ମୁଖ୍ୟମନ୍ତ୍ରୀଙ୍କ ମିଶନ ଇଷ୍ଟ ଆରମ୍ଭ ହେଲା ପୁଞ୍ଜିନିବେଶର ମହାକୁମ୍ଭ

ଭୁବନେଶ୍ୱର, ୩୦ା୧୧(ଡିକେ ନ୍ୟୁଜ): ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେଲା ଦେଶର ଅନ୍ୟତମ ବୃହତ୍‌ ଶିଳ୍ପ ମହାକୁମ୍ଭ । ଜନତା ମଇଦାନରେ ଆରମ୍ଭ ହୋଇଥିବା ଶିଳ୍ପପତି, ନିବେଶକ, ଶିଳ୍ପ ଗୋଷ୍ଠୀ ମୁଖ୍ୟଙ୍କ ଏହି ମହା ମେଳା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ର ତୃତୀୟ ସଂସ୍କରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଉଦ୍‌ଘାଟନ କରିଛନ୍ତି । ଉଦ୍‌ଘାଟନ ପରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଗାଡ଼ିରେ ପ୍ରଦର୍ଶନୀ ବୁଲି ଦେଖିଛନ୍ତି । ୫ ଦିନିଆ ମେଗା ବିଜନେସ୍‌ ସମିଟ୍‌ରେ ଯୋଗଦେବା ପାଇଁ ଏବେ ସୁଦ୍ଧା ୧୧ ହଜାରରୁ ଅଧିକ ପଞ୍ଜିକରଣ ହୋଇଛି । ମୋଟ୍‌ ୩୮ଟି ଇଭେଣ୍ଟରେ ୧୨୪ ଜଣ ବକ୍ତା ଯୋଗଦେବେ । ପାରମ୍ପାରିକ ଶିଳ୍ପ ବ୍ୟତୀତ ନୂଆ ନୂଆ କ୍ଷେତ୍ରରେ ବଡ଼ ନିବେଶ ପାଇଁ ଏଥର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ମେଟାଲ, ମିନେରାଲ, ପେଟ୍ରୋକେମିକାଲ୍ସ, ଟେକ୍ସଟାଇଲ, ଫୁଡ୍‌ ପ୍ରସେସିଂ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଓ ଆଇଟି କ୍ଷେତ୍ରକୁ ଫୋକସ୍‌ ଦିଆଯାଇଛି । ଚଳିତଥର ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ୧୩୦ରୁ ଅଧିକ ବଡ଼ ଓ ମଧ୍ୟମ ଶିଳ୍ପ କନକ୍ଲେଭ୍‌ରେ ସାମିଲ ହେବାକୁ ସହମତି ପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଆର୍ସେଲର ମିତ୍ତଲ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ମିତ୍ତଲ, କୁମାର ମଙ୍ଗଲମ ବିର୍ଲା, ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରୱାଲ, ସଜ୍ଜନ ଜିନ୍ଦଲ, ଟାଟା ଷ୍ଟିଲ୍‌ ଏମ୍‌ଡି ଟି.ଭି ନରେନ୍ଦ୍ରନ, ଜେଏସ୍‌ପିଏଲ୍‌ ମୁଖ୍ୟ ନବୀନ ଜିନ୍ଦଲ ପ୍ରମୁଖ । କୋଭିଡ୍‌ ସମୟରେ ରାଜ୍ୟକୁ ୩ ଲକ୍ଷ କୋଟି ଟଙ୍କାର ନିବେଶ ଆସିଥିବାରୁ ଏଥର ରେକର୍ଡ ସଂଖ୍ୟକ ନିବେଶ ଆସିବ ବୋଲି ଆଶା ରଖିଛି ଶିଳ୍ପ ବିଭାଗ । ପୂର୍ବରୁ ଦେଶର ବିଭିନ୍ନ ସହରରେ ରାଜ୍ୟ ସରକାରଙ୍କ ପକ୍ଷରୁ ରୋଡ୍‌ ଶୋ’ର ଆୟୋଜନ କରାଯାଇଥିଲା । ଏଥିରେ ବହୁ ବଡ଼ ବଡ଼ ଶିଳ୍ପପତି ସାମିଲ ହୋଇ ସେମାନଙ୍କର ସମର୍ଥନ ଦେଇଥିଲେ । ଚୀନ୍‌, ଅଷ୍ଟ୍ରେଲିଆ, ଜାପାନ, ନରୱେ, ନେପାଳ, ବାଂଲାଦେଶ ଓ ଥାଇଲାଣ୍ଡ ପ୍ରଭୃତି ଦେଶର ନିବେଶକ କନ୍‌କ୍ଲେଭ୍‌ରେ ଯୋଗଦେବାକୁ ସହମତି ପ୍ରକାଶ କରିଛନ୍ତି । ଚଳିତଥର ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ୍‌ରେ ଅଣଖଣିଜ ଓ ଅଣଧାତବ କ୍ଷେତ୍ର ଫୋକସ୍‌ରେ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ଅଂଶଗ୍ରହଣ କରିବା ନେଇ ଏ ପର୍ଯ୍ୟନ୍ତ ୧୧,୬୦୦ରୁ ଅଧିକ ପଞ୍ଜିକରଣ ଗ୍ରହଣ ହୋଇସାରିଛି । ରାଜ୍ୟ ସରକାରଙ୍କ ୨୨ଟି ବିଭାଗର ସହଯୋଗରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମେଗା କନ୍‌କ୍ଲେଭରେ ୩୮ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଗୁଡିକରେ ୧୨୪ ଜଣ ବକ୍ତା ଅଂଶଗ୍ରହଣ କରି ନିଜସ୍ୱ ମତ ରଖିବେ । ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌କୁ ସଫଳ କରିବା ନିମନ୍ତେ ନିଜେ ମୁଖ୍ୟମନ୍ତ୍ରୀ ଓ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ପୂର୍ବରୁ ଉଦ୍ୟମ କରି ଆସୁଛନ୍ତି । ଦୁବାଇ, ନୂଆଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, କୋଏମ୍ବାଟୁର, ଜାମସେଦପୁର, ହାଇଦ୍ରାବାଦ ଏବଂ ଲକ୍ଷେ୍ନø ଆଦି ସହରରେ ନିବେଶକ ସମ୍ମେଳନ କରାଯାଇଛି । ଏହି ସବୁ ରୋଡ୍‌ ଶୋ’ରୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି ଓ କନ୍‌କ୍ଲେଭ୍‌ରେ ଅଂଶଗ୍ରହଣ ପାଇଁ କର୍ପୋରେଟ ଜଗତରୁ ରାଜ୍ୟ ସରକାରଙ୍କୁ ଉତ୍ତମ ସହଯୋଗ ମିଳି ସାରିଛି । ଡିସେମ୍ବର ୪ ପର୍ଯ୍ୟନ୍ତ ·ଲିବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ନିମନ୍ତେ ଜାପାନ, ନରୱେ ଏବଂ ଜର୍ମାନୀ ସହଯୋଗୀ ରାଷ୍ଟ୍ର ରହିଛନ୍ତି । ଏହାବ୍ୟତୀତ କନ୍‌କ୍ଲେଭ୍‌ରେ ଚୀନ୍‌, ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ବାଂଲାଦେଶ, ନେପାଳ ଆଦି ଦେଶରୁ ପ୍ରତିନିଧିମାନେ ଯୋଗଦେବେ ବୋଲି ସୂଚନା ମିଳିଛି । ୨୦୧୬ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ପ୍ରଥମ ସଂସ୍କରଣରେ ୨ ଲକ୍ଷ କୋଟିରୁ ଅଧିକ ଏବଂ ୨୦୧୮ର ଦ୍ୱିତୀୟ ସଂସ୍କରଣରେ ରାଜ୍ୟ ସରକାରଙ୍କୁ ମୋଟ ୪ ଲକ୍ଷ କୋଟିରୁ ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ ମିଳିଥିଲା । କୋଭିଡ୍‌ ମହାମାରୀ କାରଣରୁ ୨୦୨୦ରେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଆୟୋଜନ ବନ୍ଦ ରହିଥିଲା । ତେବେ ମହାମାରୀର ଏହି ୨ ବର୍ଷରେ ଓଡ଼ିଶା ଦେଶର ରାଜ୍ୟଗୁଡିକ ମଧ୍ୟରେ ସର୍ବାଧିକ ପୁଞ୍ଜିନିବେଶ ହାସଲ କରିପାରିଛି ।

Comments (0)
Add Comment