ବସ୍ତିମୁକ୍ତ ସହର ହେବ ଓଡ଼ଗାଁ ଏନ୍‌ଏସି

ଓଡ଼ଗାଁ : ଓଡ଼ଗାଁ ଏନଏସି ବସ୍ତିମୁକ୍ତ ସହର ହେବ । ସହରରେ ଥିବା ଜାରିଙ୍ଗି ବସ୍ତିକୁ ଜାଗା ମିଶନରେ ସମସ୍ତ ସୁବିଧା ସୁଯୋଗ ଉପଲବ୍ଧ କରାଯାଇ ଏହାକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯିବ । ଏହାକୁ ଆଧାର କରି ଏନଏସି ପ୍ରଶାସନ ରୂପାନ୍ତରଣ କାର୍ଯ୍ୟକୁ ଜୋରଦାର କରିଛି । ମୁଖ୍ୟତଃ ବସ୍ତିଗୁଡ଼ିକୁ ରାସ୍ତା, ଡ୍ରେନ୍‌, ପାଇପ ଯୋଗେ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ଷ୍ଟ୍ରିଟ୍‌ ଲାଇଟ୍‌, ଶୌ·ଳୟ ଆଦି ଉପରେ ଗୁରୁତ୍ୱ ଦିଆଯାଉଛି । ସେହିପରି ବସ୍ତିରେ ଥିବା ଖୋଲାସ୍ଥାନର ବିକାଶ କରାଯାଉଥିବା ବେଳେ ପିଲାମାନଙ୍କ ଖେଳକୁଦ ପାଇଁ ସାରଞ୍ଜାମ ମଧ୍ୟ ଯୋଗାଇ ଦିଆଯାଉଛି । ଓଡ଼ିଶା ସରକାରଙ୍କ ଜାଗା ମିଶନ ଜରିଆରେ ଭୂମିହୀନ ବସ୍ତିବାସିନ୍ଦାଙ୍କ ପାଇଁ ଭୂମି ଅଧିକାର ଅନୁଯାୟୀ ଓଡ଼ଗାଁ ଏନଏସି ପକ୍ଷରୁ ତୃତୀୟ ପର୍ଯ୍ୟାୟରେ ପୋରାଞ୍ଚଳର ୪୪ ଜଣ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଶନିବାର ଭୂମି ପ୍ରମାଣପତ୍ର ଓ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଏହି ଅବସରରେ ଜାରିଙ୍ଗି ମଳ ଓ ଆବର୍ଜନା ପ୍ରକ୍ରିୟାକରଣ ପ୍ଲାଣ୍ଟ ଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ବିଡ଼ିଓ ସନ୍ତୋଷ କୁମାର ଜେନା, ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ସୁଧାକର ଶତପଥୀ, କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ନିତ୍ୟାନନ୍ଦ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଭୁପ୍ରସାଦ ସାହୁ ଯୋଗ ଦେଇ ନବୀନ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ପୌରାଞ୍ଚଳରେ ହୋଇଥିବା ଓ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବିଡ଼ିଓ ସନ୍ତୋଷ କୁମାର ଜେନା ନିଜ ବକ୍ତବ୍ୟରେ ଜାରିଙ୍ଗି ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯିବ ବୋଲି ଘୋଷଣା କରିଥିଲେ । ଠିକ ସେହିପରି ପ୍ରଥମ ପର୍ଯ୍ୟାୟରେ ସ୍ୱଚ୍ଛ ଭାରତ ମିଶନ ଆଧାରରେ ୧୮୯ ହିତାଧିକାରୀଙ୍କୁ ମଧ୍ୟରୁ ୧୫ ଜଣଙ୍କୁ ପାଇଖାନା ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । ଚତୁର୍ଥ ପର୍ଯ୍ୟାୟରେ ୪୪ ଜଣ  ହିତାଧିକାରୀଙ୍କୁ ଭୂମି ପ୍ରମାଣପପତ୍ର ବଣ୍ଟନ କରାଯିବ ବୋଲି କହିଥିଲେ । ବ୍ଲକ ଅଧ୍ୟକ୍ଷ ନିଜ ବକ୍ତବ୍ୟରେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁଙ୍କ ପ୍ରଚେଷ୍ଟାରେ ଜାରିଙ୍ଗିର ଅଭୂତପୂର୍ବ ବିକାଶ ସହ ରୂପରେଖ ବଦଳିଛି । ଆଗାମୀ ଦିନରେ ଜାରିଙ୍ଗିରେ ନୂତନ କଲ୍ୟାଣମଣ୍ଡପ, ୫ କୋଟି ବ୍ୟୟରେ ଏନଏସିର ନୂତନ କାର୍ଯ୍ୟାଳୟ ଓ ମାର୍ଚ୍ଚ ୨୫ ସୁଦ୍ଧା ଜାରିଙ୍ଗିର ପ୍ରତ୍ୟେକ ଘରକୁ ଘର ପାନୀୟଜଳ ଯୋଗାଣ କରାଯିବ ଏବଂ ୧୫ ଗୋଟି ୱାର୍ଡରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ୧୫ ଜଣ ୱାର୍ଡ ଅଫିସର ନିଯୁକ୍ତ ହେବ,ଲୋକେ ଅଫିସକୁ ନ ଆସି ମଧ୍ୟ ସୁବିଧାରେ କାର୍ଯ୍ୟ ହାସଲ କାର୍ଯ୍ୟ କରିପାରିବେ । ବାସିନ୍ଦା କଲ୍ୟାଣ ସଂଘ (ଆରଡ଼ବ୍ଲ୍ୟଏ) ଗଠନ କରାଯିବ । ସମ୍ପୃକ୍ତ ବସ୍ତିରୁ ସବୁ ଘରୁ ଜଣେ ଜଣେ ସଦସ୍ୟ ରହୁଥିବା ବେଳେ ଏମାନଙ୍କ ମଧ୍ୟରୁ ଏକ ୧୧ ଜଣିଆ ଟିମ୍‌ ଗଠନ ହେବ । ଏହି ଟିମ୍‌କୁ ୩ ଜଣଙ୍କୁ ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ଭାବେ ଚୟନ କରାଯିବ । ଏହି ସଂଘରେ ଉଭୟ ମହିଳା ପୁରୁଷଙ୍କୁ ସମାନ ଭାବେ ସ୍ଥାନ ମିଳୁଥିବାବେଳେ ନିଜ ବସ୍ତିରେ କେଉଁ କାମ ପ୍ରାଥମିକତା ଭିତ୍ତିରେ ହେବା ଉଚିତ ସେମାନେ ତାହା ନିଷ୍ପତ୍ତି ନେବେ ବୋଲି ସମ୍ୟକରେ ସୂଚନା ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଏନଏସି ପକ୍ଷରୁ ୮୫ ଜଣ ଭୂମିହୀନଙ୍କୁ ଭୂମି ପ୍ରମାଣପତ୍ର ବଣ୍ଟନ କରାଯାଇଛି ।

Comments (0)
Add Comment