ଜାଡ଼ରେ ଥରୁଛି ଓଡ଼ିଶା

ଭୁବନେଶ୍ୱର, ୧୮ା୧୨(ଡିକେ ନ୍ୟୁଜ): ରାଜ୍ୟକୁ ପୁଣି ଧୀରେ ଧୀରେ ଶୀତ ଫେରିବା ଆରମ୍ଭ କଲାଣି । ଗତକାଲି ରାତିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଝାରସୁଗୁଡ଼ାଠାରେ ୧୦.୪ ଡିଗ୍ରି ରେକର୍ଡ ହୋଇଛି । ସେହିପରି କେନ୍ଦୁଝରରେ ୧୧.୬ ଡିଗ୍ରି, ସୁନ୍ଦରଗଡ଼ରେ ୧୨ ଡିଗ୍ରି ଓ ବାଲେଶ୍ୱରରେ ୧୨.୩ ଡିଗ୍ରି ତାପମାତ୍ରା ରହିଥିବା ଜଣାପଡ଼ିଛି । ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର ପାରଦସ୍ତରରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ଦେଖାଯିବ । ଫଳରେ ଦକ୍ଷିଣ ଓଡ଼ିଶା ଆଜିଠାରୁ ଥରିବ । ଏଥିସହ ଆସନ୍ତା ୨ ଦିନରେ
ଅବଶିଷ୍ଟ ଓଡ଼ିଶାର ତାପମାତ୍ରା ଧୀରେ ଧୀରେ ଖସିବା ସହ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏଥିସହ ରାଜ୍ୟରେ ସକାଳୁ ସକାଳୁ କୁହୁଡ଼ିଆ ପାଗ ଦେଖିବାକୁ ମିଳୁଛି । କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ କୋରାପୁଟ ଆଦି ଜିଲ୍ଲାରେ ସକାଳୁ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା । ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ପଡ଼ିବ । ଆଜି ରାଜଧାନୀ ଓ ଏହାର ଆଖପାଖ ଆଞ୍ଚଳର ପାଗ ଖରାଟିଆ ରହିବ । ଆକାଶ ନିର୍ମଳ ରହିବ ଓ ଖରା ଟାଣ ହେବ । ଦିନର ସର୍ବୋଚ୍ଚ ତାପମାତ୍ରା ୨୮ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରି ମଧ୍ୟରେ ରହିବ ।

Comments (0)
Add Comment