ସ୍ୱାଧୀନତା ସଂଗ୍ରାମୀ ଉଷାଙ୍କ ବାୟୋପିକ୍‌ରେ ସାରା

ମୁମ୍ବାଇ, ୨୦ା୮: ଅଭିନେତ୍ରୀ ସାରା ଅଲୀ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ହେଉଛି “ଏ ତନ ମେରେ ତନ୍‌’ । ଆସନ୍ତା ମାସରୁ ଏହାର ସୁଟିଂ ଆରମ୍ଭ ହେବ । ଉଲ୍ଲେଖନୀୟ କଥା ହେଲା ସାରା ପ୍ରଥମ ଥର ପାଇଁ ଏକ ବାୟୋପିକ୍‌ରେ ଅଭିନୟ କରୁଛନ୍ତି । କରଣ ଜୋହରଙ୍କ ପ୍ରଯୋଜନା ସଂସ୍ଥା ଦ୍ୱାରା ନିର୍ମିତ ହେବାକୁ ଥିବା ଏହି ସିନେମାରେ ସାରା ସ୍ୱାଧୀନତା ସଂଗ୍ରାମୀ ଉଷା ମେହଟାଙ୍କ ଚରିତ୍ରରେ ଦେଖାଦେବେ । ଜଣେ ଐତିହାସିକ ସ୍ୱାଧୀତନା ସଂଗ୍ରାମୀଙ୍କ ରୂପରେ ପରଦାରେ ଦିଶିବାଲାଗି ସାରା ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କହିବା ବାହୁଲ୍ୟ ଯେ ସେ ଏଥିପାଇଁ ଖୁବ୍ ଉତ୍ସାହିତ । “ଏ ତନ ମେରେ ତନ୍‌’ ଚଳଚ୍ଚିତ୍ରଟି ମୁଖ୍ୟତଃ ଉଷା ମେହଟାଙ୍କ ଦ୍ୱାରା “କଂଗ୍ରେସ ରେଡିଓ’ର ସ୍ଥାପନା କାହାଣୀ ଉପରେ କେନ୍ଦ୍ରିତ । ୧୯୪୨ରେ ଭାରତଛାଡ଼ ଆନ୍ଦୋଳନ ବେଳେ କିଛି ମାସ ଧରି ଏହି ଗୁପ୍ତ ରେଡିଓ ଷ୍ଟେସନ୍ କାର୍ଯ୍ୟକ୍ଷମ ରହିଥିଲା । ସ୍ୱାଧୀନତା ସଂଗ୍ରାମରେ ଏହି ରେଡିଓ ଷ୍ଟେସନ୍‌ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ସେ ଦୃଷ୍ଟିରୁ ଉଷାଙ୍କ ପରି ଜଣେ ନିର୍ଭୀକ ନାରୀ ସଂଗ୍ରାମୀଙ୍କ ଜୀବନକାହାଣୀ ଚଳଚ୍ଚିତ୍ର ଜରିଆରେ ପ୍ରଦର୍ଶିତ ହେବା ତାଙ୍କ ପ୍ରତି ଉଚିତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଆଶା କରାଯାଉଛି । ତେବେ ଏହା ଉଷା ମେହଟାଙ୍କୁ ନେଇ ନିର୍ମିତ ହେଉଥିବା ଏକମାତ୍ର ଚଳଚ୍ଚିତ୍ର ନୁହେଁ । ଚଳଚ୍ଚିତ୍ର ନିର୍ମାତା କେତନ ମେହଟା ମଧ୍ୟ ଉଷାଙ୍କର ଏକ ବାୟୋପିକ୍ ତିଆରି କରୁଛନ୍ତି । ଏହାର ଶୀର୍ଷକ- “ଫ୍ରିଡମ୍ ରେଡିଓ’ । ସେଥିରେ ତାପସୀ ପନ୍ନୁ ବା ଭୂମି ପେଡ଼ନେକରଙ୍କୁ ମୁଖ୍ୟ ଭୂମିକା ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ସ୍ମରଣଯୋଗ୍ୟ ଯେ “କେଦାରନାଥ’ ଚଳଚ୍ଚିତ୍ରରେ ସୁଶାନ୍ତ ସିଂହ ରାଜପୁତଙ୍କ ବିପକ୍ଷରେ ଅଭିନେତ୍ରୀ ସାରା ଅଲୀ ଖାନ ବଲିଉଡ୍‌ରେ ପାଦ ଦେବା ଏକ ସ୍ମରଣୀୟ ଘଟଣା ଥିଲା । ଏହା ଥିଲା ୨୦୧୮ ମସିହାର କଥା । ସେହି ମାସରେ ସାରା ପୁଣି “ସିମ୍ବା’ ଚଳଚ୍ଚିତ୍ରରେ ଦେଖାଦେଇଥିଲେ । ଏହା ପରେ ୨୦୨୦ରେ ତାଙ୍କର “ଲଭ୍ ଆଜ୍ କଲ୍‌’ ଓ “କୁଲି ନମ୍ବର ୧’ ସିନେମା ମୁକ୍ତିଲାଭ କରିଥିଲା କିନ୍ତୁ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ଦୁଇଟିଯାକ ଚଳଚ୍ଚିତ୍ର ବିଫଳ ହୋଇଥିଲେ । ହେଲେ ୨୦୨୧ର “ଅତରଙ୍ଗୀ’ରେ ସାରା ନିଜର ବଳିଷ୍ଠ ଅଭିନୟ ଦକ୍ଷତା ପ୍ରଦର୍ଶନ କରି ଜଣାଇଦେଇଥିଲେ ଯେ ଚଳଚ୍ଚିତ୍ର ଶିଳ୍ପରେ ସେ ଦୀର୍ଘସ୍ଥାୟୀ ଛାପ ଛାଡ଼ିବାକୁ ଚାହାନ୍ତି । ତାଙ୍କର ଆଗାମୀ ଚଳଚ୍ଚିତ୍ର “ଏ ତନ ମେରେ ତନ୍‌’ ସେହିଭଳି ପ୍ରଭାବଶାଳୀ ହେବ ବୋଲି ଆନୁମାନ କରାଯାଉଛି ।

Comments (0)
Add Comment