ଦିଲ୍ଲୀ ମେୟର ନିର୍ବାଚନ, ‘ମନୋନିତ ସଦସ୍ୟ ଦେଇପାରିବେନି ଭୋଟ୍‌

ନୂଆଦିଲ୍ଲୀ, ୧୭ା୨: ଏମ୍‌ସିଡି ମେୟର ନିର୍ବାଚନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି । ଦିଲ୍ଲୀ ମେୟର ନିର୍ବାଚନ ଏବଂ ବୈଠକ ପାଇଁ ୨୪ ଘଣ୍ଟା ଭିତରେ ବିଜ୍ଞପ୍ତି ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ନିର୍ବାଚନରେ ବରିଷ୍ଠ ନାଗରିକଙ୍କୁ ମତଦାନରୁ ବଞ୍ଚିତ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଏହି ବୈଠକରେ ମେୟର ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଭାରତୀୟ ଜନତା ପାର୍ଟିକୁ ଝଟ୍‌କା ଲାଗିଥିବା ବେଳେ ଅନ୍ୟପଟେ ଲୋକତନ୍ତ୍ରର ବିଜୟ ହୋଇଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେନ୍ଦ୍ରିୱାଲ କହିଛନ୍ତି । ନିର୍ବାଚନର ଅଢେଇ ମାସ ପରେ ଦିଲ୍ଲୀ ମହାନଗର ନିଗମକୁ ମିଳିବ ମେୟର । ଏମ୍‌ସିଡି ମେୟର ନିର୍ବାଚନ ପାଇଁ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ୨୪ଘଣ୍ଟା ଭିତରେ ମେୟର ନିର୍ବାଚନ ଓ ଏମ୍‌ସିଡିର ପ୍ରଥମ ବୈଠକ ପାଇଁ ନୋଟିସ୍‌ ଜାରି କରିବାକୁ କୋର୍ଟ ଆଦେଶ ଦେଇଛନ୍ତି । ଏହି ବୈଠକରେ ମେୟର, ଡେପୁଟି ମେୟର ଓ ଅନ୍ୟ ସଦସ୍ୟ ମତଦାନ ପାଇଁ ତାରିଖ ସ୍ଥିର କରିବାକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ । ଏହା ପୂର୍ବରୁ କୋର୍ଟ ମେୟର ନିର୍ବାଚନରେ ବରିଷ୍ଠ ନାଗରିକ ମତଦାନ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସୂଚନା ଅନୁଯାୟୀ, ଦିଲ୍ଲୀ ନଗର ନିଗମ ମେୟର ନିର୍ବାଚନ ପାଇଁ ୩ଥର ବୈଠକ ବିଫଳ ହେବା ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଆମ୍‌ ଆଦମୀ ପାର୍ଟି ମେୟର ପ୍ରାର୍ଥୀ ଶୌଲି ଓବରୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହା ସହିତ ଏମ୍‌ସିଡି ମେୟର ନିର୍ବାଚନ ପାଇଁ ଏକ ନିର୍ଦ୍ଧିଷ୍ଟ ତାରିଖ ଘୋଷଣା କରିବାକୁ ଗୁହାରି କରିଥିଲେ । ପୂର୍ବ ଶୁଣାଣିରେ କୋର୍ଟ, ଦିଲ୍ଲୀ ନଗର ନିଗମର ମନୋନିତ ସଦସ୍ୟ ମତଦାନ କରିପାରିବେ ନାହିଁ ବୋଲି କହିଥିଲେ । ଏମ୍‌ସିଡି ନିର୍ବାଚନରେ ମୋଟ୍‌ ୨୫୦ ନିର୍ବାଚିତ ସଦସ୍ୟ ରହିଥିବା ବେଳେ ଏଥିମଧ୍ୟରୁ ଆପ୍‌ ୧୩୪ ଆସନ ସହ ବହୁମତ ପାଇଛି । ହେଲେ ବିଜେପି ବାରମ୍ବାର ମେୟର ନିର୍ବାଚନକୁ ଟାଳୁଥିବା ଅଭିଯୋଗ ହୋଇଛି ।

Comments (0)
Add Comment