୁଆଦିଲ୍ଲୀ : ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦାବିରେ ଆଜି ରାଜଧାନୀ ନୁଆଦିଲ୍ଲୀର ଜନ୍ତର ମନ୍ତର ଠାରେ ଓଡ଼ିଶା ଯୁବ ଛାତ୍ର ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଛି । ସଂଗଠନର ପ୍ରତିଷ୍ଠାତା ଆଶିଷ ରଂଜନ ମିଶ୍ରଙ୍କ ନେତୃତ୍‌ୱରେ ଏହି ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା । ୧୮୧୭ ମସିହା ମାର୍ଚ୍ଚ ୨୯ ତାରିଖରେ ଇଂରେଜମାନଙ୍କ ଅନ୍ୟାୟ, ଅତ୍ୟାଚାର ଏବଂ ଆର୍ଥିକ ଶୋଷଣ ବିରୋଧରେ ବକ୍ସି ଜଗବନ୍ଧୁ, ଜୟୀ ରାଜଗୁରୁଙ୍କ ସମେତ ସମସ୍ତ ଓଡ଼ିଆ ପାଇକ ବୀରପୁତ୍ରମାନେ ସଂଗ୍ରାମ କରିଥିଲେ । ପାଇକ ବିଦ୍ରୋହ ଦ୍ୱାରା ହିଁ ଇଂରେଜମାନଙ୍କ ବିରୋଧରେ ଦେଶରେ ସ୍ୱାଧିନତା ସଂଗ୍ରାମର ଅୟଂଆରମ୍ଭ ହୋଇଥିଲା । ସଂଗଠନର ପ୍ରତିଷ୍ଠାତା ଆଶିଷ ରଂଜନ ମିଶ୍ର କହିଛନ୍ତି ୨୦୧୭ ମସିହାରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ମାନ୍ୟତା ପ୍ରଦାନ କରିଥିଲେ କିନ୍ତୁ ବର୍ତ୍ତମାନ ମଧ୍ୟ ଭାରତର କିଛି ରାଜ୍ୟ ମାନଙ୍କରେ ଆଗାମୀ ଦିନରେ ନିର୍ବାଚନ ଥିବାରୁ ୧୮୫୭ର ସିପାହୀ ବିଦ୍ରୋହକୁ ପ୍ରାଧାନ୍ୟ ଦେବାକୁ ଯାଇ ପ୍ରଥମ ସ୍ୱାଧୀନତାର ମାନ୍ୟତା ଦେଇ କେନ୍ଦ୍ର ସରକାର ପାଇକ ବିଦ୍ରୋହକୁ ଗୌଣ କରିବାକୁ ଅପଚେଷ୍ଟା କରୁଛନ୍ତି । ଅବିସ୍ମରଣୀୟ ପାଇକ ବିଦ୍ରୋହ ହେଉଛି ଓଡ଼ିଆ ଜାତିର ଅସ୍ମିତା, ବୀରତ୍ୱର ସ୍ମୂତିସ୍ତମ୍ଭ । ତେଣୁ ପାଇକ ବିଦ୍ରୋହକୁ କେନ୍ଦ୍ର ସରକାର ଅଣଦେଖା କରି ଓଡ଼ିଆଙ୍କ ଭାବାବେଗ ସହିତ ଖେଳିବା ବନ୍ଦ କରନ୍ତୁ । କେନ୍ଦ୍ର ସରକାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନର ପ୍ରତିଶୃତିକୁ ପୂରଣ କଲେ ହିଁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ସମସ୍ତ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ । ଏଥିରୁ ବିଚ୍ୟୁତ ହେଲେ ଦିଲ୍ଲୀ ଦରବାରରେ ଓଡ଼ିଆ ଜାତିର ଏହି ଆନ୍ଦୋଳନ ଆହୁରି ତିବ୍ରତର ହେବ ।

Comments (0)
Add Comment