କିଏ ହେବେ ବିଜେଡିର ପଦ୍ମପୁର ଯୋଦ୍ଧା? ନବୀନଙ୍କ ଘୋଷଣାକୁ ଅପେକ୍ଷା

ଭୁବନେଶ୍ୱର, ୧୩ା୧୧ (ଡିକେ ନ୍ୟୁଜ୍‌): ଧାମନଗର ବିଧାନସଭା ଉପନିର୍ବାଚନର ହାରଜିତ୍‌ ପରେ ଏବେ ହେବାକୁ ଯାଉଥିବା ପଦ୍ମପୁର ବିଧାନସଭା କ୍ଷେତ୍ର ପାଇଁ ହେବାକୁ ଯାଉଛି ଉପନିର୍ବାଚନ । ଏହି ଉପନିର୍ବାଚନ ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପାଇଁ ମର୍ଯ୍ୟାଦାର ପ୍ରଶ୍ନ ହୋଇଛି । ଆଗକୁ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ହେବାକୁ ଥିବା ପରିପ୍ରେକ୍ଷୀରେ ପଦ୍ମପୁରବାସୀଙ୍କ ରାୟ ଉପରେ ଏବେ ସମସ୍ତଙ୍କ ନଜର । ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା କରିସାରିଥିବା ବେଳେ ଏବେ ବିଜେଡିର ଘୋଷଣାକୁ ସମସ୍ତଙ୍କ ଅପେକ୍ଷା । ୩ରୁ ୪ଜଣଙ୍କ ନାଁକୁ ନେଇ ଦଳ ବିଚାର ଚଳାଇଛି । ଖୁବ୍‌ଶୀଘ୍ର ବିଜେଡି ସୁପ୍ରିମୋ ନିଷ୍ପତ୍ତି ନେଇପାରନ୍ତି । ଦଳୀୟ ପ୍ରାର୍ଥୀ ୧୬ ତାରିଖ ଦିନ ନାମାଙ୍କନ ଦାଖଲ କରିବେ । ତିନ ଚାରିଜଣଙ୍କ ନାଁକୁ ନେଇ ଦଳ ପକ୍ଷରୁ ତର୍ଜମା ଚାଲିଛି । ଏଥିରେ ଅଛନ୍ତି ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ପତ୍ନୀ ତିଳୋତ୍ତମା ସିଂ ବରିହା ଓ ଝିଅ ବର୍ଷା ସିଂ ବରିହା । ବିଜେଡି ପ୍ରାର୍ଥୀ ଦୌଡ଼ରେ ବର୍ଷାଙ୍କ ନାଁ ଏବେ ସମସ୍ତଙ୍କଠାରୁ ଆଗରେ ଥିବା ଶୁଣିବାକୁ ମିଳୁଛି । ବର୍ଷାଙ୍କୁ ପ୍ରାର୍ଥୀ କରି ବିଜେଡି ମହିଳା କାର୍ଡ ଖେଳି ବିରୋଧୀଙ୍କ ମାତ୍‌ ଦେବାକୁ ନୂଅ ରଣନୀତି କରିଛି । ସେହିପରି ଦିବଙ୍ଗତ ବିଧାୟକଙ୍କ ପତ୍ନୀ ତିଳୋତ୍ତମା ବରିହା, ପୁତୁରା ବୋହୂ ମାଧବୀ ସିଂ ବରିହା ଓ ବଡ଼ଭାଇ ମନୋରଞ୍ଜନ ସିଂ ବରିହାଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏସବୁ ଭିତରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛି ପଦ୍ମପୁରର ବିଞ୍ଝାଲ ସମାଜ । ଏହି ଉପନିର୍ବାଚନରେ ଦିବଙ୍ଗତ ବିଧାୟକଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କରିବାକୁ ସେମାନେ ନବୀନଙ୍କୁ ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ବି ସେମାନଙ୍କୁ ପ୍ରତିଶ୍ରୁତି
ଦେଇଥିବା ଜଣାପଡ଼ିଛି । ତେବେ ଏହାରି ଭିତରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ସମସ୍ତଙ୍କ ନଜର ରହିଛି । ପ୍ରାର୍ଥୀ ଘୋଷଣା ପରେ ୧୬ ତାରିଖରେ ନାମାଙ୍କନ ଦାଖଲ କରାଯିବ ବୋଲି କହିଛନ୍ତି ବରିଷ୍ଠ ନେତା ସୁଶାନ୍ତ ସିଂ । ସ୍ୱର୍ଗତଃ ବରିହାଙ୍କ ଦେହାନ୍ତ ଯୋଗୁ ଆସନ୍ତା ୫ ତାରିଖରେ ଏହି ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ସ୍ୱର୍ଗତଃ ବରିହା ଗୋଟିଏ ସମୟରେ ନବୀନ ପଟ୍ଟନାୟକଙ୍କ ସରକାରରେ ମନ୍ତ୍ରୀ ଥିଲେ । ବିଜୁ ପଟ୍ଟନାୟକଙ୍କ ସରକାର ସମୟରେ ବି ସେ ସେଠାକାର ବିଧାୟକ ଥିବାବେଳେ ତାଙ୍କ ବିବାହରେ ବିଜୁବାବୁ ପ୍ରମୁଖ ଭୂମିକା
ଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଯେ, କେବଳ ଧାମନଗରକୁ ଛାଡ଼ି ପୂର୍ବରୁ ହୋଇଥିବା ପିପିଲି, ତିର୍ତ୍ତୋଲ, ବ୍ରଜରାଜନଗର ବିଧାନସଭା ଉପ ନିର୍ବାଚନରେ ଦିବଙ୍ଗତ ବିଜେଡି ବିଧାୟକମାନଙ୍କ ପରିବାରୁ ଯେଉଁମାନେ ପ୍ରାର୍ଥୀ ହୋଇଥିଲେ ସେମାନଙ୍କ ଉପରେ ଅନୁକମ୍ପା ଭୋଟ୍‌ ଅଜାଡି ହୋଇପଡ଼ିଥିଲା । ଏହି ଆଧାରରେ ପଦ୍ମପୁରରେ ସ୍ୱର୍ଗତଃ ବରିହାଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କରି ବିଜେଡି ନିଜ ସାଙ୍ଗଠନିକ ଭୋଟ୍‌ ସହିତ ଅନୁକମ୍ପା ଭୋଟ୍‌ ଆଧାରରେ ଉକ୍ତ ଆସନକୁ ପୁନର୍ବାର ଦଖଲ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ନା ଆଉ ଏକ ନୂଆ ମୁହଁକୁ ଦେଇ ପୁଣି ସମସ୍ତଙ୍କୁ ଚକ୍‌ମା ଦେବା ପାଇଁ ଗୋଟିଚାଳନା କରୁଛି ତାହା ଆଉ ଦିନେ ଦୁଇଦିନ ମଧ୍ୟରେ ଜଣାପଡ଼ିଯିବ । ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସେଠାରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । ବିଜେଡିର ତୁଙ୍ଗ ନେତାମାନେ ମାରାଥନ ବୈଠକ ଜାରି ରଖିଛନ୍ତି । ବିଭିନ୍ନ ଜୋନ୍‌ରେ ପହଞ୍ôଚ ସାଙ୍ଗଠନିକ ସ୍ଥିତି ମଜବୁତ୍‌ କରିବାରେ ଲାଗିଛନ୍ତି ଦଳୀୟ ହେଭିୱେଟ୍‌ । ପଦ୍ମପୁର ବିଜେଡିର ଥିଲା ଓ ବିଜେଡିର ରହିବ ବୋଲି ଦଳୀୟ ନେତାମାନେ ଦମ୍ଭୋକ୍ତି ପ୍ରକାଶ କରିବା ସହ ଏବେଠାରୁ ଜୋରଦାର ରଣନୀତି ଆପଣାଇଛି । ଉପନିର୍ବାଚନ ପରିଚାଳନା ପାଇଁ ୫୮ଟି ପଞ୍ଚାୟତ, ଏନ୍‌ଏସିର ୧୧ଟି ୱାର୍ଡ ପାଇଁ ୩୨ ବିଧାୟକ ଓ ୧୧ ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଇଛି ଦଳ । ପରିଚାଳନା ଦାୟିତ୍ୱରେ ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀପ୍ରସାଦ ମିଶ୍ରଙ୍କ ସମେତ ସୁଶାନ୍ତ ସିଂଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ପଦ୍ମପୁର ବ୍ଲକ୍‌ ଦାୟିତ୍ୱରେ ଅଛନ୍ତି ନିରଞ୍ଜନ ପୂଜାରୀ ଓ ପ୍ରତାପ ଜେନା ।

Comments (0)
Add Comment