ସରିଲା ନାମାଙ୍କନ: ଆଜିଠୁ କମ୍ପିବ ମୈଦାନ

ପଦ୍ମପୁର, ୧୭ା୧୧(ଡିକେ ନ୍ୟୁଜ): ସରିଲା ନାମାଙ୍କନ ଦାଖଲ । ଆଜିଠୁ କମ୍ପିବ ପ୍ରଚାର ମୈଦାନ । ପଦ୍ମପୁର ଉପନିର୍ବାଚନ ପାଇଁ ୩ ଦଳର ପ୍ରାର୍ଥୀଙ୍କ ସହ ସ୍ୱାଧୀନ ପ୍ରାର୍ଥୀ
ନାମାଙ୍କନ ଦାଖଲ କରିଛନ୍ତି । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବାପାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଘରୁ ବାହାରିଥିଲେ । ମା’ଙ୍କଠାରୁ ଆଶୀର୍ବାଦ ନେଇ ଶତାଧିକ ଶୁଭେଚ୍ଛୁ ଓ ଦଳୀୟ ନେତାଙ୍କ ସହ ଶୋଭାଯାତ୍ରାରେ ଯାଇ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପରେ ବାପାଙ୍କ ସ୍ୱପ୍ନକୁ ପୂରଣ କରିବେ ବୋଲି କହିଛନ୍ତି । ପରେ ଆନ୍ଦୋଳନରତ ଚାଷୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ଆଶୀର୍ବାଦ ନେଇଛନ୍ତି । ଏଥିସହିତ ବିନ୍ଧ୍ୟବାସିନୀ ମନ୍ଦିର ଓ ନୃସିଂହନାଥ ମନ୍ଦିର ଦର୍ଶନ କରି ଆଶୀଷ ଲୋଡ଼ିଛନ୍ତି । ସେଠାରେ ଶ୍ରଦ୍ଧାଳୁଙ୍କ ସହ ଏକାଠି ପ୍ରସାଦ ସେବନ ମଧ୍ୟ କରିଥିଲେ ବିଜେଡି ପ୍ରାର୍ଥନୀ ବର୍ଷା । ଏଥିସହିତ ଶେଷ ଦିନରେ ମଧ୍ୟ ନାମାଙ୍କନ ଭରିଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବିନା ରାଲିରେ ଆସି ନାମାଙ୍କନ ଭରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ପିସିସି ସଭାପତିଙ୍କ ସହ ବହୁ ଦଳୀୟ ନେତା ଓ କର୍ମୀଙ୍କୁ ନେଇ ବିରାଟ ଶୋଭାଯାତ୍ରାରେ ଆସି ନାମାଙ୍କନ ଭରିଥିଲେ । ଶେଷ ଦିନରେ ମୋଟ ୧୩ଜଣ ନାମାଙ୍କନ ଭରିଥିବା ବେଳେ ଆସନ୍ତାକାଲି ମନୋନୟନ ପତ୍ର ଯାଞ୍ଚ ଓ ୨୧ ତାରିଖରେ ଅପରାହ୍ନ ୩ଟା ଯାଏ ପ୍ରାର୍ଥିପତ୍ର ପ୍ରତ୍ୟାହାରର ସମୟ ରହିଛି । ଡିସେମ୍ବର ୫ ତାରିଖରେ ସକାଳ ୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହେବ ଓ ଡିସେମ୍ବର ୧୦ରେ ଫଳାଫଳ ପ୍ରକାଶ ପାଇବ । ଉପନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ କହିଛନ୍ତି । ୩୧୯ ବୁଥ୍‌ରେ ମତଦାନ ହେବାକୁ ଥିବା ବେଳେ ସେଥିମଧ୍ୟରୁ ୭୪ଟି ଅତି ସମ୍ବେଦନଶୀଳ ଓ ୫୨ଟି ସମ୍ବେଦନଶୀଳ ଅଟେ । ତିନୋଟି ବ୍ଲକ୍‌ରେ ୬ଟି ପିଙ୍କ୍‌ ବୁଥ ଓ ୧୦ଟି ମଡେଲ ବୁଥ୍‌ ରହିବ । ମାଓ ଉପଦ୍ରବ ଅଞ୍ଚଳ ପାଇଁ ୨୧ ତାରିଖରେ ଆହୁରି ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Comments (0)
Add Comment