କଳାହାଣ୍ଡି-ରାୟଗଡ଼ାକୁ ରେଡ୍ ୱାର୍ଣ୍ଣିଂ ଲଘୁଚାପ: ଭୀଷଣ ବର୍ଷା ଆଲର୍ଟ ୮ ଜିଲ୍ଲାକୁ ଅରେଞ୍ଜ ଓ ୧୦କୁ ୟେଲୋ ସତର୍କତା ଚାରିଦିନ ପର୍ଯ୍ୟନ୍ତ ଜାରି ରହିବ ବର୍ଷା

ଭୁବନେଶ୍ୱର, ୭ା୮(ଡିକେ ନ୍ୟୁଜ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅଧିକ ଘନୀଭୂତ ହୋଇଛି । ୪୮ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବ । ଡିପ୍ରେସନ୍ ଓଡ଼ିଶା ଓ ଛତିଶଗଡ଼ର ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ପ୍ରଭାବରେ ରାଜ୍ୟରେ ଚାରିଦିନ ବର୍ଷା ଜାରି ରହିବ । ୨୪ ଘଣ୍ଟାରେ ଭୀଷଣ ବର୍ଷା ପାଇଁ ଦୁଇଜିଲ୍ଲା କଳାହାଣ୍ଡି ଓ ରାୟଗଡ଼ାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଜପତି, ଗଂଜାମ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପକ୍ଷରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, କଟକ, ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ବୋଲି ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ପ୍ରକୋପ ଜାରି ରହିବ । ଭୁବନେଶ୍ୱର ଓ କଟକ ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହ ଭୁବନେଶ୍ୱରର କିଛି ସ୍ଥାନରେ ବଜ୍ରପାତ ସହ ପ୍ରବଳ ବର୍ଷା ଓ କଟକର କିଛି ସ୍ଥାନରେ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇପାରେ । ଲଘୁଚାପ ସହ ରାଜ୍ୟରେ ପୁଣିଥରେ ସକ୍ରିୟ ହୋଇଛି ମୌସୁମୀ । ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁ ନବରଙ୍ଗପୁର ଜିଲ୍ଲାରେ ବଢ଼ିଛି ଟୁଇ ନଦୀର ଜଳସ୍ତର । ପାପଡାହାଣ୍ଡି ନିକଟରେ ପୋଲ ଉପରେ ପାଣି ଚାଲୁଥିବାରୁ ନବରଙ୍ଗପୁର-ରାୟପୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କିଛି ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ଦୃଶ୍ୟ ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା କେ.ନୂଆଗାଁ ବ୍ଲକ୍ ମିରିଣ୍ଡାପଡ଼ ଗାଁରେ କାଲିପେମ୍ ନଦୀ ଉପରେ ଥିବା କାଠପୋଲକୁ ଭସାଇ ନେଇଛି ପାଣି ସୁଅ । ଫଳରେ ବିନ୍ଦିରିପଡ଼ାରୁ ଗୁଞ୍ଜିବାରି ପଞ୍ଚାୟତକୁ ଯାଆସ ବନ୍ଦ ହୋଇଯାଇଛି । ଲଘୁଚାପ୍ ଯୋଗୁ ୧୦ ତାରିଖ ଯାଏ ବର୍ଷାରୁ ନିସ୍ତାର ନାହିଁ । ଏହି ସମୟରେ ୪୫ରୁ ୫୫ କିମି ବେଗରେ ପବନ ବହିପାରେ । ସମୁଦ୍ର ଅଶାନ୍ତ ରହୁଥିବାରୁ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି ।

Comments (0)
Add Comment