ସମ୍ପର୍କ-ସନ୍ଦେହ ଓ ଷଡଯନ୍ତ୍ର ଦିଲ୍ଲୀରେ ଶ୍ରଦ୍ଧା ଷ୍ଟାଇଲ୍‌ରେ ମର୍ଡର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡର ଚର୍ଚ୍ଚା ନଥମୁଣୁ ଆଉ ଏକ ହୃଦୟ ବିଦାରକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ମାତ୍ର ଏଥର ହତ୍ୟାକାଣ୍ଡର ଶିକାର ହୋଇଛନ୍ତି ଜଣେ ଯୁବକ । ମାମଲାରେ ପୋଲିସ ଅଭିଯୁକ୍ତ ମାଆ ଏବଂ ପୁଅକୁ ଗିରଫ କରିଛି । ଏହି ହତ୍ୟାକାଣ୍ଡରେ ବି ହତ୍ୟା ପରେ ଶବକୁ ୧୦ ଖଣ୍ଡ କରି ଫ୍ରିଜରେ
ରଖାଯାଇଥିଲା । ପରେ ଗୋଟିଏ ଗୋଟିଏ କରି ଶବର ଖଣ୍ଡଗୁଡିକୁ ପୂର୍ବ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଫିଙ୍ଗା ଯାଇଥିଲା । ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ପୂର୍ବ ଦିଲ୍ଲୀରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାର ରହସ୍ୟ ଉପରୁ ପରଦା ହଟାଇବାରେ ସଫଳ ହୋଇଛି । ଘଟଣାରେ ମହିଳା ସମେତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଦୁଇ ଅଭିଯୁକ୍ତ ହେଉଛନ୍ତି ମୃତକଙ୍କ ପତ୍ନୀ ପୁନମ ଏବଂ ପୁଅ ଦୀପକ । ମୃତକଙ୍କ ନାମ ଅଞ୍ଜନ ଦାସ । ସ୍ୱାମୀ ଅଞ୍ଜନ ଦାସ ଅବୈଧ ସମ୍ପର୍କ ରଖୁଥିଲା ବୋଲି ପୁନମ ସନ୍ଦେହ କରୁଥିଲେ । ଅବୈଧ ସମ୍ପର୍କ ସନ୍ଦେହରେ ଅଞ୍ଜନ ଦାସଙ୍କୁ ନିଶା ବଟିକା ଖୁଆଇ ପରେ ହତ୍ୟା କରାଯାଇଥିଲା । ଏହି ବର୍ବର ହତ୍ୟାକାଣ୍ଡକୁ ମାଆ ଏବଂ ପୁଅ ମିଶି ମେ ୩୦ରେ ଘଟାଇଥିଲେ । ମାମଲାର ତଦନ୍ତ କରୁଥିବା ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ସେହି ଫ୍ରିଜକୁ ଜବତ କରିଛି । ପାଣ୍ଡବ ନଗରରେ ରହୁଥିବା ଅଞ୍ଜନ ଦାସଙ୍କ ହତ୍ୟା ପରେ ଶବକୁ ୧୦ ଖଣ୍ଡ କରି ଫ୍ରିଜରେ ଲୁଚାଇ ରଖାଯାଇଥିଲା । ଏହା ପରେ ପ୍ରତିଦିନ ଶବ ଖଣ୍ଡକୁ ପାଣ୍ଡବ ନଗର ଏବଂ ପୂର୍ବ ଦିଲ୍ଲୀର ଅଲଗା ଅଲଗା ଜାଗାରେ ଫିଙ୍ଗା ଯାଇଥିଲା । ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ଯେ ୨୦୨୨ ଜୁନ ୫ରେ ପେଟ୍ରୋଲିଂ ସମୟରେ ପୋଲିସ କର୍ମଚାରୀ ପାଣ୍ଡବ ନଗରର ୨୦ ବ୍ଲକ୍‌ କଲ୍ୟାଣପୁରୀ ସାମ୍ନା ରାମଲୀଲା ମଇଦାନରେ ବୁଦା ନିକଟରୁ ଦୁର୍ଗନ୍ଧ ଆସୁଥିବା ଜାଣିବାକୁ ପାଇଥିଲେ । ପାଣ୍ଡବ ନଗର ଥାନାକୁ ତୁରନ୍ତ ଏହାର ସୂଚନା ଦିଆଯାଇଥିଲା । ପୋଲିସ ଏବଂ ଏସଏଚଓ ଷ୍ଟାଫଙ୍କ ଘଟଣାସ୍ଥଳରେ ପହଞ୍ଚି ତଲାସି ନେବା ପରେ ମାନବ ଅଙ୍ଗରେ ଭର୍ତ୍ତି ଏକ ବ୍ୟାଗ୍‌ ମିଳିଥିଲା । ପରେ କ୍ରାଇମ ବ୍ରାଞ୍ଚ ଦଳ ଏବଂ ଏଫଏସଏଲ ଦଳକୁ ଡକାଇ ଘଟଣାସ୍ଥଳର ଛାନ୍‌ଭିନ୍‌ କରିଥିଲେ । ପାଣ୍ଡବନଗର ଥାନା ଆଇପିସିର ଧାରା ୩୦୨ ଏବଂ ୨୦୧ ଆଧାରରେ ଏଫଆଇଆର ରୁଜୁ କରି ମାମଲାର ତଦନ୍ତ କରୁଥିଲା । ପୋଲିସ ମୃତଦେହର ଅଙ୍ଗଗୁଡିକୁ ଏଲବିଏସ ହସ୍ପିଟାଲ୍‌ର ଶବଗୃହରେ ରଖି ମୃତକଙ୍କ ଚିହ୍ନଟ ପାଇଁ ଉଦ୍ୟମ ଚଳାଇଥିଲା । ଆଉ ଆଜି ପୋଲିସ ମାମଲା ଉପରୁ ପରଦା ହଟାଇବାରେ ସଫଳ ହୋଇଛି ।

Comments (0)
Add Comment