ବୁଧବାର ମୁମ୍ବାଇରେ ଇନ୍‌ଭେଷ୍ଟର୍ସ ମିଟ୍‌ ଶିଳ୍ପପତିଙ୍କ ସହ ନବୀନଙ୍କ ୱାନ୍‌-ଟୁ-ୱାନ୍‌ ଆଲୋଚନା

ଭୁବନେଶ୍ୱର, ୧୨ା୯(ଡିକେ ନ୍ୟୁଜ): ଆସନ୍ତା ୧୪ ତାରିଖ ସଂଧ୍ୟାରେ ମୁମ୍ବାଇରେ ରୋଡ ଶୋ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ସେଠାରେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଯୋଗଦେବେ । ଏଥିରେ ଦେଶର ବିଶିଷ୍ଟ ଉଦ୍ୟୋଗପତି ସାମିଲ ହେବା କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିବେ । ରାଜ୍ୟରେ ବ୍ୟାପକ ପୁଞ୍ଜିନିବେଶ ପାଇଁ ସମ୍ମିଳନୀରେ ଶିଳ୍ପପତିମାନଙ୍କ ସହ ରାଜ୍ୟ ସରକାର ବିସ୍ତୃତ ଆଲୋଚନା କରିବେ । ଓଡ଼ିଶାରେ ବିଶେଷକରି ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଖଣି, ଆଇଟି ଆଦି କ୍ଷେତ୍ରରେ କ’ଣ ସୁଯୋଗ ରହିଛି ଓ ରାଜ୍ୟ ସରକାର କି ସହଯୋଗ କରିବେ ସେନେଇ ନିବେଶକାରୀଙ୍କୁ ଅବଗତ କରାଇବେ । ଏଥିପାଇଁ ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ୩ ଦିନିଆ ମୁମ୍ବାଇ ଗସ୍ତରେ ଯିବେ । ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ଯୋଗଦେବେ । ବଡ଼ ବଡ଼ ଶିଳ୍ପପତି ଯଥା ଆଦିତ୍ୟ ବିର୍ଲା ଗ୍ରୁପ୍‌ର ମୁଖ୍ୟ କୁମାର ମଙ୍ଗଳମ୍‌ ବିର୍ଲା, ବେଦାନ୍ତ ରିସୋର୍ସେସ୍‌ ଲିମିଟେଡ୍‌ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ । ୨୦୧୮ ନିବେଶକ ସମ୍ମିଳନୀରେ ନବୀନଙ୍କୁ ଭେଟିଥିଲେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ । ଏଥର ଅମ୍ବାନୀଙ୍କ ସହ ଭେଟ ହେବ କି ନାହିଁ ତାହା ଉପରେ ନଜର ରହିବ । କେଉଁ କେଉଁ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ କ’ଣ ସୁଯୋଗ ରହିଛି ତାହା ଉପରେ ମୁଖ୍ୟମନ୍ତ୍ରୀ ଆଭିମୁଖ୍ୟ ରଖିବେ । ମୁମ୍ବାଇ ଗସ୍ତ ସମୟରେ ୧୫ ତାରିଖ ଦିନ ମୁମ୍ବାଇ ଷ୍ଟକ୍‌ ଏକ୍ସଚେଞ୍ଜ ଯିବେ ମୁଖ୍ୟମନ୍ତ୍ରୀ । ସେଠାରେ ଷ୍ଟକ୍‌ ଏକ୍ସଚେଞ୍ଜର ବେଲ୍‌ ବଜାଇବାର କାର୍ଯ୍ୟକ୍ରମ ରହିଛି । ସାଧାରଣତଃ ପ୍ରତିଦିନ ସକାଳ ୯ଟାରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ଖୋଲିଥାଏ । କାରବାର ଆରମ୍ଭ ପୂର୍ବରୁ ଏହି ଓପନିଂ ବେଲ୍‌ ବଜାଇବାର ପରମ୍ପରା ରହିଛି । ବେଲ ବାଜିବାର ୧୫ ମିନିଟ୍‌ ପରେ ଆରମ୍ଭ ହୁଏ ଟ୍ରେଡିଂ । ପୂର୍ବରୁ ଯୋଗୀ ଆଦିତ୍ୟନାଥ, ବିଜୟ ରୂପାନି ଓ ଅମିତାଭ ବଚ୍ଚନଙ୍କ ଭଳି ବହୁ ପ୍ରଭାବଶାଳୀ ବ୍ୟକ୍ତି ଷ୍ଟକ୍‌ ଏକ୍ସଚେଞ୍ଜର ବେଲ୍‌ ବଜାଇସାରିଛନ୍ତି । ଚଳିତବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏ ଭୁବନେଶ୍ୱରରେ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥିଲାଗି ଦେଶର ବିଭିନ୍ନ ରାଜ୍ୟର ରାଜଧାନୀରେ ନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ରୋଡ ଶୋ ଓ ନିବେଶକ ସମ୍ମିଳନୀ
କରାଯାଉଛି । ଏହାପୂର୍ବରୁ ଦୁବାଇ, ଅହମ୍ମଦାବାଦ, ଦିଲ୍ଲୀରେ ଇନଭେଷ୍ଟର୍ସ ମିଟ୍‌ ସଫଳତାର ସହ କରାଯାଇଛି । ଜାତୀୟସ୍ତରରେ ଦିନକୁ ଦିନ ନବୀନଙ୍କ ପତିଆରା ବଢ଼ିବାରେ ଲାଗିଛି । ନିକଟରେ ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲା ଦିଲ୍ଲୀ ସ୍ଥିତ କ୍ୟାପିଟାଲ ଫାଉଣ୍ଡେସନ୍‌ । ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଭାଟିକାନ୍‌ ସିଟିରେ କ୍ୟାଥୋଲିକ୍‌ ଚର୍ଚ୍ଚର ମୁଖ୍ୟ ପୋପ୍‌ଙ୍କୁ ସେ ଭେଟିଥିଲେ ।

Comments (0)
Add Comment