ନୂଆଦିଲ୍ଲୀ: ୱାଟରଫିଲ୍ଡ ଆଡଭାଇଜର୍ସର ସହଯୋଗରେ ପ୍ରସ୍ତୁତ ଫର୍ଚ୍ୟୁନ ଇଣ୍ଡିଆ ଧନୀ ଭାରତୀୟ ତାଲିକା ୨୦୨୨ ପ୍ରକାଶ ପାଇଛି । ଏଥିରେ
ଦର୍ଶାଯାଇଛି ଯେ ୧୪୨ ଜଣ ବଡ଼ ଧନୀ ଭାରତୀୟ ବା ବିଲିୟନେୟାରଙ୍କ ସଂପତ୍ତି ୮୩୨ ଆମେରିକୀୟ ବିଲିଅନ ଡଲାର ବା ପ୍ରାୟ ୬୬.୩୬ ଲକ୍ଷ କୋଟି ଟଙ୍କା ରହିଛି । କରୋନା ମହାମାରୀ ବେଳେ ଭାରତରେ ବିଲିୟନେୟାରଙ୍କ ସଂଖ୍ୟା ବି ବଢ଼ିଛି । ମହାମାରୀ ପୂର୍ବରୁ ୧୦୨ ଜଣ ବିଲିୟନେୟାର ଥିବା ବେଳେ ଏବେ ତାହା ୧୪୨କୁ ବୃଦ୍ଧି ପାଇଛି । ଅର୍ଥାତ୍ କରୋନାବେଳେ ୪୦ ନୂଆ ବିଲିୟନେୟାର ସୃଷ୍ଟି ହୋଇଛନ୍ତି । ଧନୀ ଭାରତୀୟଙ୍କ ମଧ୍ୟରେ ଆଦାନି ଗ୍ରୁପ୍ ମୁଖ୍ୟ ଗୌତମ ଆଦାନି ଶୀର୍ଷରେ ରହିଛନ୍ତି । ତାଙ୍କ ସଂପତ୍ତି ୧୦.୨୯ ଲକ୍ଷ କୋଟି ଟଙ୍କା ରହିଛି । ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ମୁକେଶ ଅମ୍ବାନି ରହିଛନ୍ତି । ମୁକେଶଙ୍କ ସଂପତ୍ତି ୭.୫୫ ଲକ୍ଷ କୋଟି ଟଙ୍କା ରହିଛି । ତୃତୀୟ ସ୍ଥାନରେ ସାପୁର ମିସ୍ତ୍ରୀ ଓ ସାଇରସ ମିସ୍ତ୍ରୀ ପରିବାର ଅଛନ୍ତି । ସେମାନଙ୍କ ସଂପତ୍ତି ୨.୫୭ ଲକ୍ଷ କୋଟି ଟଙ୍କା । ସେହିଭଳି ଚତୁର୍ଥ ସ୍ଥାନରେ ରାଧାକୃଷ୍ଣ ଦମାନି (୨.୧୯ ଲକ୍ଷ କୋଟି ଟଙ୍କା), ପଞ୍ଚମ ସ୍ଥାନରେ ଅଜିମ ପ୍ରେମଜୀ (୧.୭୪ ଲକ୍ଷ କୋଟି ଟଙ୍କା), ଷଷ୍ଠ ସ୍ଥାନରେ ସାଇରସ ସୋଲି ପୁନାୱାଲା (୧.୬୨ ଲକ୍ଷ କୋଟି ଟଙ୍କା), ସପ୍ତମ ସ୍ଥାନରେ ଶିବ ନାଦର ( ୧.୫୭ ଲକ୍ଷ କୋଟି ଟଙ୍କା), ଅଷ୍ଟମ ସ୍ଥାନରେ କୁମାର ମଙ୍ଗଳମ ବିର୍ଲା (୧.୫୩ ଲକ୍ଷ କୋଟି ଟଙ୍କା), ନବମ ସ୍ଥାନରେ ଆଦି ଗୋଦରେଜ୍ ଓ ତାଙ୍କ ପରିବାର (୧.୪୦ ଲକ୍ଷ କୋଟି ଟଙ୍କା) ଏବଂ ଦଶମ ସ୍ଥାନରେ ବଜାଜ୍ ଗ୍ରୁପ୍ର ଶେଖର ବଜାଜ୍, ନୀରଜ ବଜାଜ, ରାଜୀବ ବଜାଜ ଏବଂ ସଂଜୀବ ବଜାଜ (୧.୨୧ ଲକ୍ଷ କୋଟି ଟଙ୍କା) ରହିଛନ୍ତି ।