୧୦ ୟୁଟ୍ୟୁବ୍‌ ଚ୍ୟାନେଲରେ ପ୍ରସାରିତ ୪୫ ଭିଡିଓ ବ୍ଲକ୍‌

ନୂଆଦିଲ୍ଲୀ, ୨୭ା୯: ପୁଣି ଡିଜିଟାଲ ମିଡିଆ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲେ କେନ୍ଦ୍ର ସରକାର । ୧୦ଟି ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ୪୫ ଭିଡିଓକୁ ବ୍ଲକ୍‌ କରିଛନ୍ତି ସରକାର । ଗୁଇନ୍ଦା ଏଜେନ୍ସିଠାରୁ ମିଳିଥିବା ସୂଚନାକୁ ଆଧାର କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ୧୦ଟି ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ୪୫ଟି ଭିଡିଓକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲା । ସାମ୍ପ୍ରଦାୟିକ ସଦ୍‌ଭାବନା ବିଗାଡ଼ିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବ୍ଲକ୍‌ ହୋଇଥିବା ଭିଡିଓଗୁଡ଼ିକୁ ପ୍ରାୟ ୧ କୋଟି ୩୦ ଲକ୍ଷରୁ ଅଧିକ ଦର୍ଶକ ଦେଖିଥିଲେ । ଏହି ଭିଡିଓଗୁଡ଼ିକ ମଧ୍ୟରେ ଧ୍ରୁବ୍‌ ରାଠୀଙ୍କର ଭିଡିଓ ମଧ୍ୟ ରହିଛି । ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ଘୃଣା ଓ ବିଦ୍ୱେଷ ସୃଷ୍ଟି କରିବାର ମନ୍ଦ ଉଦ୍ଦେଶ୍ୟ ନେଇ ଏସବୁ ଭିଡିଓରେ ମିଥ୍ୟା ଖବର ପ୍ରସାରିତ କରାଯାଉଥିଲା । ଏ ନେଇ କେନ୍ଦ୍ର ଓ ସୂଚନା ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏସବୁ ଭିଡିଓରେ ଦେଶ ବିରୋଧୀ ରହିଛି । ଆଇଟି ନିୟମ ୨୦୨୧ ଅନୁସାରେ, ଭିଡିଓ ବ୍ଲକ୍‌ କରିବାକୁ ଗତ ସେପ୍ଟେମ୍ବର ୨୩ ତାରିଖରେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏହି ଭିଡିଓଗୁଡ଼ିକରେ ଧାର୍ମିକ ସଦ୍‌ଭାବନା ବିଗାଡ଼ିଲା ପରି ଅନେକ ଭିଡିଓ ଥିଲା । ସରକାର କିଛି ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କ ଧାର୍ମିକ ଅଧିକାର ଛଡ଼ାଇ ନେଇଯିବା, ଧାର୍ମିକ ସଂଗଠନ ବିରୋଧରେ ହିଂସା ଧମକ, ଭାରତରେ ଗୃହ ଯୁଦ୍ଧ ଘୋଷଣା ଭଳି ଅନେକ ମିଥ୍ୟା ଭିଡିଓ ଥିଲା । ବ୍ଲକ୍‌ ହୋଇଥିବା ଭିଡିଓଗୁଡ଼ିକରେ କେନ୍ଦ୍ର ସରକାରଙ୍କର ଅଗ୍ନିପଥ ଯୋଜନା, ଭାରତୀୟ ସଶସ୍ତ୍ର ବାହିନୀ, କଶ୍ମୀର ଓ ଅନ୍ୟ ସମସ୍ୟା ବିଷୟରେ ଭୁଲ ସୂଚନା ଦିଆଯାଇଥିଲା । ଏସବୁ ଭିଡିଓରେ ପ୍ରସାରିତ ବିଷୟବସ୍ତୁ ସମ୍ପୂର୍ଣ୍ଣ ମିଥ୍ୟା ହୋଇଥିବା ବେଳେ ଏହା ଭାରତର ଜାତୀୟ ସୁରକ୍ଷା ବିପଦ ସୃଷ୍ଟି କରିଥିଲା । ଏସବୁ ବିଷୟବସ୍ତୁ ସୂଚନା ପ୍ରଯୁକ୍ତି ଆଇନ, ୨୦୦ର ଧାରା ୬୯ ଏ ପରିଧି ମଧ୍ୟରେ ଆସୁଥିଲା ।

Comments (0)
Add Comment