ଦ୍ୱିତୀୟ ଟେଷ୍ଟ ଅଧାରୁ ଦଳରୁ ବାଦ୍‌ ପଡିଲେ ୱାର୍ଣ୍ଣର

ନୂଆଦିଲ୍ଲୀ, ୧୮ା୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ·ଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆକୁ ବଡ ଝଟକା ଲାଗିଛି । ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟସମ୍ୟାନ୍‌ ଡେଭିଡ ୱାର୍ଣ୍ଣର ଟେଷ୍ଟରୁ ବାଦ୍‌ ପଡିଛନ୍ତି । ୱାର୍ଣ୍ଣରଙ୍କ ମୁଣ୍ଡରେ ବଲ୍‌ ବାଜିଥିଲା, ଯେଉଁଥିପାଇଁ ଟିମରୁ ବାଦ୍‌ ପଡିଛନ୍ତି । ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଥିବା ସମୟରେ ମହମ୍ମଦ ସିରାଜଙ୍କ ବାଉନ୍ସର ବଲ୍‌ ୱାର୍ଣ୍ଣରଙ୍କ ମୁଣ୍ଡରେ ବସିଥିଲା । ପୂର୍ବରୁ ତାଙ୍କ ହାତରେ ବାଜିଥିବା ବେଳେ ଦ୍ୱିତୀୟ ବଲ ମୁଣ୍ଡରେ ଲାଗିଥିଲା । ଆହତ ଯୋଗୁଁ ଫିଲ୍ଡିଂ କରିବାକୁ ଫେରିନଥିଲେ ୱାର୍ଣ୍ଣର । ଟିମରୁ ବାଦ୍‌ ପଡିବା ପରେ ତାଙ୍କ ସ୍ଥାନରେ ପ୍ଲେଇଂ ଇଲେଭେନରେ ମାଥ୍ୟୁ ରେନସାଙ୍କୁ ସ୍ଥାନ ମିଳିଛି । ୱାର୍ଣ୍ଣର ପ୍ରଥମ ଇନିଂସରେ ୪୪ ବଲରେ ୩ଟି ଚଉକା ମାରି ୧୫ ରନ୍‌ କରିଥିଲେ । ୧୬ ଓଭରରେ ମହମ୍ମଦ ସିରାଜଙ୍କ ଦ୍ୱିତୀୟ ବଲରେ ଆଉଟ୍‌ ହୋଇଥିଲେ । ପ୍ରଥମ ଟେଷ୍ଟରେ ମଧ୍ୟ ପ୍ରଥମ ଇନିଂସରେ ୧ ରନ୍‌ ଏବଂ ଦ୍ୱିତୀୟ ଇନିଂସରେ ୧୦ ରନ୍‌ କରି ଆଉଟ୍‌ ହୋଇଥିଲେ । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୬୩ ରନରେ ଅଲଆଉଟ୍‌ ହୋଇଥିଲା । ଉସମାନ ଖ୍ୱାଜା ୮୧ ରନର ଇନିଂସ ଖେଳିଥିବା ବେଳେ ପିଟର ହ୍ୟାଣ୍ଡସ୍କମ୍ବ ଶେଷ ଯାଏ ଲଢେ଼ଇ କରିବା ସହ ଅପରାଜିତ ୭୨ ରନର ଇନିଂସ ଖେଳିଥିଲେ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ୫୦ ରନରେ ପ୍ରଥମେ ୱିକେଟ ଭାବେ ଡାଭିଡ ୱାର୍ଣ୍ଣର(୧୫)ଙ୍କୁ ହରାଇଥିଲା । ଏହାପରେ ଖ୍ୱାଜା ଓ ମାର୍ନସ ଲାବୁଶେନ ସ୍ଥିତି ସମ୍ଭାଳିଥିଲେ । ଉଭୟ ଦ୍ୱିତୀୟ ୱିକେଟ ପାଇଁ ୪୧ ରନ ଯୋଡ଼ିବା ସହ ଭାରତ ହାତରୁ ମ୍ୟାଚ୍‌ କାଢ଼ି ନେବାକୁ ଚେଷ୍ଟା କରିଥିଲେ । ୨୩ତମ ଓଭରରେ ଅଶ୍ୱିନ ପ୍ରଥମେ ଲାବୁଶେନ(୧୮)ଙ୍କୁ ଆଉଟ କରିଥିଲେ । ଏହାର ଗୋଟିଏ ବଲ ପରେ ସେ ଷ୍ଟିଭ ସ୍ମିଥଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ପଠାଇ ଦେଇଥିଲେ । ୯୧ ରନରେ ଅଷ୍ଟ୍ରେଲିଆ ୩ଟି ୱିକେଟ ହରାଇଥିଲା । ହେଡ୍‌ଙ୍କୁ ଆଉଟ କରି ଶାମି ଅଷ୍ଟ୍ରେଲିଆକୁ ୪ର୍ଥ ଝଟକା ଦେଇଥିଲେ । ଖ୍ୱାଜା ଓ ହ୍ୟାଣ୍ଡସ୍କମ୍ବ ୫ମ ୱିକେଟ ପାଇଁ ଦମଦାର ବ୍ୟାଟିଂ କରିଥିଲେ । ଉଭୟ ଦଳୀୟ ସ୍କୋରକୁ ୧୦୮ରୁ ନେଇ ୧୬୭ରେ ପହଞ୍ଚାଇଥିଲେ । ସେ ୮୧ ରନ କରିଥିବା ବେଳେ ରବୀନ୍ଦ୍ର ଜାଡେଜା ତାଙ୍କୁ ଆଉଟ କରିଦେଇଥିଲେ । ଭାରତ ପକ୍ଷରୁ ଦ୍ରୁତ ବୋଲର ମହମ୍ମଦ ଶାମି ୪ଟି ୱିକେଟ ନେଇଥିଲେ । ରବୀନ୍ଦ୍ର ଜାଡେଜା ଓ ରବି ଅଶ୍ୱିନ ମଧ୍ୟ ୩ଟି ଲେଖାଏ ସଫଳତା ପାଇଥିଲେ । ଅଷ୍ଟ୍ରେଲିଆ ଅଲଆଉଟ ହେବା ପରେ ଭାରତ ପ୍ରଥମ ଇନିଂସ ଆରମ୍ଭ କରିଥିଲା । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ବିନା ୱିକେଟରେ ୨୧ ରନ କରିନେଇଥିଲା । ତେବେ ଦ୍ୱିତୀୟ ଦିନରେ ଏଯାଏଁ ଭାରତ ପ୍ରଥମ ଇନିଂସରେ ୧୩୫ ରନ କରି ୬ ୱିକେଟ ହରାଇଛି । ଏପର୍ଯ୍ୟନ୍ତ ୧୨୮ ରନ ପଛରେ ରହିଛି ଭାରତ ।

Comments (0)
Add Comment