ଦୁର୍ନୀତି ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରତ୍ୟକ୍ଷ ପ୍ରମାଣ ନଥିଲେ ବି ଅଧିକାରୀଙ୍କୁ ମିଳିବ ଦଣ୍ଡ

ନୂଆଦିଲ୍ଲୀ, ୧୫ା୧୨: ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ ଭ୍ରଷ୍ଟା·ର ନିରୋଧକ ଆଇନ ଅଧିନରେ କୌଣସି ଅଧିକାରୀଙ୍କୁ ଦୋଷୀସାବ୍ୟସ୍ତ କରିବା ପାଇଁ ଲାଞ୍ଚ ମାଗିବାର ପ୍ରତ୍ୟକ୍ଷ ପ୍ରମାଣର ଆବଶ୍ୟକତା ନାହିଁ । ଏପରି ମାମଲାକୁ ପାରିପାଶ୍ୱିର୍କ ପ୍ରମାଣ ଆଧାରରେ ସାବ୍ୟସ୍ତ କରାଯାଇ ପାରିବ । ଏହାସହ କୋର୍ଟ କହିଛନ୍ତି ଯେ ଅଭିଯୋଗକାରୀଙ୍କ ମୃତ୍ୟୁ ହେବା କିମ୍ବା ଅନ୍ୟ କୌଣସି ସ୍ଥିତିରେ ପ୍ରତ୍ୟକ୍ଷ ସାକ୍ଷୀ ଉପଲବ୍ଧ ନଥିଲେ ମଧ୍ୟ ଲୋକ ସେବକଙ୍କୁ ଦୁର୍ନୀତି ନିରୋଧକ ଆଇନରେ ଦୋଷୀ ପ୍ରମାଣିତ କରାଯାଇ ପାରିବ, ଯଦି ଅଧିକାରୀ ଲାଞ୍ଚ ମାଗିଥିବା ପ୍ରମାଣିତ ହୋଇଯାଏ । ଜଷ୍ଟିସ ଅବଦୁଲ ନଜୀର, ଜଷ୍ଟିସ ବି.ଆର.ଗଭଇ, ଜଷ୍ଟିସ ଏ.ଏସ.ବୋପନ୍ନା, ଜଷ୍ଟିସ ଭି.ରାମାସୁବ୍ରମଣ୍ୟମ ଏବଂ ଜଷ୍ଟିସ ଭି.ବି.ନାଗରତ୍ନାଙ୍କ ୫ ଜଣିଆ ଖଣ୍ଡପୀଠ ଏହି ମାମଲାରେ ନଭେମ୍ବର ୨୩ରେ ନିଜ ରାୟ ସଂରକ୍ଷିତ ରଖିଥିଲେ । ୨୦୧୯ ଫେବ୍ରୁଆରୀରେ ସୁପ୍ରିକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ସତ୍ୟନାରାୟଣ ମୂର୍ତ୍ତି ବନାମ ଆନ୍ଧ୍ରପ୍ରଦେଶ ରାଜ୍ୟରେ ୨୦୧୫ର ସୁପ୍ରିମକୋର୍ଟଙ୍କ ପୂର୍ବ ନିଷ୍ପତ୍ତିରେ ଅସହମତି ହୋଇ ଏହାକୁ ସିଜେଆଇଙ୍କ ନିକଟକୁ ପଠାଇଥିଲେ । ଏଥିରେ କୁହାଯାଇଥିଲା ଯେ ଅଭିଯୁକ୍ତଙ୍କ ବିରୋଧରେ ପ୍ରାଥମିକ ସାକ୍ଷୀର ଅଭାବ ରହିଛି, ଏଥିପାଇଁ ଦୋଷୀ, ପ୍ରଶାସନିକ ଅଧିକାରୀଙ୍କୁ ମୁକ୍ତ କରାଯିବା ଦରକାର । ସୁପ୍ରିମକୋର୍ଟ କହିଛନ୍ତି ଯେ ଅଦାଲତକୁ ଦୁର୍ନୀତିଗ୍ରସ୍ତ ଲୋକଙ୍କ ବିରୁଦ୍ଧରେ କୋହଳ ମନଭାବ ପୋଷଣ ନ କରିବା ଦରକାର । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ମାମଲା ରୁଜୁ କରାଯିବା ଦରକାର ଏବଂ ସେମାନଙ୍କୁ ଦୋଷୀ ପ୍ରମାଣିତ କରାଯିବା ଦରକାର, କାରଣ ଦୁର୍ନୀତି ଶାସନକୁ ପ୍ରଭାବିତ କରୁଥିବା ଏକ ବଡ଼ ଅଂଶକୁ ନିଜ କବ୍‌ଜାକୁ ନେଇସାରିଛି । ସୁପ୍ରିମକୋର୍ଟ କହିଛନ୍ତି ଯେତେବେଳେ କାହା ବିରୁଦ୍ଧରେ ପ୍ରତ୍ୟକ୍ଷ ପ୍ରମାଣ ନ ଥାଏ ସେତେବେଳେ ପାରିସ୍ଥିତିକ ପ୍ରମାଣ ଆଧାରରେ ଜଣେ ଭ୍ରଷ୍ଟ ଅଧିକାରୀଙ୍କୁ
ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ।

Comments (0)
Add Comment