ଭାରତରେ ଲଞ୍ଚ୍‌ ହେଲା ସର୍ଭାଇକଲ କ୍ୟାନ୍ସର୍‌ ଭାକ୍‌ସିନ୍‌

ନୂଆଦିଲ୍ଲୀ, ୨ା୯: ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ବଡ ସଫଳତା । ଭାରତରେ ଲଞ୍ଚ୍‌ ହେଲା ସର୍ଭାଇକଲ କ୍ୟାନସର୍‌ ଭାକସିନ୍‌ । ତେବେ ସର୍ଭାଇକଲ କ୍ୟାନସର୍‌ ପାଇଁ ଭାକସିନ୍‌ ଆସନ୍ତା କିଛି ମାସରେ ବହୁତ ମାତ୍ରାରେ ଉପଲବ୍ଧ ହୋଇଯିବ । ଏଏନଆଇ ଅନୁସାରେ, ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର ସିଇଓ ଆଦାର ପୁନାୱାଲା ଏନେଇ ସୂଚନା ଦେଇଛନ୍ତି । ପ୍ରଥମେ ଏହି ଟିକାକୁ ଦେଶରେ ପ୍ରଦାନ କରାଯିବ । ପରେ ଏହାକୁ ରପ୍ତାନୀ କରାଯିବ ବୋଲି ସେ କହିଛନ୍ତି । ସର୍ଭାଇକଲ ଭାକସିନ୍‌ ତିଆରି କରିବା ବହୁତ ବଡ ସଫଳତା ଅଟେ । ଚିକିତ୍ସା ବିଜ୍ଞାନ ପାଇଁ ଏହା ବହୁତ ବଡ ଅଟେ । ଏହି ସଫଳତା ପରେ ଆଦାର ପୁନାୱାଲା କହିଛନ୍ତି ଯେ, ଭାକସିନର ଦାମ୍‌ ୨୦୦ରୁ ୪୦୦ ଟଙ୍କା ମଧ୍ୟରେ ହେବ । ତେବେ ଏଯାଏଁ ଦାମ୍‌ ସ୍ପଷ୍ଟ ହୋଇନାହିଁ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଆଗାମୀ ଦୁଇବର୍ଷରେ ୨୦ କୋଟି ଡୋଜ୍‌ ପ୍ରସ୍ତୁତ କରାଯିବ । ଏହା ମେଡ୍‌ ଇନ୍‌ ଇଣ୍ଡିଆ ଭାକସିନ୍‌ ଅଟେ । ଏବେ ସର୍ଭାଇକଲ କ୍ୟାନସର୍‌ ବିରୋଧରେ ଲଢିବା ଆହୁରି ସହଜ ହୋଇଯିବ । ଏହା ଏକପ୍ରକାର କ୍ୟାନସର୍‌ ଅଟେ । ଯାହା ଗର୍ଭାଶୟର କୋଷରେ ସୃଷ୍ଟି ହୋଇଥାଏ । ହ୍ୟୁମାନ ପୋପିଲୋମା ଭାଇରସ୍‌ ସଂକ୍ରମଣରୁ ଏହା ବଢିଥାଏ । ତେବେ ଭାକସିନ୍‌ ୯ରୁ ୧୪ ବର୍ଷର ବାଳିକାଙ୍କୁ ଦିଆଯିବ ବୋଲି କୁହାଯାଉଛି । ଭାରତରେ ସର୍ଭାଇକଲ କ୍ୟାନସର୍‌ ମାମଲା ବଢିଛି । ରିପୋର୍ଟ ଅନୁସାରେ, ୧୫ରୁ ୪୪ ବର୍ଷର ମହିଳା ଏଥିରେ ବେଶି ପ୍ରଭାବିତ ହୋଇଥାନ୍ତି । ଟିକାକରଣ ଦ୍ୱାରା ଏହି କ୍ୟାନସରକୁ ରୋକାଯାଇପାରିବ । ସରକାର ରାଷ୍ଟ୍ରୀୟ ଟିକାକରଣ ଅଭିଯାନରେ ଏହାକୁ ସାମିଲ କରିପାରନ୍ତି । ଯାହା କ୍ୟାନସରକୁ କମାଇବାରେ ଅନେକାଂଶରେ ସଫଳ ହେବ ।

Comments (0)
Add Comment