ଭୁବନେଶ୍ୱର, ୧୨ା୯ (ଡିକେ ନ୍ୟୁଜ୍): ମୁମ୍ବାଇ ନିବେଶକ ସମ୍ମିଳନୀରେ ବଡ଼ ବଡ଼ ଶିଳ୍ପପତି ଓ ବ୍ୟାଙ୍କର୍ସଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ଦିନକୁ ଦିନ ସମୃଦ୍ଧ ହେଉଛି ଶିଳ୍ପାୟନ ଓ ବଢ଼ୁଛି ରାଜ୍ୟର ଅର୍ଥନୀତି । ଦେଶର ପୁଞ୍ଜିନିବେଶକାରୀଙ୍କ ପ୍ରଥମ ପସନ୍ଦ ଓଡ଼ିଶା । ୨୦୨୨ରେ ରାଜ୍ୟରେ ହୋଇଛି ସର୍ବାଧିକ ଇନ୍ଭେଷ୍ଟମେଣ୍ଟ । ଓଡ଼ିଶାକୁ ଇଣ୍ଡଷ୍ଟ୍ରିଆଲ ହବ୍ରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଦେଖିଥିବା ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି । ୨୦୨୦ରେ ଓଡ଼ିଶା ଚତୁର୍ଥ ସ୍ଥାନରେ ଥିବାବେଳେ ୨୦୨୨ରେ ରାଜ୍ୟରେ ହୋଇଛି ସର୍ବାଧିକ ପୁଞ୍ଜିନିବେଶ । ନଭେମ୍ବର ୩୦ରେ ଅନୁଷ୍ଠିତ ହେବ ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ତୃତୀୟ ସଂସ୍କରଣ । ପୁଞ୍ଜିପତିମାନଙ୍କୁ ଆକୃଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦୁବାଇ, ନୂଆଦିଲ୍ଲୀ ପରେ ମୁମ୍ବାଇରେ କରିଛନ୍ତି ଇନ୍ଭେଷ୍ଟର ମିଟ୍ । ଇନ୍ଭେଷ୍ଟର୍ସ ମିଟ୍ ପୂର୍ବରୁ ଦେଶର ନାମୀଦାମୀ ଶିଳ୍ପପତି ଓ ବ୍ୟାଙ୍କର୍ସଙ୍କ ସହିତ ୱାନ୍ ଟୁ ୱାନ୍ ଆଲୋଚନା କରିଥିଲେ ନବୀନ । ଏମାନଙ୍କ ମଧ୍ୟରେ ଅଛନ୍ତି ମହିନ୍ଦ୍ରା ଗ୍ରୁପ୍ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ୱାରେ ଇଞ୍ଜିନିୟର ଅଧ୍ୟକ୍ଷ ହିତେଶ ଯୋଶୀ, ଆପ୍ରା ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ଚୈତନ୍ୟ ଦେଶାଇ, ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଚେୟାରମ୍ୟାନ୍ ଏସ୍.ଏସ.ମୁନ୍ଦ୍ରା, ସୁପ୍ରିମ୍ ଇଣ୍ଡଷ୍ଟ୍ରିଜ୍ ଲିଃ ଚେୟାରମ୍ୟାନ୍ ଏମ୍.ପି.ଟପୋରିଆ, ଜେ.ଏମ୍.ବକ୍ସିର ଚେୟାରମ୍ୟାନ୍ ଧ୍ରୁବ କୋଟାକ୍, ଏସ୍ଟିଟିଡିଜିସି ଚିଫ୍ ଫାଇନାନ୍ସିଆଲ ଅଫିସର ବିମଲ ଖଣ୍ଡେଲୱାଲ, ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରାଜେଶ ଝା, ଏଚ୍ଡିଏଫ୍ସି କଣ୍ଟ୍ରି ହେଡ୍ ଅରବିନ୍ଦ ଭୋରାଙ୍କ ସହ ମୁଖ୍ୟମନ୍ତ୍ରୀ ୱାନ ଟୁ ୱାନ୍ ବୈଠକରେ ଓଡ଼ିଶାର ଆର୍ଥିକ ବିକାଶ ନେଇ ନିବେଶକଙ୍କୁ ବୁଝାଇଛନ୍ତି । ବିଶେଷକରି ରାଜ୍ୟରେ ନିବେଶ କଲେ ସବୁପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ମାଧ୍ୟମରେ ସବୁ ପ୍ରକାର ସହାୟତା ଦିଆଯାଇଛି । ଖଣିରୁ ଖାଦ୍ୟ ପ୍ରକ୍ରିୟାକରଣ, ଆଇଟିରୁ ଟେକ୍ସଟାଇଲ, କେମିକାଲ୍ସପେଟ୍ରୋ କେମିକାଲ୍ସରୁ ଇଲେକ୍ଟ୍ରିକାଲ ଭେହିକଲ ସବୁ କ୍ଷେତ୍ରରେ ରାଜ୍ୟରେ ଥିବା ସୁଯୋଗ ସମ୍ପର୍କରେ ସେମାନଙ୍କୁ ଅବଗତ କରାଇଥିଲେ ମୁଖ୍ୟମନ୍ତ୍ରୀ । ଏହି ଇନ୍ଭେଷ୍ଟସ୍ର୍ମି ଟ୍ରେ ବିକାଶର ବିନ୍ଧାଣୀ ନବୀନ ପଟ୍ଟନାୟକଙ୍କୁ ମିଳିଥିଲା ପ୍ରଶଂସାର ସୁଅ । ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତାକୁ ପୁଞ୍ଜିପତିମାନେ ଭୂରି ଭୂରି ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ‘ଏ’ କ୍ଲାସ୍ ବୋଲି କହିଛନ୍ତି ଆନନ୍ଦ
ମହିନ୍ଦ୍ରା । ନବୀନ ଜଣେ ବୁଦ୍ଧିମାନ୍, ଶାନ୍ତ ଓ ଆତ୍ମବିଶ୍ୱାସୀ ବ୍ୟକ୍ତି ବୋଲି ସେ କହିବା ସହ କଥା କମ୍ ଓ ଅଧିକ କାମରେ ବିଶ୍ୱାସ କରନ୍ତି । ବିପର୍ଯ୍ୟୟ ମୁକାବିଲାରେ ନବୀନଙ୍କ ମଡେଲ ସାରା ବିଶ୍ୱ ପାଇଁ ଅନୁକରଣୀୟ ପାଲଟିଥିଲା ବୋଲି ଆନନ୍ଦ ମହିନ୍ଦ୍ରା କହିଥିଲେ । ପ୍ରଥମ ଦୁଇଟି ମେକ୍ ଇନ୍ କନ୍କ୍ଲେଭ୍ରେ ରାଜ୍ୟକୁ ପ୍ରାୟ ୬ଲକ୍ଷ
କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶର ପ୍ରସ୍ତାବ ଆସିଥିଲା । ୮୦ରୁ ଅଧିକ କମ୍ପାନୀ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ପ୍ରସ୍ତାବ ଦେଇଥିଲେ । ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍, ବିର୍ଲା ଗ୍ରୁପ୍, ଆଦାନୀ, ଟାଟା, ଜିନ୍ଦଲ, ହଳଦିଆ ପେଟ୍ରୋ କେମିକାଲ୍ସ ଭଳି ବହୁ ରାଷ୍ଟ୍ରୀୟ କମ୍ପାନୀ ଓଡ଼ିଶା ପ୍ରତି ଆକର୍ଷିତ ହୋଇଥିଲେ । ଆଗକୁ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ମେକ୍ ଇନ୍ ଓଡ଼ିଶାର ତୃତୀୟ ସଂସ୍କରଣ ହେବ । ତେଣୁ ତା ପୂର୍ବରୁ ମୁମ୍ବାଇ ସମ୍ମିଳନୀକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ମଧ୍ୟ ୧୫ କମ୍ପାନୀ ମୁଖ୍ୟଙ୍କ ସହିତ ଏଥିନେଇ ଆଲୋଚନା କରିଥିଲେ । ଆସନ୍ତାକାଲି ମୁମ୍ବାଇ ଷ୍ଟକ୍ ଏକ୍ସଚେଞ୍ଜ ଯିବେ ମୁଖ୍ୟମନ୍ତ୍ରୀ । ସକାଳ ୯ଟାରେ ଓପନିଂ ବେଲ ବଜାଇବାର କାର୍ଯ୍ୟକ୍ରମ ରହିଛି ।