ଅବସର ବୟସ ବଢ଼ାଇବ ଇପିଏଫ୍‌ଓ

ନୂଆଦିଲ୍ଲୀ: ଆସନ୍ତା ୨୦୪୭ ବେଳକୁ ଭାରତ ବୟସ୍କ ଲୋକମାନଙ୍କ ଏକ ଦେଶରେ ପରିଣତ ହେବ । ସେହି ସମୟରେ ୧୪ କୋଟି ଲୋକଙ୍କ ବୟସ ୬୦ ବର୍ଷରୁ ଅଧିକ ହେବ । ତାହା ଦେଶର ପେନ୍‌ସନ୍‌ ପାଣ୍ଠି ବ୍ୟବସ୍ଥା ଉପରେ ଚାପ ସୃଷ୍ଟି କରିବ । ତେଣୁ ଲୋକମାନଙ୍କ ଅବସର ବୟସ ସୀମାକୁ ବଢ଼ାଇବା ସପକ୍ଷରେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ଏହାର ଭିଜନ୍‌ ୨୦୪୭ରେ ଯୁକ୍ତି ବାଢ଼ିଛି । ଦେଶରେ ପେନ୍‌ସନ୍‌ ବ୍ୟବସ୍ଥାକୁ ନିରବଚ୍ଛିନ୍ନ ରଖିବା ଲାଗି ଲୋକମାନଙ୍କ ହାରାହାରି ଆୟୁ ଅନୁସାରେ ଅବସର ବୟସ ନିର୍ଧାରଣ କରିବାକୁ ଏଥିରେ ପ୍ରସ୍ତାବ ଦିଆଯାଇଛି । କିଛି ଦେଶ ଅବସର ବୟସ ସୀମା ବଢ଼ାଇଛନ୍ତି । ସେମାନଙ୍କ ଅଭିଜ୍ଞତାରୁ ଶିକ୍ଷା ହାସଲ କରାଯାଇପାରିବ ବୋଲି ଏହି ଦସ୍ତାବିଜରେ କୁହାଯାଇଛି । ଇପିଏଫ୍‌ଓର ୬ କୋଟିରୁ ଅଧିକ ସଦସ୍ୟ ଥିବା ବେଳେ ଏହା ପାଖରେ ପ୍ରାୟ ୧୨ ଲକ୍ଷ କୋଟି ଟଙ୍କାର ପାଣ୍ଠି ରହିଛି । ଇପିଏଫ୍‌ଓ ଏହାର ଯୋଜନାରେ ପେନ୍‌ସନ୍‌ ପାଣ୍ଠି ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ପିଏଫ୍‌ଆରଡିଏ)କୁ ସାମିଲ କରିବାକୁ ଚାହୁଛି । ଏହି ସଂସ୍ଥା କେନ୍ଦ୍ର ସରକାରଙ୍କ ଏନ୍‌ପିଏସ୍‌ ସ୍କିମ୍‌ର ପରିଚାଳନା କରୁଛି । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ) ତଥ୍ୟ ଅନୁସାରେ ୨୦୩୧ ସୁଦ୍ଧା ଦେଶରେ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ୨୦୨୧ର ୧୩.୮ କୋଟି ତୁଳନାରେ ୪୧ ପ୍ରତିଶତ ବୃଦ୍ଧି ପାଇ ୧୯.୪ କୋଟିରେ ପହଞ୍ଚିବ । ଉଭୟ ପୁରୁଷ ଓ ମହିଳାଙ୍କ ହାରାହାରି ଆୟୁ ବଢ଼ିବ । ସେହି ଅନୁସାରେ ବୟସ୍କ ଲୋକଙ୍କ ଅବସରକାଳୀନ ପାଣ୍ଠି ଓ ସ୍ୱାସ୍ଥ୍ୟ ସୁରକ୍ଷା ଆବଶ୍ୟକତା ବୃଦ୍ଧି ପାଇବ । ଭାରତରେ ବିଭିନ୍ନ ବ୍ୟବସ୍ଥାରେ ଅବସର ବୟସ ୫୮ରୁ ୬୫ ବର୍ଷ ମଧ୍ୟରେ ରହିଛି । ୟୁରୋପୀୟ ସଂଘ ଅଧୀନରେ ଥିବା ଦେଶଗୁଡ଼ିକରେ ଅବସର ବୟସ ୬୫ ବର୍ଷ ଧାର୍ଯ୍ୟ କରାଯାଇଛି । ଡେନ୍‌ମାର୍କ, ଇଟାଲି ଓ ଗ୍ରିସ୍‌ରେ ତାହା ୬୭ ବର୍ଷ ରହିଥିବା ବେଳେ ଆମେରିକାରେ ୬୬ ବର୍ଷ ରହିଛି ।

Comments (0)
Add Comment